Home Infrastructure ଚୂଡାନ୍ତ ପର୍ଯ୍ୟାୟରେ ଆଇଏସବିଟି

ଚୂଡାନ୍ତ ପର୍ଯ୍ୟାୟରେ ଆଇଏସବିଟି

ଭୁବନେଶ୍ୱର: ୫ଟି ଓ ନବିନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ବରମୁଣ୍ଡାସ୍ଥିତ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ (ଆଇଏସବିଟି)କୁ ଆଜି ସକାଳେ ପରିଦର୍ଶନ କରିଥିଲେ।

ତାଙ୍କ ଗସ୍ତର ଉଦ୍ଦେଶ୍ୟ ଥିଲା ଏହି ସୁବିଧାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଚାଲିଥିବା ବିଭିନ୍ନ କାର୍ଯ୍ୟକଳାପର ଅଗ୍ରଗତିର ଆକଳନ କରିବା  । ଆଇଏସବିଟି କେବଳ ଓଡିଶାବାସୀଙ୍କ ପାଇଁ ନୁହେଁ ବରଂ ପଡ଼ୋଶୀ ରାଜ୍ୟର ବାସିନ୍ଦାଙ୍କ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଟ୍ରାଞ୍ଜିଟ୍ ହବ୍ ରେ ପରିଣତ ହେବାକୁ ଯାଉଛି ।

ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ସୁବିଧା ଯଥା ପ୍ରତୀକ୍ଷା ସ୍ଥଳ, ପରିମଳ ସୁବିଧା, ବସ୍ ବେ, ଆଗାମୀ ଏଫ୍ ଆଣ୍ଡବି ଆଉଟଲେଟ୍, ଆଲୋକ ପ୍ରତିଷ୍ଠାନ ଓ ବିଶ୍ରାମ ଗୃହ ସୁବିଧା ର ସମୀକ୍ଷା କରିଥିଲେ।

ସମୀକ୍ଷା ସମୟରେ ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ଥିଲେ।

ସେ ଅପରେସନ କଣ୍ଟ୍ରୋଲ ସେଣ୍ଟରକୁ ପ୍ରଶଂସା କରିବା ସହ ଓସିସିକୁ ପରିଚାଳନା କରିବା ପାଇଁ ବୈଷୟିକ ଜ୍ଞାନ ଓ ସମ୍ପୃକ୍ତ ନେତୃତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।

ଯାତ୍ରୀମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ଉପଯୁକ୍ତ ଓଡିଆ ସଙ୍କେତ ଓ ମାନଚିତ୍ର  ସୁବିଧା ର ବ୍ୟବସ୍ଥା କରିବାକୁ ଶ୍ରୀ ପାଣ୍ଡିଆନ ଅଧିକାରୀମାନଙ୍କୁ  ନିର୍ଦ୍ଦେଶ ଦେଇଥିଲେ । ଅବଶିଷ୍ଟ କାର୍ଯ୍ୟକୁ  ତ୍ୱରାନ୍ୱିତ କରିବା ଏବଂ ଫେବୃଆରୀ ୨୪ ମଧ୍ୟଭାଗ ସୁଦ୍ଧା ଏହାକୁ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ପ୍ରସ୍ତୁତ କରିବାକୁ ସେ ବିଡିଏ ଟିମକୁ କହିଛନ୍ତି।

ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ନେତୃତ୍ବରେ ୧୫.୫ ଏକର ପରିମିତ ଏହି ଆଇଏସ୍ ବିଟି ବରମୁଣ୍ଡା ପ୍ରକଳ୍ପରେ ଯାତ୍ରୀ ସୁବିଧା, ଅଫିସ୍ ସ୍ଥାନ, ପାର୍କିଂ ସୁବିଧା, ଫୁଡ୍ କୋର୍ଟ, ରେଷ୍ଟୁରାଣ୍ଟ ଓ ବାଣିଜ୍ୟିକ ଅଞ୍ଚଳରେ ସୁବିଧା ଉପଲବ୍ଧ ହେବ।

ଅନୁଭବ ଏବଂ ଅନୁଭୂତି ଏକ ବିମାନ ବନ୍ଦର ଭଳି ହେବ । ଆଇଏସବିଟି ବରମୁଣ୍ଡାରେ ପ୍ରିପେଡ ଅଟୋ ଏବଂ ଟ୍ୟାକ୍ସି ସୁବିଧା ମଧ୍ୟ ରହିବ ।

ବରମୁଣ୍ଡା ଆଇଏସବିଟି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯାହା ଏକ ଆଧୁନିକ ଏବଂ ଦକ୍ଷ ପରିବହନ କେନ୍ଦ୍ର ପ୍ରଦାନ କରି ଓଡ଼ିଶାବାସୀଙ୍କୁ ଉପକୃତ କରିବ ।

ଯାତ୍ରୀମାନଙ୍କ ର ଆବଶ୍ୟକତା ପୂରଣ କରିବା ଏବଂ ସେମାନଙ୍କୁ ଏକ ଆରାମଦାୟକ ଏବଂ ସୁବିଧାଜନକ ଅନୁଭୂତି ପ୍ରଦାନ କରିବା ପାଇଁ ଏହି ଟର୍ମିନାଲ ଡିଜାଇନ୍ କରାଯାଇଛି ।

ଏହି ଟର୍ମିନାଲ ଯାତ୍ରୀମାନଙ୍କୁ ଏକ ବିଶ୍ୱସ୍ତରୀୟ ଯାତ୍ରା ଅନୁଭୂତି ପ୍ରଦାନ କରିବ ଏବଂ ଅତ୍ୟାଧୁନିକ ଆହାର କେନ୍ଦ୍ର, ରେଷ୍ଟୁରାଣ୍ଟ, ମଲ୍ଟିଷ୍ଟୋରୀଡ୍ କାର୍ ପାର୍କିଂ, ପିକ୍ ଅପ୍ / ଡ୍ରପ୍ ଅଫ୍ ସୁବିଧା, ସୋଲାର ପ୍ୟାନେଲ ସିଷ୍ଟମ ଏବଂ ସ୍ୱେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ଭଳି ଆଧୁନିକ ସୁବିଧା ରେ ସଜ୍ଜିତ ହେବ ।

ଏଥିରେ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୋଲିସ ସୁବିଧା କେନ୍ଦ୍ର, ଟର୍ମିନାଲ ପରିଚାଳନା ପାଇଁ ପ୍ରଶାସନିକ କୋଠା, ଯାତ୍ରୀଙ୍କ ପାଇଁ ଶୌଚାଳୟ ସୁବିଧା, ଭିନ୍ନକ୍ଷମ ଯାତ୍ରୀଙ୍କ ସୁବିଧା ପାଇଁ ଚଳାପଥ ସୁବିଧା ଏବଂ ଶିଶୁଙ୍କ ସହ ଯାତ୍ରା କରୁଥିବା ମାମାନଙ୍କ ପାଇଁ ବେବି ଫିଡିଂ ରୁମ୍ ର ବ୍ୟବସ୍ଥା ରହିଛି।

ଏହାବ୍ୟତୀତ ପିଲାଙ୍କ ଖେଳ ପଡ଼ିଆ, ପ୍ରାଥମିକ ସ୍ୱାସ୍ଥ୍ୟ କ୍ଲିନିକ୍ ଏବଂ ଋତୁକାଳୀନ ବସ୍ ପାଇଁ ଅତିରିକ୍ତ ପାର୍କିଂ ବ୍ୟବସ୍ଥା ରହିବ।