Home Excise ଛଅ ମାସରେ ୩୦ହଜାର ଅବକାରୀ ମାମଲା

ଛଅ ମାସରେ ୩୦ହଜାର ଅବକାରୀ ମାମଲା

ଭୁବନେଶ୍ୱର : ଅବକାରୀ ବିଭାଗର ଜୋରଦାର ଧରପଗଡ ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅମାସରେ ୩୦ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବାବେଳେ ୨୪ହଜାରରୁ ଅଧିକ ବ୍ୟକ୍ତି ବେଆଇନ୍‍ ନିଶା କାରବାର ଅଭିଯୋଗରେ ଗିରଫ ହୋଇଛନ୍ତି । ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହ ଆଜି କରିଥିବା ସମୀକ୍ଷାରୁ ଏହି ସୂଚନା ମିଳିଛି ।

ଅବକାରୀ କମିଶନର କରିଥିବା ସମୀକ୍ଷାରୁ ଜଣାଯାଇଛି ଯେ ଗତ ଛଅ ମାସ ଅର୍ଥାତ୍‍ ଏପ୍ରିଲ୍‍ରୁ ସେପ୍ଟେମ୍ବର ମାସ ମଧ୍ୟରେ ୨୯,୩୦୧ଟି ଅବକାରୀ ମାମଲା ରୁଜୁ ହୋଇଥିବାବେଳେ ୯୩୬ଟି ଏନ୍‍ଡିପିଏସ୍‍ ମାମଲା ରୁଜୁ ହୋଇଛି । ଅବକାରୀ ମାମଲା ସଂଖ୍ୟା ଗତ ଆର୍ଥିକବର୍ଷର ପ୍ରଥମ ୬ମାସ ତୁଳନାରେ ୬୧ ପ୍ରତିଶତ ଅଧିକ ରହିଥିବାବେଳେ ରୁଜୁ ଏନ୍‍ଡିପିଏସ୍‍ ମାମଲା ସଂଖ୍ୟା ୧୯୭ ପ୍ରତିଶତ ଅଧିକ ରହିଛି । ସେହିଭଳି ଏହି ଛଅମାସ ମଧ୍ୟରେ ଅବକାରୀ ମାମଲାରେ ୨୩,୫୫୩ ଜଣ ଗିରଫ ହୋଇଥିବାବେଳେ ଏନ୍‍ଡିପିଏସ୍‍ ମାମଲାରେ ୧୦୮୦ ଜଣ ଗିରଫ ହୋଇଛନ୍ତି ।

ସମୀକ୍ଷାରୁ ଜଣାଯାଇଛି ଯେ ଏହି ଛଅମାସ ମଧ୍ୟରେ ଅବକାରୀ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଜରିଆରେ ୯ଲକ୍ଷ ଲିଟରରୁ ଅଧିକ କାରଖାନା ତିଆରି ଦେଶୀ ମଦ, ପାଖାପାଖି ଏକ କୋଟି ଲିଟର ମଦ ତିଆରି ସାମଗ୍ରୀ, ୭୮୫୪ ଲିଟର ଦେଶୀ ମଦ, ୭୪୫୪ କିଲୋ ଭାଙ୍ଗ, ୧୮,୭୪୯ କିଲୋ ମହୁଲ ଫୁଲ, ୩୮୬ ଲିଟର ଟିକସ ଫାଙ୍କି ବିଦେଶୀ ମଦ ସହିତ ୧୪୮୧ ଟି ମୋଟରଗାଡି ଜବତ ହୋଇଛି ।

ତେବେ ଅବକାରୀ ବିଭାଗକୁ ଏହି ଛଅ ମାସ ସମୟ ମଧ୍ୟରେ ଏନ୍‍ଡିପିଏସ୍‍ ଚଢଉ ଓ ଜବତ କ୍ଷେତ୍ରରେ ବଡ ସଫଳତା ମିଳିଛି । ଗତ ଆର୍ଥିକ ବର୍ଷର ପ୍ରଥମ ଛଅମାସରେ ମାତ୍ର ୩୧୫ଟି ଏନ୍‍ଡିପିଏସ୍‍ ମାମଲା ରୁଜୁ ହୋଇଥିବାବେଳେ ଚଳିତବର୍ଷ ଏହା ୯୩୬ ହୋଇଛି ଯାହାକି ୧୯୭ ପ୍ରତିଶତ ଅଧିକ । ସେହିଭଳି ଗିରଫଦାରୀ କ୍ଷେତ୍ରରେ ମଧ୍ୟ ୧୮୫ ପ୍ରତିଶତ ଅଧିକ ସଫଳତା ମିଳିଛି । ଗତବର୍ଷ ଏହି ସମୟରେ ୩୭୯ଜଣ ଗିରଫ ହୋଇଥିବାବେଳେ ଚଳିତବର୍ଷ ଏହା ୧୦୮୦ ହୋଇଛି । ତେବେ ଏହି ଛଅମାସ ସମୟ ମଧ୍ୟରେ ଅବକାରୀ ଅଧିକାରୀମାନେ ୨୫,୫୦୧ କିଲୋ ଗଞ୍ଜେଇ, ୧୪,୩୧୧ ଗ୍ରାମ ବ୍ରାଉନସୁଗାର, ୫୩୦ ଲିଟର କଫସିରପ ଜବତ କରିଛନ୍ତି ।

ଜବତ ହୋଇଥିବା ଏନ୍‍ଡିପିଏସ୍‍ ସାମଗ୍ରୀଗୁଡିକ ଗତବର୍ଷ ତୁଳନାରେ ଢେର ଅଧିକ ରହିଥିବାବେଳେ ଏହାର ହାରାହାରି ମୂଲ୍ୟ ୧୦୯ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଗତବର୍ଷ ଏହି ସମୟରେ ମାତ୍ର ୪୮.୮୧ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଥିଲା ।

ସମୀକ୍ଷାରୁ ଜଣାଯଇଛି ଯେ କେବଳ ସେପ୍ଟେମ୍ବର ମାସରେ ବ୍ରହ୍ମପୁର ଅବକାରୀ ୟୁନିଟ୍‍ରେ ୧୯ଟି ମାମଲା ରୁଜୁ ହୋଇଥିବାବେଳେ ସମ୍ବଲପୁରରେ ୧୨ଟି ଏବଂ ମାମଲାକାନଗିରି ଜିଲ୍ଲାରେ ୧୧ଟି ମାମଲା ରୁଜୁ ହୋଇଛି । ସେହଭଳି କୋରାପୁଟ ଜିଲ୍ଲାରେ ସେପ୍ଟେମ୍ବର ମାସରେ ୯୧୭ କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ ବ୍ରହ୍ମପୁରରେ ୭୨୦, କଳାହାଣ୍ଡିରେ ୩୯୩ କିଲୋ ଗଞ୍ଜେଇ ଜବତ ହୋଇଛି ।

ଏହି ସମୟରେ କଟକ ଅବକାରୀ ବିଭାଗ ୭୪୮ ଗ୍ରାମ ହିରୋଇନ୍‍ ଜବତ କରିଥିବାବେଳେ ରାଜ୍ୟସ୍ତରୀୟ ଫ୍ଲାଇଙ୍ଗସ୍କ୍ୱାଡ୍‍ ୬୯୨ ଗ୍ରାମ ଏବଂ ଜଗତସିଂହପୁରରୁ ୬୭୯ ଗ୍ରାମ ହିରୋଇନ୍‍ ଜବତ ହୋଇଛି । ରାଉରକେଲା ଅବକାରୀ ଅଧିକାରୀମାନେ ୯୭୯ ଲିଟର ନକଲି ବିଦେଶୀ ମଦ ଜବତ କରିଥିାବବେଳେ ବ୍ରହ୍ମପୁରରେ ୩୮୧ ଲିଟର ଏବଂ କେନ୍ଦୁଝରରେ ୧୧୦ ଲିଟର ନକଲି ବିଦେଶୀ ମଦ ଜବତ ହୋଇଛି । ଅବକାରୀ ଅଧିକାରୀମାନଙ୍କର ଏଭଳି ସଫଳତାକୁ କମିଶନର ଶ୍ରୀ ସିଂହ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । (ତଥ୍ୟ)