ରାଜ୍ୟରେ ବିଦ୍ୟାଳୟ ଖୋଲିବା ଏବେ ଅନିଶ୍ଚିତତା ଭିତରକୁ ଠେଲିହୋଇ ଯାଇଥିବାବେଳେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କିଭଳି ପାଠ ପଢିବେ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦିଓ ସରକାର ଅନ୍ଲାଇନ୍ରେ ପାଠପଢା ଜାରି ରହିବବୋଲି କହୁଛନ୍ତି ତେବେ ଛାତ୍ରଛାତ୍ରୀଙ୍କ ନିକଟରେ ସ୍ମାର୍ଟଫୋନ୍ର ଅଭାବ ସାଙ୍ଗକୁ ଉପାନ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସମସ୍ୟା ଏ କ୍ଷେତ୍ରରେ ବଡ ପ୍ରତିବନ୍ଧକ ସାଜିଛି ।
ଅନ୍ଲାଇନ୍ ପାଠପଢା ପାଇଁ ସ୍ମାର୍ଟଫୋନ୍ ଆବଶ୍ୟକ । ଏହା ମାଧ୍ୟମରେ ପିଲାମାନେ ସିଧାସଳଖ ଶିକ୍ଷକଙ୍କୁ ଦେଖି ପାଠ ପଢିବା ସହିତ ସେମାନଙ୍କ ଠାରୁ ପାଠ ବୁଝିପାରିବେ । ବିଭିନ୍ନ ଘରୋଇ ଓ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଭଳି ଭାବେ ପଢୁଛନ୍ତି । ହେଲେ ରାଜ୍ୟ ସରକାରଙ୍କ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିକଟରେ ଆବଶ୍ୟକ ମୁତାବକ ସ୍ମାର୍ଟଫୋନ୍ ନଥିବାରୁ ତାହା ହୋଇପାରୁନାହିଁ । ସରକାରୀ ହିସାବ ମୁତାବକ ମାତ୍ର ୨୮ ପ୍ରତିଶତ ପିଲାଙ୍କ ନିକଟରେ ସ୍ମାର୍ଟଫୋନ୍ ରହିଛି । ତେଣୁ ଅନ୍ଲାଇନ୍ରେ ସିଧାସଳଖ ପାଠ ପଢାଇବା ସମ୍ଭବପର ହେଉନାହିଁ ।
ସେହିଭଳି ୫୨ ପ୍ରତିଶତ ଛାତ୍ରଛାତ୍ରୀଙ୍କ ହାତରେ ଫିଚର ଫୋନ୍ ରହିଛି । ଏଥିରେ କେବଳ ଶିକ୍ଷକମାନେ ପଠାଉଥିବା ବିଭିନ୍ନ ବିଷୟକୁ ଦେଖାଯାଇ ପାରିବ । ବସ୍ତୁତଃ ରାଜ୍ୟରେ ଏହା ହିଁ ଏବେ ପାଠପଢାର ମୁଖ୍ୟ ମାଧ୍ୟମ ପାଲଟିଛି । ତେବେ ଅଧିକାଂଶ ଫିଚର ଫୋନ୍ରେ ପିଡିଏଫ୍ ରିଡର ଭଳି ବ୍ୟବସ୍ଥା ରହୁନଥିବାରୁ ଶିକ୍ଷକମାନେ ପଠାଉଥିବା ପାଠକୁ ଛାତ୍ରଛାତ୍ରୀମାନେ ଖୋଲି ପଢିପାରୁ ନାହାନ୍ତି ।
ଅନ୍ୟ ପକ୍ଷରେ ରାଜ୍ୟ ସରକାର ଏବେ ଟେଲିଭିଜନ ଓ ରେଡିଓ ମାଧ୍ୟମରେ ପାଠପଢା ଆରମ୍ଭ କରିଛନ୍ତି । ରେଡିଓ ଏବେ ଗାଁ ଗହଳରେ ଏକ ପ୍ରକାର ସ୍ୱପ୍ନ ପାଲଟିଥିବାବେଳେ ଟେଲିଭିଜନ ପାଠପଢା କ୍ଷେତ୍ରରେ ବିଜୁଳି ପ୍ରତିବନ୍ଧକ ସାଜିଛି । ତେବେ ଯେଉଁମାନଙ୍କ ହାତରେ ସ୍ମାର୍ଟଫୋନ୍ ରହିଛି ବେଗଗାମୀ ଇଣ୍ଟରନେଟ୍ ନଥିବାରୁ ସେମାନେ ବାଧ୍ୟହୋଇ ସିଗ୍ନାଲ ପାଇବାଲାଗି ପାହାଡ ଓ ଗଛ ଉପରେ ଚଢିବାକୁ ବାଧ୍ୟ ହେଉଛନ୍ତି ।
ଦୀପାବଳୀ ପରେ ପରେ ବିଦ୍ୟାଳୟ ଖୋଲିବାପାଇଁ ସରକାର ସଙ୍କେତ ଦେଇଥିବାବେଳେ ଏବେ ନଭେମ୍ବର ମାସରେ ବିଦ୍ୟାଳୟ ଖୋଲିବନାହିଁ ବୋଲି ସୂଚନା ଦେଲେଣି । ତେଣେ ଡିସେମ୍ବର ମାସରେ କରୋନାର ଦ୍ୱିତୀୟ ଲହରୀ ଭୟ ଥିବାରୁ ଖୋଦ୍ ମୁଖ୍ୟମନ୍ତ୍ରୀ ଏଥିପ୍ରତି ସତର୍କ ରହିବାକୁ କହିଛନ୍ତି । ବୈଜ୍ଞାନିକମାନେ ବି ଶୀତଋତୁରେ କରୋନା ସଂକ୍ରମଣ ବଢିବାର ଆଶଙ୍କା କରୁଛନ୍ତି । ତେଣୁ ଯାହା ଜଣାପଡୁଛି ପରିସ୍ଥିତିରେ ସେଭଳି ଉନ୍ନତି ପରିଲକ୍ଷିତ ନହେଲେ ଚଳିତ ଶୀତଋତୁରେ ବିଦ୍ୟାଳୟ ଖୋଲିବାର ଆଶା କ୍ଷୀଣ ।
ଏଭଳି ସ୍ଥିତିରେ ମାଟ୍ରିକ ଓ ଯୁକ୍ତ ଦୁଇ ଦ୍ୱିତୀୟବର୍ଷ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ କିଭଳି ପାଠ ପଢିବେ ତାହାକୁ ନେଇ ଅଭିଭାବକମାନେ ଚିନ୍ତାରେ ପଡିଛନ୍ତି । ଘରୋଇ ଓ କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପ୍ରକାରେ ଅନ୍ଲାଇନ୍ରେ ପାଠ ପଢାଉଥିବାବେଳେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କିନ୍ତୁ ଏହାଠାରୁ ବହୁ ଦୂରରେ ଥିବା ଲକ୍ଷ୍ୟ କରାଯାଉଛି ।