Home Agriculture ଚାହିଦାର ୨୫ ପ୍ରତିଶତ ଉତ୍ପାଦନ

ଚାହିଦାର ୨୫ ପ୍ରତିଶତ ଉତ୍ପାଦନ


ଭୁବନେଶ୍ୱର : ରାଜ୍ୟରେ ଯେତିକି ଆଳୁ ଚାହିଦା ରହିଛି ତାହାର ମାତ୍ର ୨୫% ଉତ୍ପାଦନ ହେଉଛି । ଫଳରେ ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଓଡିଶା ଆଳୁ ଆମଦାନୀ କରୁଛି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଆଳୁ ଉତ୍ପାଦନ ସଂକ୍ରାନ୍ତରେ ବିଧାୟକ ନବ ଚରଣ ମାଝିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ରାଜ୍ୟକୁ ସ୍ୱାବଲମ୍ବି କରିବାପାଇଁ ସରକାର ଏକ ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନା ଅନୁଯାୟୀ ରାଜ୍ୟରେ ଆଳୁ ଚାଷ କରିବାପାଇଁ ହେକ୍ଟର ପିଛା ୫୮ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି ।

ମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ବାର୍ଷିକ ୧୩ଲକ୍ଷ ୨୫ହଜାର ମେଟ୍ରିକ ଟନ୍‍ ଆଳୁ ଆବଶ୍ୟକ । ତେବେ ରାଜ୍ୟରେ ଚାହିଦାର ମାତ୍ର ୨୫ ପ୍ରତିଶତ ଆଳୁ ଉତ୍ପାଦିତ ହେଉଛି । ଖାଉଟିମାନଙ୍କର ଆବଶ୍ୟକତା ମେଣ୍ଟାଇବାପାଇଁ ସାଧାରଣତଃ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ କରାଯାଇଥାଏ ।

ଆଳୁ ଉତ୍ପାଦନ ବୃଦ୍ଧି ପାଇଁ ହେକ୍ଟର ପିଛା ୫୮ହଜାର ଟଙ୍କାର ସହାୟତା ବ୍ୟତିତ ଖରିଫ ଋତୁରେ କୋରାପୁଟ, କନ୍ଧମାଳ ଓ ରାୟଗଡା ଜିଲ୍ଲାରେ ଆଳୁ ଚାଷକୁ ବ୍ୟାପକ କରିବାପାଇଁ ରାଜ୍ୟ ସରକାର ମଧ୍ୟ ସହାୟତା ଯୋଗାଇ ଦେଉଛନ୍ତି ।

ସେହିଭଳି ରାଜ୍ୟକୁ ଆଳୁ ଉତ୍ପାଦନରେ ସ୍ୱାବଲମ୍ବୀ କରିବାପାଇଁ ରାଜ୍ୟ ସରକାର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଆର୍ନ୍ତଜାତୀୟ ଆଳୁ କେନ୍ଦ୍ର ସହିତ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ତଦନୁଯାୟୀ ଆଳୁର ଅଗ୍ର ଓ ମୂଳକୁ କଟାଯାଇ ଆଳୁ ବିହନ ପ୍ରସ୍ତୁତ ହେଉଛି ଏବଂ ଏହି ଆଳୁ ବିହନ ବ୍ୟବହାର କରାଯାଇ ଆଳୁର କ୍ଷେତ୍ର ସମ୍ପ୍ରସାରଣ କରାଯାଉଛି ।