ଭୁବନେଶ୍ୱର : ହାଇସ୍କୁଲ ସ୍ତରରେ ଛାତ୍ରଛାତ୍ରୀମାନେ ଅଧାରୁ ପାଠ ଛାଡିବା ଏବେ ସରକାରଙ୍କ ପାଇଁ ବଡ ଆହ୍ୱାନ ହୋଇଛି । ପଶ୍ଚିମଓଡିଶାର ବିଭିନ୍ନ ଜିଲ୍ଲା ସମେତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏହି ହାର ଅଧିକ ରହୁଥିବାବେଳେ ରାଜ୍ୟରେ ହାଇସ୍କୁଲ ସ୍ତରରେ ହାରାହାରି ୧୫ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡୁଥିବା ଜଣାଯାଇଛି ।
୨୦୨୪-୨୫ ବର୍ଷରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂକ୍ରାନ୍ତରେ ହୋଇଥିବା ଅନୁଧ୍ୟାନରୁ ଜଣାଯାଇଛି ଯେ ହାଇସ୍କୁଲ ସ୍ତରରେ ୧୭ ପ୍ରତିଶତରୁ ଅଧିକ ପୁଅପିଲା ପାଠ ଛାଡୁଥିବାବେଳେ ଝିଅଙ୍କ ହାର ୧୨ ପ୍ରତିଶତରୁ ଅଧିକ ରହିଛି । ନବରଙ୍ଗପୁର ଜିଲ୍ଲାରେ ହାରାହାରି ୩୦ ପ୍ରତିଶତ ଛାତ୍ର ଅଧାର ପାଠ ଛାଡୁଥିବାବେଳେ ଛାତ୍ରୀଙ୍କ ହାର ୨୯ ପ୍ରତିଶତ ରହିଛି । ବୌଦରେ ହାରାହାରି ୨୩.୮ ପ୍ରତିଶତ ଛାତ୍ରଛାତ୍ରୀ ଅଧାରୁ ପାଠ ଚାଡୁଥିବାବେଳେ ଅନୁଗୁଳ, ଭଦ୍ରକ, ଗଜପତି, ଝାରସୁଗୁଡା, କେନ୍ଦୁଝର, ମାଲକାନଗିରି, ନୂଆପଡା, ରାୟଗଡା ଆଦି ଜିଲ୍ଲାରେ ଏହା ୨୦ ପ୍ରତିଶତ ଉପରେ ରହିଛି । ଖୋରଧା ଜିଲ୍ଲାରେ ଏହି ହାର ଶୂନ ଥିବାବେଳେ ସମ୍ବଲପୁରରେ ଏହା ସର୍ବନିମ୍ନ ୫.୫ ପ୍ରତିଶତ ରେକର୍ଡ କରାଯାଇଛି ।
ତେବେ ପ୍ରାଥମିକ ସ୍ତରରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ଏକ ପ୍ରତିଶତ ତଳେ ରହିଥିବାବେଳେ ଉଚ୍ଚପ୍ରାଥମିକ ସ୍ତରରେ ଏହା ୩ ପ୍ରତିଶତରୁ ସାମାନ୍ୟ ଅଧିକ ରହିଛି । ଏଠାରେ ମଧ୍ୟ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ପଶ୍ଚିମଓଡିଶା ଓ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଅଧିକ ପରିଲକ୍ଷିତ ହେଉଛି ।
ପଶ୍ଚିମ ଓଡିଶାରେ ଅଧିକ ସଂଖ୍ୟାରେ ଲୋକେ ରୋଜଗାର ପାଇଁ ପ୍ରବାସରେ ଯାଉଥିବାରୁ ସାଙ୍ଗରେ ନିଜ ନିଜ ପିଲାଙ୍କୁ ନେଇ ଯାଉଛନ୍ତି । ଏହା ଫଳରେ ଅନେକ ଛୋଟ ଛୋଟ ପିଲାଙ୍କ ପାଠପଢାରେ ଏଠାରେ ଡୋରି ବନ୍ଧା ହେଉଛି । ସେହିଭଳି କାମଧନ୍ଦା ଯୋଗାଉଥିବା ଠିକାଦାରମାନେ ମଧ୍ୟ ହାଇସ୍କୁଲ ସ୍ତରର ଛାତ୍ରମାନଙ୍କୁ ନିଜ ଜାଲରେ ପକାଉଥିବାରୁ ବହୁ ପିଲା ରୋଜଗାର ଆଶାରେ ମାଟ୍ରିକ ପରୀକ୍ଷା ପୂର୍ବରୁ ପାଠପଢା ଛାଡି ଦେଉଛନ୍ତି । ଚଳିତବର୍ଷ ମାଟ୍ରିକ ପରୀକ୍ଷାପାଇଁ ଫର୍ମ ପୂରଣ କରିଥିବା ବହୁ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିନଥିବା ଦେଖିବାକୁ ମିଳିଛି । ଯଦିଓ ଏମାନଙ୍କୁ ପୁଣିଥରେ ବିଦ୍ୟାଳୟକୁ ଫେରାଇ ଆଣିବାପାଇଁ ସରକାର ଉଦ୍ୟମ କରୁଛନ୍ତି, କିନ୍ତୁ ରାଜ୍ୟ ବାହାରକୁ ଚାଲି ଯାଉଥିବା ପିଲାଙ୍କୁ ଫେରାଇ ଆଣିବା ଏତେଟା ସହଜ ହେଉନାହିଁ ।
ରାଜ୍ୟର ସମସ୍ତ ପିଲା ଯେଭଳି ବିଦ୍ୟାଳୟକୁ ଆସି ପାଠ ପଢିବେ ସେଥିପାଇଁ ବିଦ୍ୟାଳୟ ପ୍ରବେଶ ଉତ୍ସବ ଆୟୋଜନ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ପୁସ୍ତକ, ପୋଷାକ, ମଧ୍ୟାହ୍ନଭୋଜନ, ସାଇକେଲ ଆଦି ଯୋଗାଇ ଦେଉଛନ୍ତି । ଇତି ମଧ୍ୟରେ ହାଇସ୍କୁଲ ସ୍ତର ବିଶେଷକରି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନଭୋଜନ ଯୋଜନାରେ ସାମିଲ କରାଯାଇଛି । ଏସ୍ସି, ଏସ୍ଟି ଛାତ୍ରଛାତ୍ରୀମାନେ ନିୟମିତ ଭାବେ ଛାତ୍ରବୃତ୍ତି ପାଉଛନ୍ତି । ଏତେ ସବୁ ସତ୍ୱେ ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷା ଦେବା ପୂର୍ବରୁ ପାଠପଢାରେ ଡୋରି ବାନ୍ଧିବା ଏବେ ସରକାର ଓ ଶିକ୍ଷାବିତ୍ମାନଙ୍କୁ ଚିନ୍ତାରେ ପକାଇଛି । (ତଥ୍ୟ)

