Home Infrastructure ଘରୋଇ ଜମିକୁ ତିନି ମାସରେ କିଣ

ଘରୋଇ ଜମିକୁ ତିନି ମାସରେ କିଣ

ଭୁବନେଶ୍ୱର : ଭିତ୍ତିଭୂମି ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ସକାଶେ ଘରୋଇ ଜମି ଖରିଦ ଲାଗି ରାଜ୍ୟ ସରକାର ତିନି ମାସିଆ ସମୟ ଧାର୍ଯ୍ୟ କରିଛନ୍ତି । ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଭି ଭି ଯାଦବ ଧାର୍ଯ୍ୟ ସମୟ ସଂକ୍ରାନ୍ତରେ ବିଭାଗର ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଲାଗି ବିଭାଗ ପକ୍ଷରୁ ୨୦୧୩ ଥଇଥାନ ଓ ପୁର୍ନବାସ ନୀତି ଆଧାରରେ ଉଚିତ୍‍ କ୍ଷତିପୂରଣ ଦେଇ ଘରୋଇ ଜମି ଅଧିଗ୍ରହଣ କରାଯାଉଛି । କେତେକ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ଲାଗି ଯେଉଁଠାରେ ଜମି ମାଲିକମାନେ ସେମାନଙ୍କ ଜମି ଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ସେମାନଙ୍କ ଠାରୁ ସିଧାସଳଖ ଭାବେ ଆଇନ୍‍ ଅନୁଯାୟୀ ଜମି ଖରିଦ ପାଇଁ ପ୍ରମୁଖ ସଚିବ କହିଛନ୍ତି ।

ସଚିବଙ୍କ ନଜରକୁ ଆସିଛି ଯେ କେତେକ ସ୍ଥାନରେ ଲୋକଙ୍କ ଠାରୁ ସିଧାସଳଖ ଜମି ଖରିଦ ପାଇଁ ପ୍ରଶାସନିକ ମଞ୍ଜୁରୀ ସହିତ ଜିଲ୍ଲା କ୍ଷତିପୂରଣ ପରାମର୍ଶଦାତା କମିଟି (ଡିସିଏସି)ର ଅନୁମୋଦନ ଆବଶ୍ୟକ ପଡୁଛି । କିନ୍ତୁ ସମ୍ପୃକ୍ତ ସଂସ୍ଥା ଠିକଣା ସମୟରେ ପଦକ୍ଷେପ ଗ୍ରହଣ କରୁନାହିଁ । ତେଣୁ ପ୍ରଶାସନିକ ମଞ୍ଜୁରୀ ଓ କିଣା ବିକା ମଧ୍ୟରେ ବିଳମ୍ବ ହେଉ ଥିବାରୁ ଯେଉଁ ଜମି ମାଲିକାମାନେ ପ୍ରଥମ ସେମାନଙ୍କ ଜମି ଦେବାକୁ ସମ୍ମତି ପ୍ରଦାନ କରୁଛନ୍ତି ପରବର୍ତ୍ତୀ ସମୟରେ ଅଧିକ କ୍ଷତିପୂରଣ ଦାବି ସହିତ ପ୍ରତିଶ୍ରୁତିରୁ ଓହରି ଯାଉଛନ୍ତି । ଏଥି ଯୋଗୁଁ ଜମି ଅଧିଗ୍ରହଣରେ ଅନାବଶ୍ୟକ ବିଳମ୍ବ ପରିଲକ୍ଷିତ ହେଉଛି ।

ଏହି ବିଳମ୍ବକୁ ଟାଳିବାପାଇଁ ବୁଝାମଣା ଭିତ୍ତିରେ ହସ୍ତକ୍ଷେପ ହେଉନାହିିଁ । ଫଳ ସ୍ୱରୂପ ବିଭିନ୍ନ ପ୍ରକଳ୍ପର ଅବଧି ଓ ବ୍ୟୟଭାର ବୃଦ୍ଧି ପାଉଛି । ପୂର୍ବରୁ ଦୀର୍ଘଦିନ ପରେ ନୂଆ ପ୍ରସ୍ତାବ ପାଇବାପରେ ସମ୍ପୃକ୍ତ ବିଭାଗ ପକ୍ଷରୁ ଆଇନ୍‍ ଅନୁଯାୟୀ ଜମି ଅଧିଗ୍ରହଣ କରିବାକୁ ଅନୁମତି ମିଳୁଥିଲା । ତେବେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଘରୋଇ ଜମି ଅଧିଗ୍ରହଣକୁ ବ୍ୟବସ୍ଥିତ କରିବାକୁ ପ୍ରଶାସନିକ ଅନୁମୋଦନ ପାଇବାର ତିନି ମାସ ମଧ୍ୟରେ ଯେଭଳି ଘରୋଇ ଜମି ଖରିଦ ହୁଏ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପ୍ରମୁଖ ସଚିବ କହିଛନ୍ତି । ଯଦି କୌଣସି କାରଣରୁ ଧାର୍ଯ୍ୟ ସମୟ ମଧ୍ୟରେ ଜମି ଖରିଦ ହୋଇନପାରିଲା ତେବେ ସମ୍ପୃକ୍ତ ଡିଭିଜନ ପକ୍ଷରୁ ଆଇନ୍‍ ଅନୁଯାୟୀ ଜମି ଅଧିଗ୍ରହଣ ପାଇଁ ପ୍ରସ୍ତାବ ଦାଖଲ କରିପାରିବେ । (ତଥ୍ୟ)