Home Energy ଗୋବରଗ୍ୟାସ ପ୍ଲାଣ୍ଟ ନିର୍ମାଣ ନୈରାଶ୍ୟଜନକ

ଗୋବରଗ୍ୟାସ ପ୍ଲାଣ୍ଟ ନିର୍ମାଣ ନୈରାଶ୍ୟଜନକ

ଭୁବନେଶ୍ୱର : ଅଣପାରମ୍ପରିକ ଶକ୍ତି ଉପରେ ସରକାର ଗୁରୁତ୍ୱଆରୋପ କରୁଥିବାବେଳେ ରାଜ୍ୟରେ ଗୋବରଗ୍ୟାସ ପ୍ରତିଷ୍ଠା ଅତ୍ୟନ୍ତ ଧିମା ରହିଛି । ବର୍ଷକୁ ହାରାହାରି ୧୨୦୦ ଗୋବରଗ୍ୟାସ୍‍ ପ୍ଲାନ ବି ସ୍ଥାପନ ହୋଇପାରୁନାହିଁ ।

ଗାଁ ଗହଳରେ ଗୋପାଳନ ସହିତ ପର୍ଯ୍ୟାପ୍ତ ଗୋବର ଉପଲବ୍ଧ ହେଉଥିବେଳେ ଗୋବର ଗ୍ୟାସ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି । ଗୋବରରୁ ରନ୍ଧନଗ୍ୟାସ ସହିତ ବାହାରୁଥିବା ଖତ ମଧ୍ୟ ଅତ୍ୟନ୍ତ ଉପଯୋଗୀ । ଏହି ଗ୍ୟାସ ବ୍ୟବହାର କରି ବିଜୁଳି ବଲବ ଜଳାଯାଇ ପାରିବ । ଏହା କେବଳ ପରିବେଶକୁ ସୁରକ୍ଷା ଦିଏନାହିଁ ରାଜ୍ୟରେ ଶସ୍ୟ ଉତ୍ପାଦନ ବୃଦ୍ଧି କରିଥାଏ । ତେବେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଗୋବରଗ୍ୟାସ ପ୍ଲାଣ୍ଟ ସ୍ଥାପନ ହେଉନଥିବାରୁ ଗୋବର ନଷ୍ଟ ହେବା ସହ ଜାଳେଣି ପାଇଁ ଜଙ୍ଗଲ କ୍ଷୟ ହେଉଛି ।

ମିଳିଥିବା ସୂଚନା ଅନୁଯାୟୀ ଗତ ପାଞ୍ଚବର୍ଷ ମଧ୍ୟରେ ରାଜ୍ୟରେ ମାତ୍ର ୫୮୩୪ଟି ଗୋବରଗ୍ୟାସ ପ୍ଲାଣ୍ଟ ସ୍ଥାପନ ହୋଇଛି । ଏହି ୫ବର୍ଷ ମଧ୍ୟରେ ଝାରସୁଗୁଡା ଜିଲ୍ଲାରେ ମାତ୍ର ୭ଟି ଗୋବରଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା ହୋଇଥିବାବେଳେ ବହୁ ଜିଲ୍ଲାରେ ଏହି ସଂଖ୍ୟା ଦୁଇ ଅଙ୍କରେ ସୀମିତ ରହିଛି । ତେବେ ଗୋପାଳନ ସହିତ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଆଗୁଆ ଥିବା ରାଜ୍ୟର ଉପକୂଳ ଅଞ୍ଚଳରେ ବି ଗୋବର ଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା ନୈରାଜ୍ୟଜନକ ରହିଛି । ଜଗତ୍‍ସିଂହପୁର ଜିଲ୍ଲାରେ ୫ବର୍ଷରେ ୩୬୧ଟି ପ୍ଲାଣ୍ଟ ପ୍ରତିଷ୍ଠା ହୋଇଥିବାବେଳେ କଟକ ଜିଲ୍ଲାରେ ଏହା ୩୬୧, କେନ୍ଦ୍ରାପଡାରେ ୧୮୦ ରହିଛି ।

ଏହିସବୁ ଜିଲ୍ଲାରେ ଗୋବରଗ୍ୟାସ ପ୍ଲାଣ୍ଟ ସ୍ଥାପନ ପାଇଁ ଲୋକେ ଆଗ୍ରହୀ ଥିଲେ ମଧ୍ୟ ଆବଶ୍ୟକ ସମନ୍ୱୟ ଅଭାବରୁ ଗାଁ ଗହଳର ଲୋକେ ଏହା ପ୍ରତିଷ୍ଠା କରିପାରୁ ନାହାନ୍ତି । ଉଲ୍ଲେଖନୀୟ ଯେ ଗୋବରଗ୍ୟାସ ପ୍ଲାଣ୍ଟ ସ୍ଥାପନ ସରକାର ସବ୍‍ସିଡ୍‍ ସହିତ ଆବଶ୍ୟକ ପଡୁଥିବା ଚୂଲା ଓ ଅନ୍ୟାନ୍ୟ ସାଜ ସରଞ୍ଜାମ ଯୋଗାଇଥାନ୍ତି । ଫଳରେ ଲୋକେ ନିଜ ହାତକୁ ଅଳ୍ପ କିଛି ଖର୍ଚ୍ଚକରି ଏହାକୁ ପ୍ରତିଷ୍ଠା କରିଥାନ୍ତି ।

ସେହିଭଳି ପୂର୍ବରୁ ଯେଉଁ ପ୍ଲାଣ୍ଟଗୁଡିକ ପ୍ରତିଷ୍ଠା ହୋଇଛି ତାହାର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ବି କୌଣସି ପଦକ୍ଷେପ ନିଆଯାଉନାହିଁ । ଏହାର ରକ୍ଷଣାବେକ୍ଷଣ ସଂକ୍ରାନ୍ତରେ ହିତାଧିକାରୀଙ୍କୁ ସେଚତନ କିମ୍ବା ଜ୍ଞାନକୌଶଳ ଯୋଗାଯାଉ ନଥିବାରୁ ଧିରେ ଧିରେ ତାହା ନଷ୍ଟ ହେବାରେ ଲାଗିଛି । ପରିବେଶର ସୁରକ୍ଷାପାଇଁ ରାଜ୍ୟରେ ଅଧିକରୁ ଅଧିକ ଗୋବରଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)