Home Environment ଘଞ୍ଚ ଜଙ୍ଗଲ ସୃଷ୍ଟି ପାଇଁ ୧୮୦୭ କୋଟି ଖର୍ଚ୍ଚ

ଘଞ୍ଚ ଜଙ୍ଗଲ ସୃଷ୍ଟି ପାଇଁ ୧୮୦୭ କୋଟି ଖର୍ଚ୍ଚ

ଭୁବନେଶ୍ୱର : ରାଜ୍ୟରେ ଘଞ୍ଚ ଜଙ୍ଗଲ ସୃଷ୍ଟି ପାଇଁ ସରକାର ବିଗତ ୧୦ବର୍ଷ ମଧ୍ୟରେ ୧୮୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରିଛନ୍ତି । ଏହି ଅର୍ଥ ୨୦୧୦-୧୧ ରୁ ୨୦୨୦-୨୧ ବର୍ଷ ମଧ୍ୟରେ ବ୍ୟୟ ହୋଇଛି । ତେବେ ଏହି ସମୟରେ ସବୁଠାରୁ ଅଧିକ ଅର୍ଥ ସୁନ୍ଦରଗଡ ବନଖଣ୍ଡରେ ବୃକ୍ଷରୋପଣ ବାବଦରେ ଖର୍ଚ୍ଚ ହୋଇଛି ।

ଘଞ୍ଚ ଜଙ୍ଗଲ ସୃଷ୍ଟି ପାଇଁ ରାଜ୍ୟ ସରକାର ୪୯ଟି ବନଖଣ୍ଡରେ ମୋଟ୍‍ ୧୮୦୭କୋଟି ୬୦ଲକ୍ଷ ୧୩ହଜାର ଟଙ୍କା ବ୍ୟୟ କରିଥିବାବେଳେ ସୁନ୍ଦରଗଡ ବନଖଣ୍ଡରେ ସର୍ବାଧିକ ୧୫୬କୋଟି ୩ଲକ୍ଷ ଟଙ୍କାର ଗଛ ଲଗାଇଛନ୍ତି । ଏହି ବନଖଣ୍ଡରେ ୪୫ହଜାର ହେକ୍ଟରରୁ ଅଧିକ ଅଞ୍ଚଳରେ ବୃକ୍ଷରୋପଣ ହୋଇଛି ।

ସେହିଭଳି କୋରାପୁଟ ଜିଲ୍ଲାରେ ୪୭ହଜାର ହେକ୍ଟରରୁ ଅଧିକ ଜମିରେ ବୃକ୍ଷରୋପଣ ବାବଦରେ ଗତ ୧୦ବର୍ଷରେ ୧୦୯କୋଟି ୭୧ ଲକ୍ଷ ଟଙ୍କା ବ୍ୟୟ ହୋଇଛି । ଅନ୍ୟ ସମସ୍ତ ବନଖଣ୍ଡରେ ବୃକ୍ଷରୋପଣ ବାବଦରେ ବ୍ୟୟ ଅର୍ଥ ଶହେ କୋଟି ଟଙ୍କା ତଳକୁ ଥିବାବେଳେ ସବୁଠାରୁ କମ୍‍ ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନରେ ମାତ୍ର ୧୫ଲକ୍ଷ ୫୭ହଜାର ଟଙ୍କାର ଗଛ ଲାଗିଛି ।

ସେହିଭଳି ଚିଲିକା ବନ୍ୟପ୍ରାଣୀ ଡିଜିଜନରେ ୧୧୩୦ ହେକ୍ଟର ଜମିରେ ବୃକ୍ଷରୋପଣପାଇଁ ୨କୋଟି ୬୪ଲକ୍ଷ ଟଙ୍କା ବ୍ୟୟ ହୋଇଥିବାବେଳେ ଚନ୍ଦକା ବନ୍ୟପ୍ରାଣୀ ଡିଭିଜନରେ ୨୧୮୬ ହେକ୍ଟର ଜମିରେ ବୃକ୍ଷରୋପଣ ବାବଦୋର ୨୪କୋଟି ୧୫ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି । ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ୨୦୦ ହେକ୍ଟର ଜମିରେ ବୃକ୍ଷରୋପଣପାଇଁ ମାତ୍ର ୪୦ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ଜଣାଯାଇଛି ।

ଘଞ୍ଚ ଜଙ୍ଗଲ ସୃଷ୍ଟି ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଥିବାବେଳେ ରାଜ୍ୟରେ ଆଶାନୁରୂପ ଭାବେ ଏହି ଧରଣର ଜଙ୍ଗଲ ପରିମାଣ ବୃଦ୍ଧି ପାଉନାହିଁ । ୨୦୧୧ ମସିହାରେ ଓଡିଶାରେ ଘଞ୍ଚ ଜଙ୍ଗଲର ପରିମାଣ ୭୦୬୦ ବର୍ଗ କିଲୋମିଟର ଥିବାବେଳେ ୨୦୧୯ ବେଳକୁ ତାହା ୬୯୬୯ ବର୍ଗ କିଲୋମିଟରରେ ପହଞ୍ଚିଛି । ଅବଶ୍ୟ ୨୦୧୩ ଓ ୨୦୧୫ରେ ରାଜ୍ୟରେ ଘଞ୍ଚ ଜଙ୍ଗଲର ପରିମାଣ ୭ହଜାର ବର୍ଗ କିଲୋମିଟରକୁ ଟପିଥିଲା । ତେବେ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ଭଦ୍ରକ, ଜଗତ୍‍ସିଂହପୁର ଓ ପୁରୀ ଜିଲ୍ଲାରେ ଘଞ୍ଚ ଜଙ୍ଗଲ ନଥିବା ଜଣାଯାଇଛି ।

ଉଲ୍ଲେଖନୀୟ ଯେ ରାଜ୍ୟରେ ଘଞ୍ଚ ଜଙ୍ଗଲର ପରିମାଣ କେତେ ରହିଛି ତାହା ପ୍ରତି ଦୁଇବର୍ଷରେ ଥରେ ଡେରାଡୁନ୍‍ ସ୍ଥିତ ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥାଦ୍ୱାରା ଉପଗ୍ରହ ଜରିଆରେ ହୋଇଥାଏ । ଶେଷ ସର୍ବେକ୍ଷଣ ୨୦୧୯ ମସିହାରେ ହୋଇଥିବାବେଳେ ଚଳିତବର୍ଷ ପୁଣି ଘଞ୍ଚ ଜଙ୍ଗଲର ଆକଳନ କରାଯିବ । (ତଥ୍ୟ)