ଭୁବନେଶ୍ୱର : ଚାରିଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଫଏସଲା ସଂକ୍ରାନ୍ତରେ ଦିନ ଘୁଞ୍ଚି ଘୁଞ୍ଚି ଯାଉଥିବାରୁ ଲୋକଙ୍କ ଉତ୍କଣ୍ଠା ବଢିବା ସଂଗେ ସଂଗେ ସରକାରଙ୍କ ଉପରେ ବି ଚାପ ବଢି ଚାଲିଛି । ଏହି ପ୍ରସଙ୍ଗଗୁଡିକ ହେଲା ଓଡିଶାର ସୀମା ବିବାଦ, ଛତିଶଗଡ ସହ ମହାନଦୀ ଜଳବିବାଦ, ନିୟମିତ ପୁଲିସ୍ ମହାନିର୍ଦ୍ଦେଶକ ନିଯୁକ୍ତି ଏବଂ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହମ ଷ୍ଟେନ ଓ ତାଙ୍କ ଦୁଇ ଶିଶୁ ପୁତ୍ରଙ୍କ ହତ୍ୟା ଅଭିଯୋଗରେ କାରାଦଣ୍ଡ ଭୋଗୁଥିବା ଦାରା ସିଂହର ମୁକ୍ତି ।
ଓଡିଶା ସହ ଆନ୍ଧ୍ର ଦୀର୍ଘବର୍ଷ ଧରି ସୀମା ବିବାଦ ଲଗାଇ ରଖିଛି । ୧୯୬୮ ମସିହାରୁ ଏ ପ୍ରସଙ୍ଗ ଓଡିଶା ସରକାର ସୁପ୍ରିମକୋର୍ଟକୁ ନେଇଥିଲେ । ଓଡିଶା, ଆନ୍ଧ୍ର ଓ କେନ୍ଦ୍ରରେ ଏନଡିଏ ସରକାର ଥିବା ପରିପ୍ରେକ୍ଷୀରେ ଆପୋଷ ଆଲୋଚନା ଭିତ୍ତିରେ ଏହି ପ୍ରସଙ୍ଗର ସମାଧାନ ହୋଇପାରିବ ବୋଲି ଆଶା କରାଯାଉଥିଲା । କିନ୍ତୁ ଦିନକୁ ଦିନ କୋଟିଆ ଅଞ୍ଚଳରେ ଆନ୍ଧ୍ରର ଅନୁପ୍ରବେଶ ଜାରି ରହିଥିବାରୁ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଏହା ରାଜ୍ୟବାସୀଙ୍କ ଭାବାବେଗର ପ୍ରଶ୍ନ ହୋଇଥିବାବେଳେ ସମ୍ପୃକ୍ତ ଅଞ୍ଚଳରେ ବି ବିଭ୍ରାନ୍ତି ବଢୁଛି ।
ସେହିଭଳି ମହାନଦୀର ଉପରମୁଣ୍ଡରେ ଛତିଶଗଡ ଏକତରଫା ଭାବେ ଅନେକଗୁଡିଏ ବନ୍ଧ ବନ୍ଧାଇ ପାଣି ଅଟକାଇବା ଫଳରେ ହୀରାକୁଦର ତଳମୁଣ୍ଡରେ ବର୍ଷର ବହୁ ସମୟରେ ମହାନଦୀ ଓ ତାହାର ଶାଖାନଦୀଗୁଡିକର ଶଯ୍ୟା ଶୁଖିଲା ପଡୁଛି । ଏଥିଯୋଗୁଁ ବିଦ୍ୟୁତ୍ ଉତ୍ପାଦନ ଓ ଜଳସେଚନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହେଉଛି । ଓଡିଶା, ଛତିଶଗଡ ଓ କେନ୍ଦ୍ରରେ ବିଜେପି ସରକାର ରହିଥିବା ଦୃଷ୍ଟିରୁ ଆପୋଷ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି । ତେବେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ପାଇଁ ପାଣି ଭଳି ପଇସା ଖର୍ଚ୍ଚ ହେଉଥିବାବେଳେ କେବେ ସୁଦ୍ଧା ଏହି ସମସ୍ୟାର ମର୍ଯ୍ୟାଦାଜନକ ସମାଧାନ ହେବ ତାହାର ସ୍ପଷ୍ଟ ଉତ୍ତର କେହି ଦେଇପାରୁ ନାହାନ୍ତି ।
ଓଡିଶାର ପୁଲିସ୍ ମହାନିର୍ଦ୍ଦେଶକ ପଦବୀ ଆଇନ୍ଶୃଙ୍ଖଳା ଓ ଅନ୍ୟାନ୍ୟ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟ ସରକାରଙ୍କ ସୁପାରିଶ୍ ଆଧାରରେ ୟୁପିଏସସି ନିଷ୍ପତ୍ତି ନେବାପରେ ପୁଲିସ୍ ଡିଜି ନିଯୁକ୍ତି ହେବାକଥା । ନିୟମିତ ପୁଲିସ୍ ଡିଜି ନଥିବାରୁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଅସ୍ଥାୟୀ ଭାବେ ଏହି ପଦବୀରେ ରଖାଯାଇଛି । ଏ ସଂକ୍ରାନ୍ତୀୟ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧିନ ରହିଛି ।
ଗ୍ରାହାମ ଷ୍ଟେନ ଓ ତାଙ୍କର ଦୁଇ ଶିଶୁ ପୁତ୍ରଙ୍କୁ ଜୀଅନ୍ତା ପୋଡି ମାରିଥିବା ଅଭିଯୋଗରେ ରବୀନ୍ଦ୍ର କୁମାର ପାଲ୍ ଓରଫ ଦାରା ସିଂ ବନ୍ଦୀ ଜୀବନ କାଟୁଛନ୍ତି । ସିବିଆଇ ଅଦାଲତ ତାଙ୍କୁ ପ୍ରାଣଦଣ୍ଡ ଆଦେଶ ଦେଇଥିବାବେଳେ ହାଇକୋର୍ଟ ଏହାକୁ ଆଜୀବନ କାରାଦଣ୍ଡରେ ରୂପାନ୍ତରିତ କରିଥିଲେ । ଏହି ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଅନ୍ୟଜଣେ ସହ ଅଭିଯୁକ୍ତଙ୍କୁ ରାଜ୍ୟ ସରକାରଙ୍କ ଦଣ୍ଡହ୍ରାସ ସମୀକ୍ଷା ବୋର୍ଡର ସୁପାରିଶ୍ ଆଧାରରେ ଛାଡି ଦିଆଯାଇଛି । ତେବେ ଉତ୍ତରପ୍ରଦେଶ ବାସିନ୍ଦା ଦାରା ସିଂ କିନ୍ତୁ କାରାମୁକ୍ତ ହୋଇପାରୁ ନାହିଁ । ଅତୀତରେ ବିଜେଡି ସରକାର ସମୟରେ କାରାମୁକ୍ତି ସଂକ୍ରାନ୍ତୀୟ ଦାରାଙ୍କ ଆବେଦନକୁ ଅନ୍ତତଃ ତିନି ଥର ଖାରଜ କରି ଦିଆଯାଇଥିବାବେଳେ ଏବେ ବିଜେପି ସରକାର ସମୟରେ ବି ଦାରାଙ୍କ ଆବେଦନକୁ ନାକଚ କରାଯାଇଛି । ଏହି ମାମଲା ବି ସୁପ୍ରିମକୋର୍ଟରେ ବିଚାରଧିନ ରହିଛି ।
ରାଜ୍ୟ ସରକାରଙ୍କ ଦଣ୍ଡହ୍ରାସ ସମୀକ୍ଷା ବୋର୍ଡ ଦାରାଙ୍କ ମୁକ୍ତି ଆବେଦନ ଖାରଜ କରିବା ପଛରେ ଯେତେସବୁ କାରଣ ଦେଇଛନ୍ତି ତାହା ଭିତରୁ ଅନ୍ୟତମ ହେଉଛି ଦାରାଙ୍କୁ ମୁକ୍ତି ଦିଆଗଲେ ଆଇନ୍ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା । ପୂର୍ବରୁ ବିଜେଡି ସରକାର ସମୟରେ ଯେଉଁମାନେ ଦାରାର ମୁକ୍ତି ପାଇଁ ଆନ୍ଦୋଳନ କରୁଥିଲେ ସେମାନଙ୍କ ଭିତରୁ କେତେକ ଏବେ ସରକାରରେ ଥିବା ସତ୍ୱେ ବି ଦାରାର କାରାମୁକ୍ତି ବିଳମ୍ବିତ ହେଉଛି । ଏ ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିବାବେଳେ ବିଭିନ୍ନ ବର୍ଗ ବି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କ’ଣ ସବୁ ଘଟିବ ସେ ସଂକ୍ରାନ୍ତରେ ପୂର୍ବାନୁମାନ କରିପାରୁ ନାହାନ୍ତି । (ତଥ୍ୟ)

