Home News in Odia ଚାରି ଜିଲ୍ଲାରେ ୧୩ଲକ୍ଷ ଗଞ୍ଜେଇ ଗଛ ନଷ୍ଟ

ଚାରି ଜିଲ୍ଲାରେ ୧୩ଲକ୍ଷ ଗଞ୍ଜେଇ ଗଛ ନଷ୍ଟ

ଭୁବନେଶ୍ୱର : ରାଜ୍ୟର ଚାରି ଜିଲ୍ଲା ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରିରେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୭୮୬ ଏକରରୁ ଉର୍ଦ୍ଧ୍ୱ ଜମିରୁ ୧୩ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଯାଇ ସାରିଲାଣି । ରାଜ୍ୟ ଅବକାରୀ କମିଶନର ଆଶିଷ ସିଂହ ଏହିସବୁ ଜିଲ୍ଲା ଗସ୍ତ ସମୟରେ କରିଥିବା ସମୀକ୍ଷାରୁ ଏହି ସୂଚନା ମିଳିଛି ।

ସୂଚନା ଅନୁଯାୟୀ ଗଜପତି ଜିଲ୍ଲାରେ ସର୍ବାଧିକ ୩୮୮ ଏକର ଜମିରୁ ୭,୭୬,୬୨୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବାବେଳେ ମାଲକାନଗିରି ଜିଲ୍ଲାରେ ୧୯୪ ଏକର ଜମିରୁ ୨,୮୬,୨୦୦ଟି, କୋରାପୁଟ ଜିଲ୍ଲାରେ ୧୬୧ ଏକର ଜମିରୁ ୧,୯୪,୮୯୦ଟି ଓ ରାୟଗଡା ଜିଲ୍ଲାରେ ୪୩ ଏକର ଜମିରେ ହୋଇଥିବା ୪୩ହଜାର ଗଞ୍ଜେଇ ଗଛକୁ ଠାବ ସହିତ ନଷ୍ଟ କରାଯାଇଛି ।

ଅବକାରୀ କମିଶନର ଚଳିତ ମାସ ୨୨ ଓ ୨୩ ତାରିଖରେ ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲା ଗସ୍ତ କରିବା ସମୟରେ ଏହିସବୁ ଜିଲ୍ଲା ସମେତ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ମଧ୍ୟ ସମୀକ୍ଷା କରିଛନ୍ତି । ଦୁଇ ଦିନ ଧରି ଶ୍ରୀ ସିଂହ ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ, ଏସ୍‍ପି, ଡିଏଫ୍‍ଓ ଓ ଅବକାରୀ ଅଧୀକ୍ଷକମାନଙ୍କ ସହିତ ସ୍ଥିତିର ସମୀକ୍ଷା କରିଥିଲେ । ବିଶେଷକରି ଏହିସବୁ ଜିଲ୍ଲାରେ ଗଞ୍ଜେଇ ଗଛକୁ କିଭଳି ନଷ୍ଟ କରାଯାଇ ପାରିବ ଓ ସ୍ଥାନୀୟ ଲୋକଙ୍କୁ ଏ ସଂକ୍ରାନ୍ତରେ ସଚେତନ କରାଯାଇ ପାରିବ ତାହା ଉପରେ କମିଶନର ଗୁରୁତ୍ୱ ଦେଇଥିଲେ ।

ଗଞ୍ଜେଇ ଚାଷରେ ଲିପ୍ତ ବ୍ୟକ୍ତିମାନଙ୍କ ହାତକୁ ବିକଳ୍ପ ରୋଜଗାର ଯୋଗାଇବା ଉପରେ ଅବକାରୀ କମିଶନର ଗୁରୁତ୍ୱ ଦେଇଛନ୍ତି । କାରଣ ଆଦିବାସୀ ଅଧ୍ୟୁଷିତ ଇଲାକାର ଲୋକେ ଗଞ୍ଜେଇ ଚାଷର ଭୟାବହତା ସଂକ୍ରାନ୍ତରେ ଜାଣିବା ସହିତ ବିକଳ୍ପ କର୍ମସଂସ୍ଥାନ ପାଇଲେ ସେମାନେ ଆଉ ଏହି ବିପଦଜନକ ଚାଷ ପ୍ରତି ମନ ବଳାଇବେ ନାହିଁ ।

ଅବକାରୀ କମିଶନରଙ୍କ କୋରାପୁଟ ଗସ୍ତ ସମୟରେ ଡିଆଇଜି ପୁଲିସ ଆଲୋଚନା କାଳରେ ଉପସ୍ଥିତ ରହିବା ସହିତ ଅବକାରୀ କାରବାର ରୋକିବା ସହିତ ଗଞ୍ଜେଇ ଚାଷର ମୂଳୋତ୍ପାଟନ ପାଇଁ ଆଇନ୍‍ ଅନୁଯାୟୀ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିଭଳି ଗଞ୍ଜେଇ ଚାଷ ଉପରେ ଚଢାଉକୁ ବ୍ୟାପକ କରି କିଭଳି ନଷ୍ଟ କରାଯିବ ସେ ସଂକ୍ରାନ୍ତରେ ଅବକାରୀ ଓ ପୁଲିସ ବାହିନୀକୁ ସଚେତନ କରାଯିବା ସହିତ ଆବଶ୍ୟକ ସ୍ଥଳେ ଏଥିରେ ଜଡିତ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ କୁହାଯାଇଛି । ଗଞ୍ଜେଇ ଚାଷରେ ଲିପ୍ତ ବ୍ୟକ୍ତିଙ୍କୁ ବିକଳ୍ପ କର୍ମସଂସ୍ଥାନ ଯୋଗାଇବାପାଇଁ ତଳ ସ୍ତରରେ ଯୋଜନା ପ୍ରସ୍ତୁତ ସହିତ ସେମାନଙ୍କୁ ବିଭିନ୍ନ ପ୍ରକାର ଲାଭଜନକ ଚାଷ ଯଥା କୁକୁଡା ଚାଷ, ଛେଳି ଚାଷ, ଫୁଲଚାଷ ଆଦି ଯୋଗାଇ ଦେବାକୁ କୁହାଯାଇଛି ।

ସେହିଭଳି ବ୍ଲକ, ପଞ୍ଚାୟତ ଓ ଗ୍ରାମ ସ୍ତରରେ କମିଟିମାନ ଗଠନ କରି ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳରେ ଏହାର ଭୟାବହତା ଓ ଆଇନ୍‍ଗତ ଦିଗ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ ପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । କୌଣସି ପ୍ରକାରେ ଏହିସବୁ ଜିଲ୍ଲାରେ ଗଞ୍ଜେଇ ଚାଷକୁ ସମୂଳେ ନଷ୍ଟ କରିବା ଉପରେ ଅବକାରୀ କମିଶନର ଗୁରୁତ୍ୱ ଦେବା ସହିତ କାର୍ଯ୍ୟାନୁଷ୍ଠାନ ସମୟରେ ନିରୀହ ଲୋକେ ଯେଭଳି ହଇରାଣ ନହୁଅନ୍ତି ତାହା ଉପରେ ଧ୍ୟାନ ଦେବାକୁ କହିଛନ୍ତି । (ତଥ୍ୟ)