ଭୁବନେଶ୍ୱର : କରୋନା ମହାମାରୀ ଯୋଗୁ ରାଜ୍ୟରେ ୨୯ ହଜାରରୁ ଅଧିକ ଟ୍ରକ୍, ବସ୍, ଡମ୍ଫର ଓ ଅନ୍ୟ ଯାନଗୁଡ଼ିକ ରାସ୍ତାରେ ଗଡ଼ିନଥିଲା । ଏଥିଯୋଗୁ ରାଜ୍ୟ ସରକାର ପ୍ରାୟ ୩୧୫ କୋଟି ଟଙ୍କାର ମୋଟରଯାନ ଟିକସ ହରାଇଛନ୍ତି ।
ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ କରୋନା ଯୋଗୁ ରାଜ୍ୟରେ ୨୯,୪୯୨ ଟି ବସ୍, ଟ୍ରକ୍, ଡମ୍ଫର୍ ଓ ଅନ୍ୟ ଯାନ ରାସ୍ତାରେ ଗଡ଼ିନଥିଲା । ଯେଉଁସବୁ ଗାଡ଼ିଗୁଡ଼ିକ ରାସ୍ତାରେ ଗଡ଼ିନଥିଲା ତାହାର ମରାମତି ବାବଦରେ ସରକାରଙ୍କ ପକ୍ଷରୁ କୌଣସି ସହାୟତା ଦିଆଯାଇନାହିଁ ।
ତେବେ କରୋନା ମହାମାରୀ ଯୋଗୁ ରାଜ୍ୟରେ ଚଳାଚଳ କରିପାରୁନଥିବା ଘରୋଇ ବସ୍ ଓ ମିନିବସ୍ଗୁଡ଼ିକର ୨୦୨୦ ଏପ୍ରିଲ୍, ମଇ ଓ ଜୁନ୍ ମାସର ଟିକସ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି । ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସ ନିମନ୍ତେ ଯଥାକ୍ରମେ ୭୫, ୫୦ ଓ ୨୫ ପ୍ରତିଶତ ଟିକସ ଛାଡ଼ିଛନ୍ତି । ଆଗାମୀ ଆର୍ଥିକ ବର୍ଷରେ ମୋଟରଯାନରୁ କେତେ ଟିକସ ଆଦାୟ ଲକ୍ଷ୍ୟ ରହିବ ତାହା ଚଳିତ ଆର୍ଥିକ ବର୍ଷ ଶେଷରେ ଆଦାୟ ଟିକସର ପରିମାଣକୁ ବିଚାରକୁ ନେଇ କମିଟି ନିଷ୍ପତ୍ତି କରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।