Home Judiciary ଚାରି ଜିଲ୍ଲା କୋର୍ଟ ଉଦ୍‍ଘାଟନ

ଚାରି ଜିଲ୍ଲା କୋର୍ଟ ଉଦ୍‍ଘାଟନ

ଭୁବନେଶ୍ୱର : ଆଜି ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ. ଜଷ୍ଟିସ୍ ଏସ୍ ମୁରଲୀଧର ଓଡିଶାର ପ୍ରମୁଖ ୪ଟି ଜିଲ୍ଲା କୋର୍ଟ ଯଥା କଟକ, ଗଞ୍ଜାମ, ସମ୍ବଲପୁର ଏବଂ ବାଲେଶ୍ୱର ଜିଲ୍ଲାର ‘ଜିଲ୍ଲା କୋର୍ଟ ଡିଜିଟାଇଜେସନ୍ କେନ୍ଦ୍ର’କୁ ଭର୍ଚୁଆଲ ବ୍ୟବସ୍ଥା ମାଧ୍ୟମରେ ଉଦଘାଟନ କରିଛନ୍ତି । ଉଚ୍ଚ ନ୍ୟାୟାଳୟର ଅନ୍ୟ ମାନ୍ୟବର ବିଚାରପତିମାନେ ଭର୍ଚୁଆଲ ମାଧ୍ୟମରେ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ବିଭିନ୍ନ ମାମଲାଗୁଡିକ ଫଇସଲା କରିବାରେ କେସ୍ ରେକର୍ଡଗୁଡିକ ସ୍କାନିଂ ଓ ଡିଜିଟାଇଜ୍ କରିବା ଉଦ୍ଦେଶ୍ୟରେ ଏହି ୪ଟି ଜିଲ୍ଲା କୋର୍ଟ ଡିଜିଟାଇଜେସନ କେନ୍ଦ୍ର ସ୍ଥାପନ କରାଯାଇଛି । ମୁଖ୍ୟ ବିଚାରପତି ଚଳିତ ବର୍ଷ ଜାନୁଆରୀରେ କାର୍ଯ୍ୟଭାର ଗ୍ରହଣ କରିବା ପରେ କେସ୍ ରେକର୍ଡଗୁଡିକର ସ୍କାନିଂ ଓ ଡିଜିଟାଇଜେସନ ବ୍ୟବସ୍ଥାର ନବୀକରଣକୁ ଗୁରୁତ୍ୱ ଦେଇଛନ୍ତି ।

ବହୁଳ ମାତ୍ରାରେ କେସ୍ ରେକର୍ଡ ଗୁଡିକର ସ୍କାନିଂ ଓ ଡିଜିଟାଇଜେସନ କାର୍ଯ୍ୟ କରିବା ପାଇଁ ଉଚ୍ଚ ନ୍ୟାୟାଳୟ ପରିସରରେ ଅନେକଗୁଡିଏ ଡିଜିଟାଇଜେସନ ହବ୍ ସ୍ଥାପନ କରାଯାଇଛି । ଉଚ୍ଚ ନ୍ୟାୟାଳୟ ପରିସରରେ ଗତ ୪ ମାସରେ ଏକ ପୃଷ୍ଠା ବିଶିଷ୍ଟ ୭୧,୯.୦୨୩ ଏବଂ ୯୩,୦୬୫ଟି କେସ୍ ରେକର୍ଡକୁ ସ୍କାନିଂ କରାଯାଇଥିବା ବେଳେ ମୋଟ ୨,୨୪,୮୬,୭୧୭ ଏକକ ପୃଷ୍ଠା ଏବଂ ୨,୮୯,୨୭୨ ପୃଷ୍ଠାର କେସ୍ ରେକର୍ଡ ସ୍କାନିଂ କରାଯାଇଛି ।

ଜିଲ୍ଲା ଓ ସବ୍‌-ଅର୍ଡିନେଟ୍ କୋର୍ଟର କେସ୍ ରେକର୍ଡଗୁଡିକୁ ଡିଜିଟାଇଜ୍ କରିବା ଦୀର୍ଘ ଦିନର ଆବଶ୍ୟକତା ଥିଲା । ପର୍ଯ୍ୟାୟକ୍ରମେ ସେସବୁକୁ କାର୍ଯ୍ୟକ୍ଷମ କରାଯିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏହି ଅବସରରେ ଉଚ୍ଚ ନ୍ୟାୟାଳୟ କମ୍ପ୍ୟୁଟର କମିଟିର ଅଧ୍ୟକ୍ଷ ବିଚାରପତି ଶତୃଘ୍ନ ପୁଝାହାରୀ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଡିଜିଟାଇଜେସନ ଓ ଏହାର ଭବିଷ୍ୟତ ସମ୍ଭାବନାରେ ରହିଥିବା ବହୁମୂଲ୍ୟ ଅନ୍ତର୍ଦୃଷ୍ଟି ଉପରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଓକାକ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ଏହି ସ୍କାନିଂ ଓ ଡିଜିଟାଇଜେସନ ବ୍ୟବସ୍ଥାରେ ସେ ବୈଷୟିକ ସହାୟତା ପ୍ରଦାନ କରିଥିଲେ । ପରେ ପରେ ମୁଖ୍ୟ ବିଚାରପତି ଡଃ. ମୁରଲୀଧର ସମ୍ବଲପୁର ଜିଲ୍ଲା ପାଇଁ ପ୍ରାଶାସନିକ ବିଚାରପତି ରହିଥିବା ଡଃ. ଜଷ୍ଟିସ୍ ବି.ଆର୍‌.ଷଡଙ୍ଗୀଙ୍କ ଉପସ୍ଥିତିରେ ସମ୍ବଲପୁର ସ୍ଥିତ ସିନିୟର ସିଭିଲ ଜଜ( ଏଲ୍‌.ଆର ଓ ଏଲ୍ .ଟି.ଭି.)ର ସଂପ୍ରସାରିତ କୋଠା ଏବଂ ସିନିୟର ସିଭିଲ୍ ଜଜ( କମର୍ସିଆଲ କୋର୍ଟ)କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲୋକାର୍ପିତ କରିଥିଲେ । ଏହା ଦ୍ୱାରା ଜିଲ୍ଲାର ଆଇନଜୀବୀ ଏବଂ ନ୍ୟାୟ ଅପେକ୍ଷାରେ ଥିବା ଜନସାଧାରଣ ବହୁ ଭାବେ ଉପକୃତ ହେବେ ।