କଟକ : ଜମା ଅର୍ଥ ଫେରିପାଇବା ଆଶାରେ ବାରଦ୍ୱାର ଶୁଣ୍ଢିପିଣ୍ଡା ହୋଇ ଅନେକ ଚିଟ୍ଫଣ୍ଡ ଜମାକାରୀଙ୍କ ଇତିମଧ୍ୟରେ ମୃତ୍ୟୁ ହୋଇ ସାରିଥିଲେ ବି ସୁଧ ତ ଦୂରର କଥା ବହୁ ଜମାକାରୀ ମୂଳଅର୍ଥ ମଧ୍ୟ ଫେରସ୍ତ ପାଇପାରିନାହାଁନ୍ତି ।
ଅର୍ଥନୈତିକ ଅପରାଧ ଶାଖା, କ୍ରାଇମ୍ବ୍ରାଞ୍ଚ, ଓଡ଼ିଶା ପୁଲିସ ସମେତ ସିବିଆଇ ଭଳି ସଂସ୍ଥା ଚିଟ୍ଫଣ୍ଡ କେଳେଙ୍କାରୀର ତଦନ୍ତ ପ୍ରାୟ ୧୩ବର୍ଷ ଧରି ଚଳାଇଥିଲେ ବି ଖୁବ୍କମ୍ ମାମଲାର ସମାପ୍ତି ଘଟିଛି । ସଂଖ୍ୟାଧିକ ମାମଲା ଏବେବି ଅଦାଲତରେ ଗଡୁଛି । କେବଳ ସେତିକି ନୁହେଁ ଚିଟ୍ଫଣ୍ଡ କେଳେଙ୍କାରୀର ତଦନ୍ତ ଲାଗି ରାଜ୍ୟ ସରକାର ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଶନ ବସାଇ କୋଟି କୋଟି ଟଙ୍କା ବ୍ୟୟ କରିଥିବାବେଳେ କମିଶନ ଚାରୋଟି ଅନ୍ତରୀଣ ରିପୋର୍ଟ ଦେବାପରେ ଏହି ସଂସ୍ଥାକୁ ବି ବନ୍ଦ କରିଦିଆଯାଇଛି । ଏ ପରିପ୍ରେକ୍ଷୀରେ ସମସ୍ତ ଜମାକାରୀ କେବେ ସୁଦ୍ଧା ଅର୍ଥ ଫେରସ୍ତ ପାଇବେ ତାହା ନିର୍ଦ୍ଦିଷ୍ଟ ଭାବେ କେହି କହିପାରୁନାହାଁନ୍ତି ।
୨୦୧୦ ମସିହାରୁ ଏଯାବତ୍ ପ୍ରାୟ ୩ଶହ ଚିଟ୍ଫଣ୍ଡ ସଂସ୍ଥା ବିରୋଧରେ ପାଖାପାଖି ୭ଶହ ଫୌଜଦାରୀ ମାମଲା ରାଜ୍ୟ ସରକାରଙ୍କ ଅର୍ଥନୈଦିକ ଅପରାଧ ଶାଖା, କ୍ରାଇମ୍ବ୍ରାଞ୍ଚ, କମିଶନରେଟ୍ ପୁଲିସ ଏବଂ ବିଭିନ୍ନ ଜିଲ୍ଲାର ଥାନାରେ ରୁଜୁ ହୋଇଛି । ସୁପ୍ରିମ୍କୋର୍ଟଙ୍କ ହସ୍ତକ୍ଷେପ ପରେ ଏଥିରୁ କେତେକ ସଂସ୍ଥା ବିରୁଦ୍ଧରେ ହୋଇଥିବା ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଇଛି । ଏଥିଲାଗି ସିବିଆଇ ଭୁବନେଶ୍ୱରରେ ସ୍ୱତନ୍ତ୍ର ଦପ୍ତର ଖୋଲିବା ପାଇଁ ରାଜ୍ୟ ସରକାର ସରକାରୀ କ୍ୱାର୍ଟର୍ସ ସମେତ ଅନ୍ୟ ଭିତ୍ତିଭୂମିର ବ୍ୟବସ୍ଥା କରିଛନ୍ତି ।
ବିଭିନ୍ନ ବେଆଇନ ଆର୍ôଥକ ଠକେଇ ମାମଲାରେ ପ୍ରାୟ ହଜାରେ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଜାମିରେ ଆସିଛନ୍ତି । ରାଜ୍ୟ ସରକାର ଚିଟ୍ଫଣ୍ଡ ଠକେଇର ଗମ୍ଭୀରତା ପରିପ୍ରେକ୍ଷୀରେ ଓଡ଼ିଶା ଜମାକାରୀଙ୍କ ସ୍ୱାର୍ଥର ସୁରକ୍ଷା ଅଧିନିୟମ ମଧ୍ୟ ୨୦୧୧ ମସିହାରୁ ପ୍ରଣୟନ କରିଛନ୍ତି । ଏହି ଆଇନ ଆଧାରରେ କେତେ ଗୁଡିଏ ଚିଟ୍ଫଣ୍ଡ ସଂସ୍ଥାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ବାଜ୍ୟାପ୍ତି ଲାଗି ମଧ୍ୟ ପଦକ୍ଷେପ ନିଆଯାଇଛି । ଏହାଛଡା ଚିଟ୍ଫଣ୍ଡ କ୍ଷତିଗ୍ରସ୍ତମାନଙ୍କ ଲାଗି କ୍ଷତିପୂରଣ ପ୍ରଦାନ ପାଇଁ ୨୦୧୪ ମସିହାରେ ଓଡ଼ିଶା ସରକାର ୩ଶହ କୋଟି ଟଙ୍କାର ଏକ କର୍ପସ ଫଣ୍ଡ ବି ସୃଷ୍ଟି କରିଥିଲେ ।
ସୁପ୍ରିମ୍କୋର୍ଟରୁ ଅତିରିକ୍ତ ଜିଲ୍ଲାପାଳ ଓ କ୍ଷମତାସମ୍ପନ୍ନ ଅଧିକାରୀଙ୍କ କୋର୍ଟ ଏବଂ କମିଶନଙ୍କ ଇଜିଲାସ୍ର ଖର୍ଚ୍ଚ ବାବଦରେ ରାଜକୋଷରୁ ୮କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ ହୋଇଥିବା କୁହାଯାଉଛି । କମିଶନଙ୍କ ଅନ୍ତରୀଣ ସୁପାରିସ୍ ଏବଂ ରାଜ୍ୟ ସରକାରଙ୍କ ନିଷ୍ପତି ମୁତାବକ ଜମତ ସମ୍ପତ୍ତିର ନିଲାମ କରାଯାଇ କିଛି ଛୋଟ ଛୋଟ ଜମାକାରୀଙ୍କୁ ସ୍ୱଳ୍ପ ପରିମାଣର ଅର୍ଥ ଫେରସ୍ତ ହୋଇଛି ।
ଏଠାରେ ଉଲ୍ଲେଖନୀୟ ଯେ ବିଭିନ୍ନ ବେଆଇନ ଅର୍ଥଲଗାଣକାରୀ ସଂସ୍ଥା ଉପରେ ଚଢଉ କରାଯାଇ ବହୁ କୋଟି ଟଙ୍କାର ନଗଦ ଅର୍ଥ ପାଖାପାଖି ୨କିଲୋ ଓଜନର ସ୍ୱର୍ଣ୍ଣମୁଦ୍ରା, ୨ କୁଇଣ୍ଟାଲରୁ ଅଧିକ ଓଜନର ରୌପ୍ୟମୁଦ୍ରା ସମେତ ପ୍ରାୟ ୫୦ଟି ମୋଟରଗାଡ଼ି, ପାଖାପାଖି ୨ଶହ ଫ୍ଲାଟ୍ ଓ ହଜାରେ ଏକର ପାଖାପାଖି ଜମି ସମେତ ଫାର୍ମହାଉସ୍, ଚିଟ୍ଫଣ୍ଡ ସଂସ୍ଥା ଗୁଡିକ ଦ୍ୱାରା ପରିଚାଳିତ କେତେକ ଶିଳ୍ପସଂସ୍ତା, ସେମାନଙ୍କ ଦପ୍ତର, ଗୋଦାମ ଓ ଅଫିସ ଘର ପାଖାପାଖି ୩୦୦ କୋଟି ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଥିଲା ।
ଗୋଟିଏ ସମୟରେ ଚିଟ୍ଫଣ୍ଡ କେଳେଙକ୍ାରୀ ଘେନି ସାରାରାଜ୍ୟରେ କମ୍ପନ ସୃଷ୍ଟି ହୋଇଥିଲା । ପଶ୍ଚିମବଙ୍ଗ ସମେତ ଆଉ କେତେକ ରାଜ୍ୟରେ ବି ଲୋକେ ଏହି ବେଆଇନ ଅର୍ଥ କାରବାର କରୁଥିବା ସଂସ୍ଥା ଦ୍ୱାରା ଠକେଇର ଶିକାର ହୋଇଥିଲେ । ଅଭିଯୋଗର ବ୍ୟାପକତା ଓ ଗମ୍ଭୀରତା ଦୃଷ୍ଟିରୁ ସୁପ୍ରିମ୍କୋର୍ଟ ଏ ସଂକ୍ରାନ୍ତୀୟ କେତେକ ନିର୍ଦ୍ଦିଷ୍ଟ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଅର୍ପଣ କରିଥିଲେ । ରାଜ୍ୟ ପୁଲିସ ବି ଅନ୍ୟ ମାମଲା ଗୁଡିକର ଦାୟିତ୍ୱରେ ରହିଛି । ଏସବୁ ସତ୍ତ୍ୱେ ପ୍ରାୟ ୧୩ବର୍ଷ ଧରି ମାମଲା ଗଡୁଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ବିଚାର ସରିନାହଁ । ଏପରିପ୍ରେକ୍ଷୀରେ ଚିଟ୍ଫଣ୍ଡ କେଳେଙ୍କାରୀର ଶିକାର ହୋଇଥିବା ଲୋକେ କେବେ ସୁଦ୍ଧା ସେମାନଙ୍କ ଜମା ଅର୍ଥ ସୁଧ ସହ ଫେରିପାଇବେ ସେଥିଘେନି କାହାପାଖରେ କିଛି ଉତ୍ତର ନାହିଁ । (ତଥ୍ୟ)