ଭୁବନେଶ୍ୱର : ରାଜ୍ୟରେ ଯେତିକି ପିଲା ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଛନ୍ତି ୨୦୨୦-୨୧ ବର୍ଷରେ ସେମାନଙ୍କ ମଧ୍ୟରୁ ୨୧.୨୬ ପ୍ରତିଶତ ଘରୋଇ ବିଦ୍ୟାଳୟରେ ନାମ ଲେଖାଇଥିଲେ । ୨୦୧୦-୧୧ ବର୍ଷରେ ଏହି ପରିମାଣ ମାତ୍ର ୯.୧୨ ପ୍ରତିଶତ ଥିଲା ।
ବିଧାୟକ ନାଉରି ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୦-୧୧ ବର୍ଷରେ ୯.୧୨ ପ୍ରତିଶତ ଛାତ୍ରଛାତ୍ରୀ ଘରୋଇ ବିଦ୍ୟାଳୟରେ ପଢ଼ୁଥିବା ବେଳେ ୨୦୨୧-୨୨ରେ ତାହା ୨୧.୨୬ରେ ପହଞ୍ଚିଥିଲା । ସେହିଭଳି ମାଧ୍ୟମିକ ଶ୍ରେଣୀରେ ୨୦୧୧-୧୨ ବର୍ଷରେ ୧୨.୮ ପ୍ରତିଶତ ଛାତ୍ରଛାତ୍ରୀ ଘରୋଇ ପଢ଼ୁଥିବା ବେଳେ ୨୦୨୦-୨୧ ବର୍ଷରେ ତାହା ୧୦.୩୭ ପ୍ରତିଶତ ରହିଥିଲା ।
ମନ୍ତ୍ରୀଙ୍କ ସୂଚନାରୁ ଜଣାଯାଇଛି ଯେ ଖୋର୍ଦ୍ଧା ଜିଲ୍ଲାରୁ ଘରୋଇ ବିଦ୍ୟାଳୟରେ ପ୍ରାଥମିକ ଶ୍ରେଣୀରେ ୫୦.୩୮ ପ୍ରତିଶତ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ମାଧ୍ୟମିକ ଶ୍ରେଣୀରେ ଏମାନଙ୍କ ସଂଖ୍ୟା ୩୨.୮ ପ୍ରତିଶତ ରହିଛି । ସେହିଭଳି ଝାରସୁଗୁଡାରେ ପ୍ରାଥମିକ ଶ୍ରେଣୀରେ ଘରୋଇ ବିଦ୍ୟାଳୟଗୁଡିକରେ ୩୭.୨୯ ପ୍ରତିଶତ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ମାଧ୍ୟମିକ ଶ୍ରେଣୀରେ ଏମାନଙ୍କ ସଂଖ୍ୟା ୨୬.୫୩ ପ୍ରତିଶତ ରହିଛି ।
ଘରୋଇ ବିଦ୍ୟାଳୟଗୁଡିକର ପ୍ରାଥମିକ ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲାରେ ୩୪.୭୮ ପ୍ରତିଶତ ଥିବାବେଳେ କଟକରେ ୩୪.୬୯, ସମ୍ବଲପୁରରେ ୨୯.୩୩, ସୁନ୍ଦରଗଡରେ ୨୮.୦୬, ଯାଜପୁରରେ ୨୩.୧୪ ଓ ବାଲେଶ୍ୱରରେ ୨୭.୨୧ ପ୍ରତିଶତ ଛାତ୍ରଛାତ୍ରୀ ରହିଛନ୍ତି । ମାଧ୍ୟମିକ ଶ୍ରେଣୀରେ ଖୋର୍ଦ୍ଧା, ଝାରସୁଗୁଡା, କଟକ, ବରଗଡ, ବାଲେଶ୍ୱର, କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାଗୁଡିକରେ ଛାତ୍ରଛାତ୍ରୀଙ୍କ ନାମଲେଖା ହାର ୧୦ ପ୍ରତିଶତ ତଳେ ରହିଛି ।
ଏଥିରେ ଗୋଟିଏ କଥା ଲକ୍ଷ୍ୟ କରାଯାଉଛି ଯେ ଘରୋଇ ସ୍କୁଲରେ ପ୍ରାଥମିକ ଶ୍ରେଣୀରେ ପଢ଼ିବା ଲାଗି ଯେତେ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି ମାଧ୍ୟମିକ ଶ୍ରେଣୀରେ ସେହି ପରିମାଣରେ ଆଗ୍ରହ ପରିଲକ୍ଷିତ ହେଉନାହିଁ । ବିଶେଷକରି ହାଇସ୍କୁଲ ସ୍ତରରେ ପହଞ୍ଚିଲା ବେଳକୁ ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡିକୁ ନେଇ ଆସୁଛନ୍ତି ।
ଏହି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟର ୨୪ଟି ଜିଲ୍ଲାର ୩୦୫୧ଟି ସ୍କୁଲକୁ ମୋ’ସ୍କୁଲ ଯୋଜନାରେ ୧୪୨୮ କୋଟି ଟଙ୍କାରୁ ଅଧିକ ଅର୍ଥ ଯୋଗାଇ ଦିଆଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୧୬୭ କୋଟି ୩୪ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲାକୁ ୧୦୧ କୋଟି ୩୬ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି । ସେହିଭଳି ଅନୁଗୁଳ ଜିଲ୍ଲାର ପାଲଲହଡା, ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ ସମେତ ଦେବଗହ, ଯାଜପୁର, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରେ ସର୍ବମୋଟ ୧୧୪୬ଟି ଉଚ୍ଚ ବିଦ୍ୟାଳୟକୁ ଦୁଇଟି ପର୍ଯ୍ୟାୟରେ ରୂପାନ୍ତରିତ କରିବା ପାଇଁ ବିଦ୍ୟାଳୟ ପ୍ରତି ୬୦ଲକ୍ଷ ଟଙ୍କା ହିସାବରେ ମୋଟ ୬୬୭ କୋଟି ୬୦ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି ।
ସେହିଭଳି ଡିଏମଏଫ୍ ଅନୁଦାନରୁ ଅନୁଗୁଳ, କୋରାପୁଟ, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାର ୩୪୩ଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରୀକରଣ କରାଯାଇଛି । ଏଥିରେ କେନ୍ଦ୍ରଝର ଜିଊ୍ଲାର ସର୍ବାଧିକ ୩୦୪ଟି ବିଦ୍ୟାଳୟ ଥିବାବେଳେ ଏଥିପାଇଁ ୧୫୯ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟ ହୋଇଛି । ସୁନ୍ଦରଗଡ ଜିଲ୍ଲାର ୧୯ଟି ସ୍କୁଲ ପାଇଁ ୧୧କୋଟି ୪୦ ଲକ୍ଷ, ଅନୁଗୁଳର ୧୩ଟି ସ୍କୁଲ ପାଇଁ ୨୦ କୋଟି ୩୧ ଲକ୍ଷ ଓ କୋରାପୁଟର ୭ଟି ସ୍କୁଲ ପାଇଁ ୩ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟ ହୋଇଛି । (ତଥ୍ୟ)