Home Environment ଗ୍ରିନ୍‍ ମହାନଦୀ ଯୋଜନାରେ ୧୬୨ କୋଟି ଖର୍ଚ୍ଚ

ଗ୍ରିନ୍‍ ମହାନଦୀ ଯୋଜନାରେ ୧୬୨ କୋଟି ଖର୍ଚ୍ଚ

ଭୁବନେଶ୍ୱର : ମହାନଦୀ ଅବବାହିକା ଓ ଏହାର ଆଖପାଖ ଅଞ୍ଚଳରେ ସବୁଜ ବଳୟ ସୃଷ୍ଟି ଲାଗି ‘ଗ୍ରିନ୍‍ ମହାନଦୀ’ ଯୋଜନାରେ ଗତ ୪ବର୍ଷ ମଧ୍ୟରେ ବୃକ୍ଷରୋପଣ ବାବଦରେ ୧୬୦ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ ହେଲାଣି । ଏହି ସମୟ ମଧ୍ୟରେ ବଜେଟ୍‍ରେ ୧୬୫କୋଟି ଟଙ୍କାରୁ ଅଧିକ ଅର୍ଥ ବରାଦ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ଯେ ‘ଗ୍ରିନ୍‍ ମହାନଦୀ’ରେ ସବୁଜ ବଳୟ ସୃଷ୍ଟି ପାଇଁ ୨୦୧୮-୧୯ ବର୍ଷରେ ୫୯୪୮ଲକ୍ଷ ୩୪ହଜାର ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୯-୨୦ ବର୍ଷରେ ଏହି ପରିମାଣ ୫୦୬୦ଲକ୍ଷ ୯୨ହଜାର ଟଙ୍କା ଥିଲା । ତେବେ ୨୦୨୧-୨୨ ବର୍ଷରେ ଏ ବାବଦୀୟ ଖର୍ଚ୍ଚ ୩୦୭୫ ଲକ୍ଷ ୯୪ହଜାର ଟଙ୍କାକୁ ହ୍ରାସ ପାଇଥିଲା । ସେହଭଳି ୨୦୨୧-୨୨ ବର୍ଷରେ ଏହି ଯୋଜନାରେ ୨୨୦୮ଲକ୍ଷ ୯୦ ହଜାର ଟଙ୍କା ଖର୍ଚ୍ଚ ହୋଇସାରିଛି । ଚଳିତ ଆର୍ଥିକ ବର୍ଷରେ ପ୍ରଥମ ୪ମାସ ପାଇଁ ହୋଇଥିବା ବଜେଟ୍‍ରେ ଏଥିପାଇଁ ୧୬୫ଲକ୍ଷ ଟଙ୍କା ବରାଦ ହୋଇଥିଲା ।

୨୦୧୮-୧୯ ବର୍ଷରେ ‘ଗ୍ରିନ୍‍ ମହାନଦୀ’ ଯୋନାରେ ୧୬,୫୦୦ ହେକ୍ଟର ଜମିରେ ସବୁଜ ବଳୟ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ୮ହଜାର ହେକ୍ଟରରୁ କମ୍‍ ସ୍ଥାନରେ ବୃକ୍ଷରୋପଣ ହୋଇପାରିଥିଲା । ତେବେ ଏହା ପରବର୍ଷ ଅର୍ଥାତ୍‍ ୨୦୧୯-୨୦ରେ ୯୨୪୭ହେକ୍ଟର ଜମିରେ ସବୁଜ ବଳୟ ସୃଷ୍ଟିପାଇଁ ଲକ୍ଷ୍ୟ ଥିବାବେଳେ ୯୧୮୦ ହେକ୍ଟରରେ ବିଭିନ୍ନ ପ୍ରକାର ଗଛ ଲାଗିପାରିଥିଲା ।

ଉଲ୍ଲେଖନୀୟ ଯେ ‘ଗ୍ରିନ୍‍ ମହାନଦୀ’ ଯୋଜନାରେ ମହାନଦୀ ଅବବାହିକା ଓ ଏହାର ଆଖପାଖ ଅଞ୍ଚଳରେ ସବୁଜ ବଳୟ ସୃଷ୍ଟି ପାଇଁ ବିଭିନ୍ନ ପ୍ରକାର ଗଛର ମଞ୍ଜି ପକାଯିବା ସହିତ ଚାରା ରୋପଣ କରାଯାଉଛି । ଏହାଛଡା ବିଭିନ୍ନ ସ୍ଥାନରେ ବାଉଁଶ ବଣ ସୃଷ୍ଟି ପାଇଁ ବାଉଁଶ ଚାରା ବି ରୋପଣ ହେଉଛି । ଏଥିପାଇଁ ସ୍ଥାନୀୟ ଲୋକେ, ଅନୁଷ୍ଠାନ ଓ ମହିଳା ଗୋଷ୍ଠିଗୁଡିକୁ ମଞ୍ଜି, ଚାରା ଆଦି ବଣ୍ଟନ କରାଯାଉଛି । ଏଥି ସହିତ ସ୍ଥାନୀୟ ଅଞ୍ଚଳରେ ଥିବା ଜଙ୍ଗଲଗୁଡିକର ମଧ୍ୟ ରକ୍ଷଣା ବେକ୍ଷଣ କରାଯାଉଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)