ଭୁବନେଶ୍ୱର : ବିଭିନ୍ନ ଅପରାଧିକ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ଢେର କମ୍ ରହିବା ଘଟଣା ପୁଣିଥରେ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନ୍ସିଆରବି) ରିପୋର୍ଟରେ ପ୍ରକାଶ ପାଇବାପରେ ଆଇନ୍ ଓ ଗୃହ ବିଭାଗର ଚିନ୍ତା ବଢିଯାଇଛି । ମାମଲାର ତ୍ୱରିତ ଫଏସଲା ସହ ଦଣ୍ଡବିଧାନ ହାର ଯେଭଳି ଅଧିକ ରହିବ ସେଥିଘେନି ସରକାରୀ ସ୍ତରରେ ବାରମ୍ବାର ବୈଠକ କରାଯାଇ ନିର୍ଦ୍ଦେଶ ଦିଆଯାଉଥିବାବେଳେ ଜାତୀୟ ସ୍ତରରେ ଏ କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ଦୁର୍ବଳ ରହିବା ଉଦ୍ବେଗ ସୃଷ୍ଟି କରିଛି ।
କେବଳ ସେତିକି ନୁହେଁ ମାମଲା ଫଏସଲା କ୍ଷେତ୍ରରେ ମଧ୍ୟ ଆମ ରାଜ୍ୟର ପ୍ରଦର୍ଶନ ସେତେ ଭଲ ନୁହେଁ । ବିଚାର ପ୍ରତୀକ୍ଷାରେ ଥିବା ଅଧିକାଂଶ ଅପରାଧିକ ମାମଲାର ୧୦ ପ୍ରତିଶତ ମଧ୍ୟ ଗୋଟିଏ ଗୋଟିଏ ବର୍ଷରେ ଶେଷ ହୋଇପାରୁନାହିଁ । ବିଧାନସଭାରେ ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ରାଜ୍ୟର ବିଭିନ୍ନ ଆଇନ୍ ଅଦାଲତରେ ପ୍ରାୟ ୧୭ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ରହିଛି, ଯେଉଁଥିରୁ ପାଖାପାଖି ୧୧ଲକ୍ଷ ହେଉଛି ଅପରାଧିକ ମାମଲା । ଏହି ଅପରାଧିକ ମାମଲାଗୁଡିକ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ୫ବର୍ଷରୁ ଅଧିକ ସମୟ ଧରି ଗଡୁଛି ଏମିତିକି କେତେକ କ୍ଷେତ୍ରରେ ମଧ୍ୟ ଏଭଳି ଅପରାଧିକ ମାମଲାର ବିଚାର ୩୦ବର୍ଷରୁ ଅଧିକ ସମୟ ଧରି ସରୁନାହିଁ ।
ଅବସରପ୍ରାପ୍ତ ବିଚାରପତି, ପୂର୍ବତନ ପୁଲିସ୍ ଅଧିକାରୀ ଓ ବରିଷ୍ଠ ଆଇନ୍ଜୀବୀମାନଙ୍କ ମତରେ ବର୍ଷ ବର୍ଷ ଧରି ଅପରାଧିକ ମାମଲା ସବୁ ଗଡିବା ଫଳରେ ସାକ୍ଷ୍ୟ ପ୍ରମାଣ ବହୁ କ୍ଷେତ୍ରରେ ଦୁର୍ବଳ ହୋଇଯାଉଛି । ଅପରାଧିମାନେ ଭୟଭୀତ କରି କିମ୍ବା ପ୍ରଲୋଭନ ଦେଖାଇ ପୀଡିତ ଓ ସାକ୍ଷୀମାନଙ୍କୁ ପ୍ରଭାବିତ କରୁଛନ୍ତି । ଏହାଛଡା ମାମଲାର ତଦନ୍ତକାରୀ ଅଧିକାରୀମାନେ ବହୁ କ୍ଷେତ୍ରରେ ଅବସରଗ୍ରହଣ କରୁଥିବା କିମ୍ବା ପଦୋନ୍ନତି ପାଇ ଦୂର ଦୂରାନ୍ତ ଜିଲ୍ଲାକୁ ଯିବା ଫଳରେ ସେମାନେ ଅଦାଲତରେ ହାଜର ହେବା ମୁସ୍କିଲ ହୋଇପଡୁଛି । ଆଉ କେତେକ କ୍ଷେତ୍ରରେ ଅଭିଯୁକ୍ତ, ପୀଡିତ, ସାକ୍ଷୀ ଓ ତଦନ୍ତକାରୀ ଅଧିକାରୀଙ୍କ ମୃତ୍ୟୁ ଘଟିବା କିମ୍ବା ବୟସାଧିକ କାରଣ ଯୋଗୁଁ ସେମାନେ କୋର୍ଟ କଚେରୀକୁ ଆସିବା କଷ୍ଟକର ବ୍ୟାପାର ହୋଇପଡୁଥିବାରୁ ମାମଲା ଦୁର୍ବଳ ହେଉଛି ।
ଏହାଛଡା ଅଭିଯୋଗଫର୍ଦ୍ଦ ଦାଖଲରେ ବିଳମ୍ବ, ତଦନ୍ତକାରୀ ଅଧିକାରୀମାନେ ଅଧିକ ସମୟ ଥାନା ଫାଣ୍ଡିରେ ଆଇନ୍ଶୃଙ୍ଖଳା ରକ୍ଷା ଓ ଭିଭିଆଇମାନଙ୍କ ଗସ୍ତ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ସେମାନେ ଅଭିଯୋଗଫର୍ଦ୍ଦ ପ୍ରସ୍ତୁତ ପାଇଁ ପର୍ଯ୍ୟାପ୍ତ ସମୟ ପାଉନାହାନ୍ତି । ଏଭଳି ସ୍ଥିତିରେ କେତେକ କ୍ଷେତ୍ରରେ ତଦନ୍ତକାରୀ ଅଧିକାରୀଙ୍କ ପାଇଁ କିଛି ଅବସରପ୍ରାପ୍ତ କର୍ମଚାରୀ ଚାର୍ଜସିଟ୍ ତିଆରି କରୁଥିବା ଏକ ପ୍ରଥାରେ ପଡିଗଲାଣି । ଅପରାଧ ନିୟନ୍ତ୍ରଣ ଓ ଆଇନ୍ଶୃଙ୍ଖଳା ରକ୍ଷା ପାଇଁ ପୃଥକ ପୃଥକ ପୁଲିସ୍ ଅଧିକାରୀ ଥାନା ଫାଣ୍ଡିରେ ନିଯୁକ୍ତି ଲାଗି ବହୁ ବର୍ଷରୁ ସୁପାରିଶ୍ ଗଡି ଆସୁଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ ।
୨୦୧୧ ମସିହାରେ ରାଜ୍ୟ ସରକାର କେନ୍ଦ୍ରୀୟ ଢାଞ୍ଚାରେ ଓଡିଶା ମାମଲା ନୀତି ପ୍ରଣୟନ କରିଥିଲେ ଏବଂ ଏହାର କାର୍ଯ୍ୟକାରିତା ପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ ଯେଉଁସବୁ କମିଟିମାନ ରହିଛି ତାହା ବର୍ଷ ବର୍ଷ ଧରି କାର୍ଯ୍ୟ କରୁନାହିଁ । ମାମଲା ନୀତିର ପ୍ରମୁଖ ଉଦ୍ଦେଶ୍ୟ ଥିଲା ଅଦାଲତ ଉପରୁ ମାମଲା ବୋଝ ହ୍ରାସ କରିବା । କିନ୍ତୁ ଗତ ୧୧ବର୍ଷ ମଧ୍ୟରେ ମାମଲା ସଂଖ୍ୟା କମିବା ପରିବର୍ତ୍ତେ ହୁ ହୁ ହୋଇ ବଢିଚାଲିଛି ।
ଏହା ଆଇନ୍ଶୃଙ୍ଖଳା ବ୍ୟବସ୍ଥା ପାଇଁ ବଡ ଆହ୍ୱାନ ହୋଇଥିବାବେଳେ ଅପରାଧି ଓ ନିଶାଡିମାନେ ଅନେକ ସ୍ଥଳରେ ଦୌରାତ୍ମ୍ୟ ଘଟାଉଥିବାରୁ ସାଧାରଣ ଲୋକଙ୍କ ଧନଜୀବନ ବିପନ୍ନ ହୋଇପଡୁଛି । ଜନସଂଖ୍ୟା ଅନୁପାତରେ ଯେତେ ପୁଲିସ୍ ନିଯୁକ୍ତ ହେବାକଥା ତାହା ହୋଇପାରୁନଥିବାବେଳେ ମାମଲା ସଂଖ୍ୟା ବୃଦ୍ଧିକୁ ଦେଖି ଅଦାଲତ ସଂଖ୍ୟା ବଢାଇ ଏ ବାବଦରେ ରାଜକୋଷ ଉପରେ ଚାପା ବଢାଯାଉଥିଲେ ମଧ୍ୟ ତଳୁ ଉପର ପର୍ଯ୍ୟନ୍ତ ଅଭିଯୋଗଗୁଡିକର ତ୍ୱରିତ ଫଏସଲା ନହେବା ଏହି ସମସ୍ୟା ମୁଖ୍ୟ କାରଣ ବୋଲି କୁହାଯାଉଛି । (ତଥ୍ୟ)