ଜଗତସିଂହପୁର : “ଜଗତସିଂହପୁର ଐତିହ୍ୟ ପଦଯାତ୍ରା”ର ପଞ୍ଚମ ସଂସ୍କରଣ ଅବସରରେ ଐତିହ୍ୟାନୁରାଗୀ ବନ୍ଧୁମାନେ ବିରିଡ଼ି ବ୍ଲକ ଅନ୍ତର୍ଗତ ହାଜିପୁର ଗ୍ରାମର ମାଳିକା ବର୍ଣ୍ଣିତ କ୍ଷେତ୍ର, ଐତିହାସିକ ଅଷ୍ଟଶମ୍ଭୁ ମନ୍ଦିର ଠାରେ ଏକତ୍ରିତ ହୋଇଥିଲେ। ଏଠାରେ ପୂଜା ପାଉଥିବା ମୁଖ୍ୟ ଦେବତା ଶ୍ରୀକଦମ୍ବେଶ୍ୱର ମହାଦେବ ଓ ମହାଭାରତ ସମୟର କିମ୍ବଦନ୍ତୀ ସହିତ ଜଡ଼ିତ ପ୍ରାଚୀନ ଅଷ୍ଟଶମ୍ଭୁଙ୍କର ଦର୍ଶନ ସହ ମନ୍ଦିର ପରିସରରେ ଥିବା ପ୍ରାଚୀନ ମନ୍ଦିରର ଭଗ୍ନ କୀର୍ତ୍ତିରାଜୀ ଆଦି ଅବଲୋକନ କରିଥିଲେ। ସ୍ଥାନୀୟ ପୂଜକଙ୍କ କହିବାନୁଯାୟୀ, ଏଠାରେ ପୂଜା ପାଉଥିବା ସମସ୍ତ ଦେବଦେବୀଙ୍କ ମୁଖ ଦକ୍ଷିଣ ଦିଗକୁ ରହିଛି। ଯାହାକି ଅଷ୍ଟଶମ୍ଭୁ ମନ୍ଦିରର ଏକ ପ୍ରମୁଖ ବିଶେଷତା।
ଅଷ୍ଟଶମ୍ଭୁ ମନ୍ଦିର ପରିଦର୍ଶନ କରିବା ପରେ, ଐତିହ୍ୟ ପଦଯାତ୍ରୀଗଣ ନିକଟରେ ଥିବା ପଞ୍ଚଦଶ ଶତାବ୍ଦୀର ଉତ୍କଳୀୟ ସିଦ୍ଧ ସାଧକ ପଞ୍ଚସଖାଙ୍କର ଧ୍ୟାନପୀଠ “ଧ୍ୟାନକୁଦ” ପରିଦର୍ଶନ କରିଥିଲେ। ପୂଜକ ସଚ୍ଚିଦାନନ୍ଦ ମିଶ୍ର ପୀଠ ସମ୍ପର୍କରେ ରୋଚକ ତଥ୍ୟ ପ୍ରଦାନ କରିଥିଲେ। ତତ୍ପରେ ଐତିହ୍ୟ ପଦଯାତ୍ରଗଣ ମୁଖ୍ୟ ଗନ୍ତବ୍ୟ ସ୍ଥଳ, ମଙ୍ଗୁଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାର୍ବତୀପୂର ଗ୍ରାମର ଶ୍ରୀଗୋପୀନାଥ ମନ୍ଦିର ପରିସରରେ ଏକାଠି ହୋଇ ମନ୍ଦିର ଗର୍ଭଗୃହରେ ଥିବା ଅଷ୍ଟସଖୀ ପରିବେଷ୍ଠିତ ଗୋପୀନାଥଙ୍କର ପ୍ରାଚୀନ ବିଗ୍ରହ ଏବଂ ପାର୍ଶ୍ଵଦେବତା ବରାହ, ନୃସିଂହ ଓ ତ୍ରିବିକ୍ରମ ବାମନଙ୍କର ପୁରାତନ ମୂର୍ତ୍ତି ଆଦି ଦେଖିଥିଲେ । ଇତି ଅବସରରେ ଅନୁଷ୍ଠାନ ତରଫରୁ ପ୍ରଭୁଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।
ସ୍ଥାନୀୟ ପୂଜକଙ୍କ କହିବାନୁଯାୟୀ, ଭୂମିପତ୍ତନ ଠାରୁ ବହୁ ନୀଚରେ ଗୋପୀନାଥଙ୍କ ବିଗ୍ରହ ରହିଛନ୍ତି ଏବଂ ଦିନକୁ ଦିନ ବିଗ୍ରହ ଦବି ଦବି ଯାଉଛନ୍ତି। ଶିବ ମନ୍ଦିର ପରି କେତୋଟି ପାହାଚ ଓହ୍ଲେଇ ବିଗ୍ରହଙ୍କ ନିକଟକୁ ଯିବାକୁ ହୋଇଥାଏ। ଏବେ ଖରା ଦିନରେବି ବିଗ୍ରହଙ୍କ ଶ୍ରୀପୟର ନିକଟରେ ପାଣି ଜମି ରହୁଛି। ବର୍ଷା ଦିନେ ଗର୍ଭଗୃହରେ ପାଣି ଆପେ ଆପେ ଝରିଥାଏ ଏବଂ ଆଣ୍ଠୁ ପର୍ଯ୍ୟନ୍ତ ଶ୍ରୀବିଗ୍ରହ ପାଣିରେ ବୁଡ଼ି ରୁହନ୍ତି।
ଜଗତସିଂହପୁର ଐତିହ୍ୟ ପଦଯାତ୍ରାର ସଂଯୋଜକ ତଥା ଐତିହ୍ୟ ଗବେଷକ ଶ୍ରୀକାନ୍ତ ସିଂହ ଓ ମନ୍ଦିରର ମୁଖ୍ୟ ପୂଜକ ଗୟାଧର ପାଢ଼ୀ ଗୋପୀନାଥ ଜୀଉ ମନ୍ଦିର ଓ ମୂର୍ତ୍ତି ଗୁଡ଼ିକର ଐତିହ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଗୋପୀନାଥ ଜୀଉଙ୍କ ମନ୍ଦିର ପରିସରରେ ବିଜୟ ପ୍ରସନ୍ନ ଦାସ, ହେମନ୍ତ ନାୟକଓ ଆଦିତ୍ୟ ଘୋଷଙ୍କ ଦ୍ୱାରା ଜଗତସିଂହପୁର ଐତିହ୍ୟ ପଦଯାତ୍ରାର ପ୍ରଥମ ଇ-ମାଗାଜିନ୍ ଉନ୍ମୋଚନ ହୋଇଥିଲା।
ଅନୁଷ୍ଠାନର ପ୍ରମୁଖ କାର୍ଯ୍ୟକର୍ତ୍ତା ବିଶ୍ୱରଞ୍ଜନ ଦେହୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମନ୍ଦିର ପରିସରରେ ଗୁଆ, ନାରିକେଳ ଓ ଲିମ୍ବ ବୃକ୍ଷ ଆଦି ରୋପଣ କରାଯାଇଥିଲା। ମନ୍ଦିର ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏ ସମସ୍ତ କାର୍ଯ୍ୟରେ ଅନୁଷ୍ଠାନର କର୍ମକର୍ତ୍ତା ତ୍ରିଲୋଚନ ସ୍ୱାଇଁ, ସମ୍ବିତ ସିଂହ, ପ୍ରଭୁଦତ୍ତ ରାଉତ, ଦେବାଶିଷ ପାତ୍ର ଆଦିଙ୍କର ପ୍ରମୁଖ ଭୂମିକା ରହିଥିଲା।
କାର୍ଯ୍ୟକ୍ରମର ସମାପ୍ତି ପରେ ଉପସ୍ଥିତ ସମସ୍ତ ଐତିହ୍ୟ ପଦଯାତ୍ରୀମାନେ ମଧ୍ୟାହ୍ନ ଭୋଜନରେ ପ୍ରଭୁ ଗୋପିନାଥଙ୍କ ଅନ୍ନପ୍ରସାଦ ଗ୍ରହଣ କରିଥିଲେ। ସ୍ଥାନୀୟ ନିବାସୀ ଶ୍ରୀଯୁକ୍ତ ଶଶିଭୂଷଣ ସାମନ୍ତରାୟଙ୍କ ତତ୍ତ୍ଵାବଧାନରେ ଜଗତସିଂହପୁର ଐତିହ୍ୟ ପଦଯାତ୍ରାର ପଞ୍ଚମ ସଂସ୍କରଣ ସଫଳ ରୂପେ ସମାପ୍ତ ହେଇଥିଲା।