ଭୁବନେଶ୍ୱର : ପଦ୍ମପୁର ବିଧାନସଭା ଆସନରେ ନାମାଙ୍କନପତ୍ର ଦାଖଲ ପାଇଁ ଆଜି ବିରାଟ ପଟୁଆରରେ ଯାଇଥିବା ବିଜେପି ପ୍ରାର୍ଥୀ ଚାଷୀଙ୍କ ଚାପରେ ନାମାଙ୍କନପତ୍ର ଦାଖଲ ନକରି ଫେରି ଆସିଛି । ଚାଷୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଦଳ ଏଭଳି ପଦକ୍ଷେପ ନେଇଛି ବୋଲି ବିଜେପି କହିଥିବାବେଳେ ଦଳର ବରିଷ୍ଠ ନେତାମାନେ ଧାରଣାରତ ଚାଷୀ ନେତାଙ୍କ ସହ ତୁହାକୁ ତୁହା ଆଲୋଚନା ଚଳାଇଛନ୍ତି ।
ପୂର୍ବ ଘୋଷଣା ଅନୁଯାୟୀ ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଦଳ ବଳ ଧରି ନାମାଙ୍କନପତ୍ର ଦାଖଲ ସକାଶେ ଉପଜିଲ୍ଲାପାଳଙ୍କ ଦପ୍ତର ଅଭିମୁଖେ ଯାଇଥିଲେ । ତେବେ ସେଠାରେ ପହଞ୍ଚିବାପରେ ଚାଷୀମାନେ ତାଙ୍କୁ ନାମାଙ୍କନପତ୍ର ଦାଖଲ ନକରିବାପାଇଁ ଅନୁରୋଧ କରିଥିଲେ । ଚାଷୀଙ୍କ ଦାବି ଥିଲା ଯେ ଯେପର୍ଯ୍ୟନ୍ତ ସେଠାରେ ସେମାନଙ୍କ ସମସ୍ୟାର ସମାଧାନ ନହୋଇଛି ସେପର୍ଯ୍ୟନ୍ତ କୌଣସି ରାଜନୈତିକଦଳ ନାମାଙ୍କନପତ୍ର ଦାଖଲ ନକରନ୍ତୁ ।
ତଦନୁଯାୟୀ ପଟୁଆରରେ ଯାଇଥିବା ବିଜେପି ପ୍ରାର୍ଥୀଙ୍କ ସହିତ ଦଳୀୟ ନେତାମାନେ ଉପଜିଲ୍ଲାପାଳଙ୍କ ଦପ୍ତର ନିକଟରୁ ଫେରି ଧାରଣାରତ ଚାଷୀ ନେତାଙ୍କ ନିକଟକୁ ଯାଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରଗଡ ସାଂସଦ ସୁରେଶ ପୂଜାରୀ, ବିଧାୟକ ନାଉରୀ ନାୟକ ପ୍ରମୁଖ ଚାଷୀ ନେତାଙ୍କ ସହ ତୁହାକୁ ତୁହା ଆଲୋଚନା ଚଳାଇଛନ୍ତି ।
ତେବେ ନାମାଙ୍କନପତ୍ର ଦାଖଲ ନକରି ଫେରିବାପରେ ବିଜେପି ପକ୍ଷରୁ କୁହାଯାଇଛି ଯେ ସେମାନେ ଏବେ ଅନ୍ୟ ଦଳ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଯଦି ଅନ୍ୟ ଦଳର କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ ତେବେ ବିଜେପି ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିବାକୁ ପଛାଇବ ନାହିଁ ।
ଆଜି ବିଜେପି ଚାଷୀଙ୍କ ଚାପରେ ନାମାଙ୍କନପତ୍ର ଦାଖଲ ନକରି ଫେରିବାପରେ ଏବେ ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେଡି ଓ କଂଗ୍ରେସ ଉପରେ ସମସ୍ତଙ୍କ ନଜର । ବିଜେଡି ଆସନ୍ତା ୧୬ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବ ବୋଲି ପୂର୍ବରୁ ଘୋଷଣା କରିଥିବାବେଳେ ଆଜି ପଦ୍ମପୁରର ସ୍ୱର୍ଗତ ବିଧାୟକ ବିଜୟ ରଞ୍ଜନ ସିଂହବରିହାଙ୍କ ବଡଝିଅ ବର୍ଷାଙ୍କ ନାମରେ ମୋହର ମାରିଛି । ସେହିଭଳି କଂଗ୍ରେସ ମଧ୍ୟ ତାହାର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ନାମ ଘୋଷଣା କରିଛନ୍ତି । ଏହି ଉପନିର୍ବାଚନ ପାଇଁ ଆସନ୍ତା ୧୭ତାରିଖ ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ଦିନ ।