Home General ଛପର ହେଲା ନବକୃଷ୍ଣ ଚୌଧୁରୀଙ୍କ ଘର

ଛପର ହେଲା ନବକୃଷ୍ଣ ଚୌଧୁରୀଙ୍କ ଘର

ଭୁବନେଶ୍ୱର : ଅନୁଗୁଳ ବାଜିରାଉତ ଛାତ୍ରାବାସ ପରିସରରେ ଥିବା ଖ୍ୟାତନାମା ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ତାଙ୍କ ପତ୍ନୀ ତଥା ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟା ଏବଂ ବିଶିଷ୍ଟ କ୍ରାନ୍ତିକାରୀ ମାଳତୀ ଚୌଧୁରୀଙ୍କ ମାଟି ଘର (ନୁମା-ବାପି କୁଟୀର)ର ଚାଳ ଉପରୁ ଶେଷରେ କଳା ଜରିପାଲ ହଟିଛି ।

ଦୀର୍ଘଦିନ ଧରି ଛପର ନହୋଇ ଏହି ଘରୁ ପାଣି ଗଳୁଥିବାବେଳେ ତାହାର ସୁରକ୍ଷାପାଇଁ ଅସ୍ଥାୟୀ ଭାବେ ପ୍ରଶାସନ କଳା ଜରି ଚାଳ ଉପରେ ଘୋଡାଇଥିଲା । ଦେଶ ଜାତି ପାଇଁ ନିଜ ଜମିଦାରୀ ସମେତ ସର୍ବସ୍ୱ ତ୍ୟାଗ କରି ସ୍ୱେଚ୍ଛାକୃତ ଦାରିଦ୍ର‌୍ୟ ବରଣ କରିଥିବା ଚୌଧୁରୀ ଦମ୍ପତ୍ତିଙ୍କର ଓଡିଶାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି । ସ୍ୱାଧୀନତା ଆନ୍ଦୋଳନ କାଳରେ ଚୌଧୁରୀ ପରିବାରର ସଂଘର୍ଷମୟଗାଥା ଏବେ ଇତିହାସର କଥାବସ୍ତୁ ।

ଗଡଜାତ ପ୍ରଜା ଆନ୍ଦୋଳନ ଠାରୁ ଆରମ୍ଭକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଉପେକ୍ଷିତ ଲୋକଙ୍କ ସେବା, ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନ ଓ ଜୟପ୍ରକାଶଙ୍କ ସମ୍ପୂର୍ଣ୍ଣକ୍ରାନ୍ତି ଆନ୍ଦୋଳନରେ ସମ୍ପୂର୍ଣ୍ଣ ସମର୍ପିତ ଥିଲା । ଏମିତିକି ଏହି ପରିବାରର ଆଠଜଣ ସମସ୍ୟ ସ୍ୱାଧୀନତା ଆନ୍ଦୋଳନରେ କାରାବରଣ କରିଥିବାବେଳେ ସମ୍ପୂର୍ଣ୍ଣକ୍ରାନ୍ତି ଆନ୍ଦୋଳନରେ ଯୋଗଦେଇ ଜରୁରୀ ପରିସ୍ଥିତି ସମୟରେ ତିନିଜଣ ମଧ୍ୟ କାରାରୁଦ୍ଧ ଥିଲେ ।

ଅନୁଗୁଳରେ ଚୌଧୁରୀ ଦମ୍ପତ୍ତିଙ୍କ ଉଦ୍ୟମ କ୍ରମେ ବାଜି ରାଉତ ଛାତ୍ରାବାସ ଓ ନବଜୀବନ ମଣ୍ଡଳ ପ୍ରତିଷ୍ଠିତ ହୋଇଥିଲା । ଛାତ୍ରାବାସ ପରିସରରେ ପିଲାମାନଙ୍କ ଗହଣରେ ଏକ ମାଟି ଚାଳିଆ ଘରେ ଚୌଧୁରୀ ଦମ୍ପତ୍ତି ରହୁଥିଲେ । ଏହି ଘରର ମାଟିପିଣ୍ଡା ଉପରେ ବସି କେତେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ପ୍ରଶାସକ ଓ ସମାଜସେବୀ ନିଜକୁ ଧନ୍ୟ ମନେ କରିଛନ୍ତି ।

ଏକଦା ମଣିଷ ତିଆରି କାରଖାନା ଥିବା ଚୌଧୁରୀ ଦମ୍ପତ୍ତିଙ୍କ ଶେଷ ସନ୍ତକ ଚାଳ ଘରରେ କଳା ଜରି ଢଙ୍କା ଯାଇଥିବା ଘେନି ବିଧାନସଭାରେ ମଧ୍ୟ ଉଦ୍‍ବେଗପ୍ରକାଶ କରାଯିବା ସହ ଗଣମାଧ୍ୟମରେ ବିଭିନ୍ନ ମହଲରୁ ଏଥିଘେନି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ବାଜିରାଉତ ଛାତ୍ରାବାସକୁ ଯାଇ ସ୍ଥିତିର ସରଜମିନ ଅନୁଧ୍ୟାନ କରିବା ପରେ ଜଣେ ସ୍ଥପତିଙ୍କୁ ସେହି ସ୍ଥାନକୁ ପଠାଯାଇ ଏହି ସ୍ମାରକୀଗୃହର ସଂରକ୍ଷଣ ଲାଗି ସରକାରଙ୍କ ପକ୍ଷରୁ ନକ୍ସା ପ୍ରସ୍ତୁତ କରାଯାଉଛି । ରାଜ୍ୟ ସରକାର ବାଜିରାଉତ ଛାତ୍ରାବାସ ପ୍ରତି ଆଗ୍ରହ ପ୍ରକାଶ କରୁଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ସାଂସଦପାଣ୍ଠିରୁ ଏହି ଅନୁଷ୍ଠାନ ପାଇଁ ପର୍ଯ୍ୟାପ୍ତ ଅର୍ଥ ବରାଦ କରୁଛନ୍ତି ।

ତେବେ ଇତି ମଧ୍ୟରେ ମାଳତୀ ଦେବୀ-ନବକୃଷ୍ଣ ଚୌଧୁରୀ ଟ୍ରଷ୍ଟ ପକ୍ଷରୁ ଆଜି ଠାରୁ ଏହି ଘରର ଛପର ଓ ମରାମତି କାମ ଆରମ୍ଭ ହୋଇଛି । ଏଥିପାଇଁ ପ୍ରଥମେ ଚାଳଘର ଉପରୁ କଳା ଜରି ହଟାଯିବା ସହ ପୁରୁଣା ନଡା କଢାଯାଇ ନୂଆ ନଡାରେ ଛପର କାମ ଆରମ୍ଭ ହୋଇଛି । ଟ୍ରଷ୍ଟର ସମ୍ପାଦକ ଶିବରାମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବନ୍ତଳା ଗାଁରୁ ଆସିଥିବା କୁଶଳୀ ବ୍ୟକ୍ତିମାନେ ଏହି କାମରେ ଲାଗିଛନ୍ତି । ଦୁଇ ତିନିଦିନ ମଧ୍ୟରେ ଚାଳର ମରାମତି ଓ ଛପର କାମ ସରିବ ବୋଲି ଟ୍ରଷ୍ଟର ସଦସ୍ୟମାନେ ଆଶାବ୍ୟକ୍ତ କରୁଛନ୍ତି । ଚୌଧୁରୀ ଦମ୍ପତ୍ତିଙ୍କ ସୁପୁତ୍ରୀ କ୍ରିଷ୍ଣା ମହାନ୍ତି ଘର ଛପର ଚାଲିଥିବାବେଳେ ଘଟଣାସ୍ଥଳରେ ପହଞ୍ଚି ସନ୍ତୋଷ ବ୍ୟକ୍ତ କରିଛନ୍ତି । (ତଥ୍ୟ)