Home Administration ଚଳିତ ବର୍ଷ ୧୭ଟି ଫସଲ ବୀମା ଅନ୍ତର୍ଭୁକ୍ତ ହେବ

ଚଳିତ ବର୍ଷ ୧୭ଟି ଫସଲ ବୀମା ଅନ୍ତର୍ଭୁକ୍ତ ହେବ

ଭୁବନେଶ୍ୱର : ଚଳିତ ବର୍ଷ ଖରିଫ୍ ଋତୁରେ  ୮ ଟି ଫସଲ  ଏବଂ ରବି ଋତୁରେ  ୯ ଟି ଫସଲକୁ  ବୀମାଭୁକ୍ତ କରାଯିବ । ଆଜି ମୁଖ୍ୟ ଶାସନ ସଚିବ  ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ରାଜ୍ୟସ୍ତରୀୟ ଫସଲବୀମା ସମନ୍ୱୟ  କମିଟି ବୈଠକରେ ଏହା ସ୍ଥିର ହୋଇଛି ।

ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ  ସଶକ୍ତିକରଣ ବିଭାଗ ସ୍ୱତନ୍ତ୍ର  ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା ଚଳିତ ବର୍ଷ ପାଇଁ  ଫସଲ ବୀମା ସମ୍ବନ୍ଧିତ  ବିଷୟ  ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।  

ବୀମା ସର୍ତ୍ତ ଅନୁସାରେ କ୍ଷତି ପୂରଣ ପାଇଁ  ଯୋଗ୍ୟ ବିବେଚିତ ହୋଇଥିବା ସମସ୍ତ ଚାଷୀଙ୍କୁ ତୁରନ୍ତ ବୀମା ରାଶି ଯୋଗାଇ ଦେବା ପାଇଁ  ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର  ବୀମା କଂପାନୀମାନଙ୍କୁ  ନିର୍ଦ୍ଦେଶ ଦେଇଥିଲେ ।  ସେ କହିଥିଲେ ଯେ  କୃଷକମାନଙ୍କର  ପ୍ରାପ୍ୟ ପ୍ରଦାନରେ  ବିଳମ୍ବ ଗ୍ରହଣୀୟ ନୁହେଁ । କୃଷକମାନଙ୍କ ବ୍ୟାଙ୍କ୍ ଖାତାକୁ ବୀମାରାଶି ପଠାଇବାରେ  କୌଣସି ପ୍ରକାର  ଅବହେଳାକୁ  ସରାକାର ଗୁରୁତର  ସହ  ବିଚାର କରିବେ ବୋଲି  ଶ୍ରୀ ମହାପାତ୍ର  ସ୍ପଷ୍ଟ କରିଦେଇଥିଲେ ।

ଶସ୍ୟ-ୱାରୀ ଚାଷ ହୋଇଥିବା କ୍ଷେତର ପରିମାଣ ଏବଂ ଅମଳ ହାର ନିର୍ଦ୍ଧାରଣ ନିମନ୍ତେ  ଆଧୂନିକ ସାଟେଲାଇଟ୍ ଗବେଷଣା କୌଶଳ ଗୁଡିକ ପ୍ରୟୋଗ କରିବା ପାଇଁ  ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ  ।  ଏଥି ପାଇଁ ଏକ ସମନ୍ୱିତ ବୈଷୟିକ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ  କରିବା ପାଇଁ ସେ କୃଷି ଓ କୃଷକ  ସଶକ୍ତିକରଣ ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ଓଡ଼ିଶା  ମହାକାଶ ଗବେଷଣା ଉପଯୋଗ କେନ୍ଦ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାମାଣିତ  ହୋଇଥିବା ସାଟେଲାଇଟ୍  କୌଶଳ  ଗୁଡିକୁ  ଓଡ଼ିଶା  କୃଷି ଜଳବାୟୁ  ଅନୁସାରେ ନବୀକୃତ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା  ଉନ୍ନୟନ କମିଶନର  ଶ୍ରୀ ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଥିଲେ । ସାଟେଲାଇଟ୍  ଚିତ୍ର ଭିତ୍ତିକ ତଥ୍ୟଭିତ୍ତି ଲକ୍ଷ୍ୟଭେଦୀ ଯୋଜନା  ପ୍ରସ୍ତୁତି ଏବଂ ଫସଲ ବୀମାର  ସଂପ୍ରସାରଣରେ ଅଧିକ ସହାୟକ ହେବ ବୋଲି  ଶ୍ରୀ ଜେନା  କହିଥିଲେ ।  ଆଗାମୀ ବର୍ଷଠାରୁ ସାଟେଲାଇଟ୍  କୌଶଳ ଭିତ୍ତିରେ ରାଜ୍ୟର ସବୁ ଅଞ୍ଚଳରେ ଶସ୍ୟ-ୱାରୀ ଚାଷ  ହୋଇଥିବା ଜମିର  ପରିମାଣ ଏବଂ  ଅମଳ ହାର  ଆକଳନ  କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା ।  

ଚଳିତ ବର୍ଷ ଖରିଫ୍ ଋତୁରେ ଧାନ, ଚିନା ବାଦାମ, ମକା, ହରଡ, ମାଣ୍ଡିଆ, ତୁଳା, ଅଦା ଓ ହଳଦୀ ଆଦି ୮ ଟି ଫସଲକୁ ବୀମାଭୁକ୍ତ  କରିବା ପାଇଁ  ବୈଠକରେ ସ୍ଥିର ହୋଇଥିଲା ।  ସେହିପରି ରବି ଋତୁରେ  ଧାନ, ଚିନାବାଦାମ, ବିରି, ମୁଗ, ସୋରିଷ, ସୂର୍ଯ୍ୟମୁଖୀ, ଆଖୁ, ଆଳୁ ଏବଂ ପିଆଜ ଆଦି  ୯ ଟି ଫସଲ ବୀମାଭୁକ୍ତ ହେବ ।  ସାଧାରଣତଃ  ଧାନ ଫସଲ ପାଇଁ ଏକ ଗ୍ରାମ ପଂଚାୟତ ବା ସହରାଞ୍ଚଳ ଏବଂ ଅଣ-ଧାନ ଫସଲ ପାଇଁ  ଏକ ବ୍ଳକ୍କୁ ବୀମା-ୟୁନିଟ୍ ଭାବେ ବିଚାର କରାଯିବ । 

ଚଳିତ ବର୍ଷ ଜୁଲାଇ ୩୧ ତାରିଖକୁ ଖରିଫ ପସଲ ବୀମା ପଂଜୀକରଣର ଶେଷ ତାରିଖ ରୂପେ ଧାର୍ଯ୍ୟ  କରାଯାଇଥିଲା । ଏହି ଦିନ ସୁଦ୍ଧା  ସମସ୍ତ କୃଷକମାନେ  ନିଜ ନିଜ ଫସଲବୀମା କରାଇନେବେ । ଚାଷ ପାଇଁ  ଋଣ ନେଉଥିବା ଚାଷୀମାନଙ୍କର ବୀମା ସଂପୃକ୍ତ ବ୍ୟାଙ୍କ୍ ମାଧ୍ୟମରେ ହେବ । ଯେଉଁମାନେ  ଚାଷ-ଋଣ ନେଉନାହାନ୍ତି ସେମାନେ ମଧ୍ୟ ନିକଟସ୍ଥ ଜନସେବା କେନ୍ଦ୍ର, ନିଜର ସେଭିଙ୍ଗ୍ସ୍ ଆକାଉଣ୍ଟ୍ ଥିବା ବ୍ୟାଙ୍କ୍ ବା ସଂପୃକ୍ତ ଜିଲ୍ଲା ପାଇଁ ନିର୍ଦ୍ଧାରିତ ଫସଲବୀମା ବୀମା କଂପାନୀ ଏଜେଣ୍ଟ୍ମାନଙ୍କ ମାଧ୍ୟମରେ  ନିଜ ନିଜ କ୍ଷେତରେ କରୁଥିବା ଉପଯୁକ୍ତ ଫସଲର ବୀମା କରାଇପାରିବେ ।

ଆଜିଠାରୁ  କେନ୍ଦ୍ରୀୟ ଡ଼େପୁଟେସନରେ  ଯାଉଥିବା କୃଷି ନିର୍ଦ୍ଦେଶକ ଶ୍ରୀ ମୁଥୁ କୁମାର  ଜଣାଇଥିଲେ ଯେ  ରାଜ୍ୟରେ ଶସ୍ୟ ବୀମା ପ୍ରଧାନମନ୍ତ୍ରୀ  ଫସଲ ବୀମା ଯୋଜନା ଅନୁସାରେ କରାଯାଉଛି । ଏଥି ପାଇଁ  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମାନ ଅନୁପାତରେ ଆର୍ଥିକ ସହାୟତା ଦେଉଛନ୍ତି । ସାଧାରଣତଃ ବୀମା ପ୍ରିମିୟମ୍ର  ଶତକଡ଼ା ୯୮ ଭାଗ ରାଜ୍ୟ ଓ କେନ୍ଦ୍ର ସରକାର ଦିଅନ୍ତି ଏବଂ ସଂପୃକ୍ତ କୃଷକ  ଶତକଡ଼ା ୨ ଭାଗ ଦିଅନ୍ତି । ୨୦୨୧ ମସିହା ଖରିଫ୍ ଋତୁରେ ପ୍ରାୟ ୧୨. ୩୦ ଲକ୍ଷ ଚାଷୀଙ୍କର ୧୦.୫୦ ଲକ୍ଷ ହେକ୍ଟର ଚାଷ ଜମି ବୀମାଭୁକ୍ତ ହୋଇଥିଲା । ଚଳିତ ବର୍ଷ ଖରିଫ୍ ଏବଂ  ରବି ଋତୁରେ  ଋଣନେଉନଥିବା ଚାଷୀମାନଙ୍କୁ  ଅଧିକରୁ ଅଧିକ  ସଂଙ୍ଖ୍ୟାରେ ବୀମାଭୁକ୍ତ  କରିବାକୁ ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର  ନିର୍ଦ୍ଦେଶ ଦେଇଥିଲେ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଅର୍ଥ ବିଭାଗ  ପ୍ରମୁଖ ଶାସନ ସଚିବ  ଶ୍ରୀ ବିଶାଳ କୁମାର ଦେବ, ସମବାୟ ସଚିବ  ଶ୍ରୀ ସଞ୍ଜିବ୍ କୁମାର ଚଢ଼ା ଆଜି କୃଷି ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିବା  ଶ୍ରୀ ପ୍ରେମଚନ୍ଦ୍ର ଚୌଧୂରୀଙ୍କ ସମେତ ସଂପୃକ୍ତ  ବିଭାଗ ଓ ଇନ୍ସୁରାନ୍ସ୍ କଂପାନୀର ବରିଷ୍ଠ ଅଧିକାରୀମାନେ  ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ, ଏ.ଡ଼ି.ଏଫ୍.ସି.ଏଗ୍ରୋ, ରିଲାଏନ୍ସ୍, ଜି.ଆଇ.ସି, ଏବଂ ଏଗ୍ରିକଲ୍ଚର ଇନ୍ସୁରାନ୍ସ୍ କଂପାନୀ  ଆଦି ତିନିଟି ଇନ୍ସୁରାନ୍ସ୍ କଂପାନୀଙ୍କୁ  ଓଡ଼ିଶାରେ ଫସଲବୀମା  ନିମନ୍ତେ  ଚୟନ କରାଯାଇଛି ।    ଏମାନଙ୍କ ମଧ୍ୟରେ ଜିଲ୍ଲାଗୁଡିକୁ ଆବଣ୍ଟନ କରାଯାଇଛି ।