Home Mining ଏବେ ବଢିବନି କୋଇଲା ରୟାଲିଟି

ଏବେ ବଢିବନି କୋଇଲା ରୟାଲିଟି

ଭୁବନେଶ୍ୱର : କୋଇଲା ରୟାଲିଟି ଏବେ ସଂଶୋଧନ ହେବାର ନାହିଁ । ସିଧାସଳଖ ନହେଲେ ବି ପରୋକ୍ଷ ଭାବେ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲାଦ ଯୋଶୀ ଲୋକସଭାରେ ଏହି ସୂଚନା ଦେଇଛନ୍ତି ।

କୋଇଲା ରୟାଲିଟି ସଂଶୋଧନ ସଂକ୍ରାନ୍ତରେ ବିଜେଡି ସାଂସଦ ମହେଶ ସାହୁ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ଯେ କୋଇଲା ରୟାଲିଟି ସଂଶୋଧନ ପାଇଁ କୌଣସି ସମୟ ଧାର୍ଯ୍ୟ ହୋଇ ନାହିଁ । ଖଣି ଏବଂ ଖଣିଜ ଆଇନ୍‍ ୧୯୫୭ର ଧାରା ୯ ର ଉପଧାରା ୩ ଅନୁଯାୟୀ ଖଣିଜ ରୟାଲିଟି ଦର ନିୟମିତ ବ୍ୟବଧାନରେ ସଂଶୋଧନ ହେବାକଥା । ୨୦୧୪ ସେପ୍ଟେମ୍ବର ୧ ତାରିଖରେ ଏହା ଶେଷଥର ପାଇଁ ସଂଶୋଧିତ ହୋଇଥିଲା ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୦୨୧ଅକ୍ଟୋବର ୨୭ ତାରିଖରେ ମନ୍ତ୍ରାଳୟ ପକ୍ଷରୁ ଏକ କମିଟି ଗଠନ ହୋଇଥିଲା ଯିଏ କି ମେଟ୍ରିକ ଟନ୍‍ ଆଧାରରେ ହିସାବ ହେଉଥିବା ରୟାଲିଟିର ସମୀକ୍ଷା କରିଥିଲେ । ଏହି କମିଟି ଚଳିତବର୍ଷ ମାର୍ଚ୍ଚ ୭ ତାରିଖରେ ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି । ସାଂସଦ ଶ୍ରୀ ସାହୁ ପଚାରିଥିଲେ ଯେ ରୟାଲିଟି ସଂଶୋଧନ ପାଇଁ କୌଣସି ସମୟ ଧାର୍ଯ୍ୟ ହୋଇଛି କି ? ମନ୍ତ୍ରୀ କହିଥିଲେ, ନାଇଁ ସାର୍‍, ଏଥିପାଇଁ କୌଣସି ସମୟସୀମା ଧାର୍ଯ୍ୟ ହୋଇନାହିଁ ।

ଏମଏମଡିଆର ଆଇନ୍‍ ୧୯୫୭, ଧାରା ୯ର ଉପଧାରା ୧ ଅନୁଯାୟୀ ପ୍ରତ୍ୟେକ ଖଣି ଲିଜ୍‍ଧାରୀମାନେ ରିୟାଲିଟି ଦର ଆଧାରରେ ଖଣିଜ ସମ୍ପଦ ଉତ୍ତୋଳନ କିମ୍ବା ବ୍ୟବହାର କରିବେ । ତେବେ ଏହି ଆଇନର ଧାରା ୯ର ଉପଧାରା ୩ରେ ଥିବା ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ସରକାର ଖଣିଜ ସମ୍ପଦର ରୟାଲିଟି ବାବଦରେ ବିଜ୍ଞପ୍ତି ଜାରି କରିବେ । ରାଜ୍ୟ ସରକାରଙ୍କ ଦ୍ୱାରା ରୟାଲିଟି ଆଦାୟ ହେବ ।

ବର୍ତ୍ତମାନ ପଶ୍ଚିମବଙ୍ଗକୁ ବାଦ ଦେଲେ କୋଇଲାର ରୟାଲିଟି ଦର ୧୪ ପ୍ରତିଶତ ରହିଛି । ପଶ୍ଚିମବଙ୍ଗରେ ଏହି ରୟାଲିଟି ଦର ଟନ୍‍ ପିଛା ୭ ଟଙ୍କାରୁ ୨ଟଙ୍କା ୫୦ ପଇସା ସ୍ଥିର ହୋଇଛି । ଏହି ଦର ଶେଷ ଥର ପାଇଁ ୨୦୧୨ ମଇ ୧୦ ତାରିଖରେ ଧାର୍ଯ୍ୟ ହୋଇଥିଲା । କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରଠାରୁ ବିଜେଡି ସରକାର କୋଇଲା ରୟାଲିଟି ବୃଦ୍ଧି ପାଇଁ କହି ଆସୁଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ବାରମ୍ବାର ଏହାକୁ ପ୍ରତ୍ୟାଖାନ କରି ଚାଲିଛନ୍ତି ।

୨୦୨୦ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ତୁରନ୍ତ କୋଇଲା ଓ ଅନ୍ୟାନ୍ୟ ଖଣିଜ ଦ୍ରବ୍ୟର ରୟାଲିଟିରେ ସଂଶୋଧନ ପାଇଁ କହିଥିଲେ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ରକୁ ଏ ସଂକ୍ରାନ୍ତରେ ପତ୍ର ଲେଖିଥିବାବେଳେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ମଧ୍ୟ କୋଇଲା ମନ୍ତ୍ରାଳୟ ନିକଟରେ ରୟାଲିଟି ସଂଶୋଧନ ପାଇଁ ଦାବି କରିଥିଲେ । ବିଜେଡି ସାଂସଦମାନେ ବିଭିନ୍ନ ସମୟରେ ସଂସଦରେ ଏହି ପ୍ରସଙ୍ଗ ଉଠାଇ ଆସୁଛନ୍ତି । (ତଥ୍ୟ)