ଭୁବନେଶ୍ୱର : ଗ୍ରୀଷ୍ମ ଅବକାଶକାଳୀନ ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶାଙ୍କ ପକ୍ଷରୁ ‘ଅବକାଶକାଳୀନ ଗୃହକାର୍ଯ୍ୟ’ ମଇ ୧ତାରିଖରୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ଜିଲ୍ଲାକୁ ସ୍ଥିରୀକୃତ କାର୍ଯ୍ୟାନ୍ୱୟନ ପ୍ରଣାଳୀ ଏବଂ ନିୟମାବଳୀ ପ୍ରେରଣ କରାଯାଇ ଏହାକୁ ବିଧିବଦ୍ଧ ଭାବରେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି ।
ଶିକ୍ଷାର୍ଥୀମାନଙ୍କ ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସହୟତା କେନ୍ଦ୍ର ଖୋଲାଯାଇ ପ୍ରତିଦିନ ୪ ଜଣ ବିଷୟଭିତ୍ତିକ ଓ ଅଭିଜ୍ଞ ଶିକ୍ଷକକୁ ନିୟୋଜିତ କରାଯାଇଅଛି । ଏହି କାର୍ଯ୍ୟକ୍ରମ ମଇ ୧ ତାରିଖରୁ ସରକାରୀ ଛୁଟିଦିନ ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟଦିବସରେ ସକାଳ ୬.୦୦ଘଟିକା ରୁ ସନ୍ଧ୍ୟା ୬.୦୦ ଘଟିକା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ ।
ପ୍ରତ୍ୟେକ ଶିକ୍ଷାର୍ଥୀ ପାଖରେ ସହୟତା କେନ୍ଦ୍ରର ସୁବିଧା ପହଞ୍ଚାଇବା ପାଇଁ ଦେୟମୁକ୍ତ ନମ୍ବରର ବ୍ୟବସ୍ଥା କରାଯାଇଅଛି । ଏହି ଦେୟମୁକ୍ତ ନମ୍ବରକୁ ଶିକ୍ଷାର୍ଥୀମାନେ ସେମାନଙ୍କର ଅବକାଶକାଳୀନ ଗୃହକାର୍ଯ୍ୟ ସମ୍ବନ୍ଧିତ ପ୍ରଶ୍ନ ସିଧାସଳଖ ପଚାରିପାରିବେ ଏବଂ ସହୟତା କେନ୍ଦ୍ରରେ ନିୟୋଜିତ ଶିକ୍ଷକଶିକ୍ଷୟିତ୍ରୀମାନେ ଶିକ୍ଷାର୍ଥୀମାନଙ୍କର ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ କରିବେ ।
ଏତଦ୍ବ୍ୟତୀତ ବିଦ୍ୟାଳୟ ସ୍ତରରେ ଗୃହକାର୍ଯ୍ୟ ସମ୍ବନ୍ଧୀୟ ତଦାରଖ ବ୍ୟବସ୍ଥା କରାଯାଇଛି । ଟୋଲ-ଫ୍ରି ନମ୍ବର ବ୍ୟତୀତ ଅନ୍ୟ ଏକ ନମ୍ବରରୁ ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ସହ ସହାୟତା କେନ୍ଦ୍ରରୁ ଯୋଗାଯୋଗ କରାଯାଇ ଏ ସମ୍ବନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ କରାଯିବାକୁ ନିର୍ଦ୍ଦେଶ ରହିଛି ।
ଉଭୟ ଟୋଲ-ଫ୍ରି ନମ୍ବରରେ ତଥା ବିଦ୍ୟାଳୟ ସହ ଯୋଗାଯୋଗ ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ସ୍ୱତନ୍ତ୍ର ରେଜିଷ୍ଟରରେ ଲିପିବଦ୍ଧ କରାଯାଉଛି । ପ୍ରତିଦିନ ରାଜ୍ୟସ୍ତରରେ ‘ବିଦ୍ୟା ସମୀକ୍ଷା କେନ୍ଦ୍ରରୁ’ ଏହାର ତଦାରଖ ତଥା ସମୀକ୍ଷା କରିବାର ବ୍ୟବସ୍ଥା କରାଯାଉଛି ।