Home News in Odia ଛାତ୍ର କଂଗ୍ରେସର “କ୍ୟାମ୍ପସ ଚଲୋ ଅଭିଯାନ”

ଛାତ୍ର କଂଗ୍ରେସର “କ୍ୟାମ୍ପସ ଚଲୋ ଅଭିଯାନ”

ଭୁବନେଶ୍ୱର : ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ କରଣ ତାମସେତ ୱାର ଛାତ୍ର କଂଗ୍ରେସର “କ୍ୟାମ୍ପସ ଚଲୋ ଅଭିଯାନ”ର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ବିଜେପି ସରକାର ବିଶ୍ବବିଦ୍ୟାଳୟ ଓ କଲେଜରେ ନିର୍ବାଚନ ନକରାଇ ଦେବାପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ବାଲେଶ୍ୱର ଫକୀର ମୋହନ ସ୍ୱଂୟଶାସିତ ବିଶ୍ୱବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ପଛରେ ଏବିଭିପିର ସଂପୂର୍ଣ୍ଣ ହାତ ରହିଥିବାର ଜଣାପଡ଼ିବା ପରେ ସାରା ଓଡ଼ିଶାର ଶିକ୍ଷାନୁଷ୍ଠାନର କ୍ୟାମ୍ପସରେ ଏବିଭିପି ବଦନାମ ହୋଇଯାଇଛି ।

କ୍ୟାମ୍ପସ ଭିତରେ ହିଂସା ଏବଂ ଅପରାଧିକ କାର୍ଯ୍ୟ କରିବାପାଇଁ ଏବିଭିପିର ଷଡ଼ଯନ୍ତ୍ରକୁ ଓଡ଼ିଶାର ଛାତ୍ର ସମାଜ, ଅଭିଭାବକ ଏବଂ ବୁଦ୍ଧିଜୀବି ମାନେ ଅନୁଭବ କରିସାରିଛନ୍ତି । ତେଣୁ ଛାତ୍ରଛାତ୍ରୀ ମାନଙ୍କର ସମର୍ଥନ ନପାଇବାର ଆଭାସ ପାଇ ବିଜେପି ସରକାର ଛାତ୍ର ସଂସଦ ନିର୍ବାଚନ ନକରାଇ ଦେବାପାଇଁ ଷଡ଼ଯନ୍ତ୍ର ଆରମ୍ଭ କଲେଣି ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

 “କ୍ୟାମ୍ପସ ଚଲୋ ଅଭିଯାନ” ମାଧ୍ୟମରେ ଏନଏସୟୁଆଇ (ଛାତ୍ର କଂଗ୍ରେସ)ର କର୍ମକର୍ତ୍ତା ଓ ସଭ୍ୟମାନେ ଓଡ଼ିଶାର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କ୍ୟାମ୍ପସକୁ ଯିବେ । ଛାତ ସଂସଦ ନିର୍ବାଚନ ପାଇଁ ଆନ୍ଦୋଳନ ହେବ । କ୍ୟାମ୍ପସ ଭିତରେ ଅଶାନ୍ତି ଏବଂ ଅପରାଧିକ କାର୍ଯ୍ୟକୁ ପ୍ରତିବାଦ କରାଯିବ । ବିଶେଷକରି ଛାତ୍ରୀମାନଙ୍କର ସୁରକ୍ଷା ଉପରେ ଦୃଷ୍ଟି ଦିଆଯିବ । ର‌୍ୟାଗିଂ କ୍ଷେତ୍ରରେ ଓଡ଼ିଶା ଦେଶରେ ୩ ନମ୍ବର ସ୍ଥାନରେ ରହିଛି । ର‌୍ୟାଗିଂ ନିୟନ୍ତ୍ରଣ ପାଇଁ ସରକାର ଧ୍ୟାନ ଦେଉନାହାନ୍ତି । ତେଣୁ ର‌୍ୟାଗିଂମୁକ୍ତ କ୍ୟାମ୍ପସ ପାଇଁ ଛାତ୍ର କଂଗ୍ରେସ ଆନ୍ଦୋଳନ କରିବ ।

ସରକାରୀ ଶିକ୍ଷାନୁଷ୍ଠାନରେ ହେଉଥିବା ଦୁର୍ନିତିର ଦୃଢ଼ ପ୍ରତିବାଦ କରାଯିବ । ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟ ମାନଙ୍କରେ ୬୫ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡ଼ିଛି । ବିଶେଷକରି କ୍ୟାମ୍ପସରେ ଯେଉଁ ନିମ୍ନତମ ସୁବିଧା ରହିବା କଥା ତାହା ମିଳୁନାହିଁ । ଶୌଚାଳୟ ଠାରୁ ଆରମ୍ଭ କରି, ପାନୀୟଜଳ ବ୍ୟବସ୍ଥା, ହଷ୍ଟେଲର ପରିବେଶ ସବୁଠି ଏକ ନୈରାଶ୍ୟଜନକ ସ୍ଥିତି ରହିଛି । ଓଡ଼ିଶାର ସରକାରୀ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡ଼ିପଡ଼ୁଛି ।  ସେହିଭଳି ଏଡ଼େଡ ଏବଂ ସରକାରୀ ମହା ବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷକ ପଦବୀର ଚିତ୍ର ଅତ୍ୟନ୍ତ ନୈରାଶ୍ୟଜନକ ।

ପ୍ରାଥମିକ ବିଦ୍ୟାଳୟ ଠାରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ଉତ୍କଟ ଶିକ୍ଷକ ଅଭାବ ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେଇଛି । ସରକାରୀ ଶିକ୍ଷା ବ୍ୟବସ୍ଥାକୁ ହତାଦର କରାଯାଇ ବେସରକାରୀ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହନ ଦିଆଯାଉଛି । ସୁତରାଂ ଏ ସରକାର ଏବଂ ଏ ବ୍ୟବସ୍ଥା ସଂପୂର୍ଣ୍ଣ ଛାତ୍ର ବିରୋଧି । ଅନ୍ୟପକ୍ଷରେ “ଭୋଟ ଚୋରୀ” ବିରୋଧରେ ଛାତ୍ର ଛାତ୍ରୀମାନଙ୍କ ସହ ଆଲୋଚନା ହେବ ଏବଂ ନୂଆ ଭୋଟର ମାନଙ୍କୁ ଭୋଟ ଚୋରୀ ବିଷୟରେ ସଚେତନ କରାଯିବ । ଏହି କାର୍ଯ୍ୟକ୍ରମରେ ପିସିିସି ସାଧାରଣ ସମ୍ପାଦକ ସୟଦ ୟାସିର ନୱାଜ, ମନୋଜ ବିଶ୍ୱାଳ, ବିଭୁତି ଭୂଷଣ ମହାପାତ୍ର, ସାଗର ପଟ୍ଟନାୟକ, ଆଦିତ୍ୟ ପ୍ରୀତମ ଦାସ, ସାହାରୁଖ ଖାନ, ସୌମ୍ୟରଞ୍ଜନ ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।