ଭୁବନେଶ୍ୱର : ଘରୋଇ ବିଦ୍ୟାଳୟ ପ୍ରତି ଏବେ ଛାତ୍ରଛାତ୍ରୀ ବିମୁଖ । ରାଜ୍ୟରେ ଘରୋଇ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି । ତଥାପି ଏବେ ବି ରାଜ୍ୟରେ ୧୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଘରୋଇ ବିଦ୍ୟାଳୟରେ ପାଠ ପଢୁଛନ୍ତି ।
ସରକାରୀ ସୂଚନା ଅନୁଯାୟୀ ୨୦୨୦-୨୧ ବର୍ଷରେ ରାଜ୍ୟରେ ୮୦୨୮ ଘରୋଇ ବିଦ୍ୟାଳୟରେ ୧୬,୫୧,୧୭୩ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ୨୦୨୧-୨୨ ବର୍ଷରେ ବିଦ୍ୟାଳୟ ସଂଖ୍ୟା ୭୪୧୨ ଓ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୪,୬୨,୭୯୪କୁ ହ୍ରାସ ପାଇଛି । ତେବେ ୨୦୧୯-୨୦ ରେ ରାଜ୍ୟରେ ୭୯୨୧ ଘରୋଇ ବିଦ୍ୟାଳୟରେ ୧୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଥିଲେ ।
ଏହି ସୂଚନା ଅନୁଯାୟୀ ରାଜ୍ୟରେ ମୋଟ୍ ୬୨,୨୯୧ ସରକାରୀ ବିଦ୍ୟାଳୟ ଥିବାବେଳେ ଏଥିରେ ୭୫,୭୬,୮୯୩ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ସବୁଠାରୁ ଅଧିକ ୪୭୩୫ ବିଦ୍ୟାଳୟ ମୟୁରଭଞ୍ଜ ଜିଲ୍ଲାରେ ଥିବାବେଳେଏଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୪,୬୮,୮୮୮ ରହିଛି । ସବୁଠାରୁ କମ୍ ଅର୍ଥାତ୍ ୫୯୧ଟି ସରକାରୀ ବିଦ୍ୟାଳୟ ଦେବଗଡ ଜିଲ୍ଲାରେ ଥିବାବେଳେ ଝାରସୁଗୁଡା ଜିଲ୍ଲାରେ ଏହି ସଂଖ୍ୟା ୭୬୨ ଓ ବୌଦ ଜିଲ୍ଲାରେ ୭୭୮ରହିଛି । ଅନ୍ୟ ସମସ୍ତ ଜିଲ୍ଲାରେ ସରକାରୀ ବିଦ୍ୟାଳୟ ସଂଖ୍ୟା ଚାରି ଅଙ୍କ ରହିଛି ।
ସେହିଭଳି ରାଜ୍ୟରେ ମୋଟ୍ ୭୪୧୨ଟି ସରକାରୀ ବିଦ୍ୟାଳୟ ଥିବାବେଳେ ଏଥି ମଧ୍ୟରୁ ସର୍ବାଧିକ ୬୫୪ଟି ଖୋରଧା ଜିଲ୍ଲାରେ ଥିବାବେଳେ କଟକରେ ୫୭୦, ଗଞ୍ଜାମରେ ୫୨୮, ବାଲେଶ୍ୱରରେ ୪୮୧, ମୟୁରଭଞ୍ଜରେ ୪୩୫, ସୁନ୍ଦରଗଡରେ ୩୮୨, ଯାଜପୁରରେ ୩୬୨ ଓ ପୁରୀରେ ୩୪୬ଟି ଘରୋଇ ବିଦ୍ୟାଳୟ ରହିଛି । ସବୁଠାରୁ କମ୍ ମାତ୍ର ୪୮ଟି ଘରୋଇ ବିଦ୍ୟାଳୟ ମାଲକାନଗିରି ଜିଲ୍ଲାରେ ଥିବାବେଳେ ଦେବଗଡରେ ୪୯, ବୌଦରେ ୭୦, କନ୍ଧମାଳରେ ୭୨, ଗଜପତିରେ ୭୪ ଓ ନୂଆପଡା ଜିଲ୍ଲାରେ ୯ଟି ଘରୋଇ ବିଦ୍ୟାଳୟ ରହିଛି । ସେହିଭଳି ଖୋରଧା ଜିଲ୍ଲାରେ ସର୍ବାଧିକ ୧,୮୩,୧୨୪ ଜଣ ଛାତ୍ରଛାତ୍ରୀ ଘରୋଇ ବିଦ୍ୟାଳୟରେ ପଢୁଛନ୍ତି ଯାହାକି ଜିଲ୍ଲାରେ ପଢୁଥିବା ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ତୁଳନାରେ ୪୩.୧୮ ପ୍ରତିଶତ ରହିଛି ।
ରାଜ୍ୟରେ ଯେତିକି ଛାତ୍ରଛାତ୍ରୀ ଘରୋଇ ବିଦ୍ୟାଳୟରେ ପଢୁଛନ୍ତି ତାହା ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ତୁଳନାରେ ୧୯.୩୧ ପ୍ରତିଶତ । ସବୁଠାରୁ କମ୍ ୭.୧୩ ପ୍ରତିଶତ ଛାତ୍ରଛାତ୍ରୀ ମାଲକାନଗିରି ଜିଲ୍ଲାରେ ଘରୋଇ ବିଦ୍ୟାଳୟରେ ପଢୁଥିବାବେଳେ ଖୋରଧା ଜିଲ୍ଲାରେ ଏହା ସର୍ବାଧିକ ୪୩.୧୮ ପ୍ରତିଶତ ରହିଛି ।
ତେବେ ଦୁଇ ବର୍ଷ ଧରି ରାଜ୍ୟର ଘରୋଇ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଁ ବିଦ୍ୟାଳୟର ଫି ବୃଦ୍ଧି ଅନ୍ୟତମ କାରଣ ବୋଲି ଶିକ୍ଷାବିତ୍ମାନେ ମତ ଦେଉଛନ୍ତି । ଏଥି ସହିତ ରାଜ୍ୟରେ ସରକାରୀ ବିଦ୍ୟାଳୟର ରୂପାନ୍ତରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ଆକର୍ଷଣୀୟ ମାଗଣା ଯୋଜନା କାର୍ଯ୍ୟକାରୀ ଯୋଗୁଁ ସେମାନେ ଧିରେ ଧିରେ ସରକାରୀ ବିଦ୍ୟାଳୟ ମୁହାଁ ହୋଇଛନ୍ତି । (ତଥ୍ୟ)