Home General ଗୋଖାଦ୍ୟ ପାଇଁ ୮କୋଟି

ଗୋଖାଦ୍ୟ ପାଇଁ ୮କୋଟି


ଭୁବନେଶ୍ୱର : ବିଗତ ଦୁଇବର୍ଷ ମଧ୍ୟରେ ଆସିଥିବା ବନ୍ୟା ଓ ବାତ୍ୟା ସମୟରେ ଗାଈ ଗୋରୁମାନଙ୍କ ପାଇଁ ସରକାର ୮କୋଟି ଟଙ୍କାରୁ ଅଧିକ ଖାଦ୍ୟ ଯୋଗାଇଛନ୍ତି । ଫନି ବାତ୍ୟା ସମୟରେ ୪କୋଟି ଟଙ୍କାରୁ ଅଧିକ ଗୋଖାଦ୍ୟ ଯୋଗାଯାଇଥିବାବେଳେ ୨୦୨୦-୨୧ ବର୍ଷରେ ଆସିଥିବା ବନ୍ୟା ସମୟରେ ସରକାର ୪କୋଟି ୩୨ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରିଛନ୍ତି । ।

ମିଳିଥିବା ସୂଚନାରୁ ଜଣାଯାଇଛି ଯେ ଫନି ବାତ୍ୟା ସମୟରେ ରାଜ୍ୟ ସରକାର ବାତ୍ୟା ପ୍ରଭାବିତ ୫ଟି ଜିଲ୍ଲା ପୁରୀ, କଟକ, ଜଗତ୍‍ସିଂହପୁର, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାକୁ ୨୦୦୬ ମେଟ୍ରିକ ଟନ୍‍ ଗୋଖାଦ୍ୟ ଯୋଗାଇଥିଲେ ଯାହାର ମୂଲ୍ୟ ୪କୋଟି ୧୮ଲକ୍ଷ ଟଙ୍କାରୁ ଅଧିକ । ତେବେ ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାରୁ ୧୩୨୬ ଟନ୍‍ ଗୋଖାଦ୍ୟ ଯୋଗାଯାଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲାକୁ ମାତ୍ର ୩ଟନ୍‍ ଗୋଖାଦ୍ୟ ଯାଇଥିଲା ।

ସେହିଭଳି ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଆସିଥିବା ବନ୍ୟା ସମୟରେ ସରକାର ୯ଟି ଜିଲ୍ଲାକୁ ପ୍ରାୟ ୧୭୦୦ ମେଟ୍ରିକ ଟନ୍‍ ଗୋଖାଦ୍ୟ ଯୋଗାଇଥିଲେ । ଏହାର ମୂଲ୍ୟ ୪କୋଟି ୩୨ଲକ୍ଷ ୬୮ହଜାର ଟଙ୍କାରୁ ଅଧିକ ଥିବାବେଳେ ଏହା ବାଲେଶ୍ୱର, ଭଦ୍ରକ, ବୌଦ, କଟକ, ଯାଜପୁର, ଜଗତ୍‍ସିଂହପୁର, କେନ୍ଦ୍ରାପଡା, ଖୋରଧା ଓ ପୁରୀ ଜିଲ୍ଲାକୁ ମିଳିଥିଲା । ବନ୍ୟା ସମୟରେ ଯାଜପୁର ଜିଲ୍ଲାକୁ ସର୍ବାଧବକ ୬୭୩ ମେଟ୍ରିକ ଟନ୍‍ ଗୋଖାଦ୍ୟ ଯୋଗାଯାଇଥିବାବେଳେ ଖୋରଧା ଜିଲ୍ଲାକୁ ୧୫ ଟନ୍‍ ଓ ବୌଦ ଜିଲ୍ଲାକୁ ପ୍ରାୟ ୧୮ଲକ୍ଷ ଗୋଖାଦ୍ୟ ମିଳିଥିଲା ।

ରାଜ୍ୟ ସରକାର ୨୦୧୯-୨୦ ବର୍ଷରେ ପଶୁମାନଙ୍କ ଔଷଧ ବାବଦରେ ୩୭କୋଟି ଟଙ୍କାର ବ୍ୟୟବରାଦ କରିଥିବାବେଳେ ଏଥିରୁ ୨୯କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହାବାଦ୍‍ ସମସ୍ତ ଜିଲ୍ଲାକୁ ଆପାତକାଳୀନ ସମୟରେ ଔଷଧ ଯୋଗାଣ ପାଇଁ ୭କୋଟି ୪୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଚଳିତ ଆର୍ଥିକ ବର୍ଷରେ ପଶୁଙ୍କ ଔଷଦ ଲାଗି ସରକାର ୬୦କୋଟି ଟଙ୍କାର ବ୍ୟୟ ବରାଦ କରିଥିବାବେଳେ ଏଥିରୁ ୫୫ଲକ୍ଷ ଔଷଧ ଖରିଦ ପାଇଁ ବାଲଶ୍ୱର, କଟକ, କଳାହାଣ୍ଡି ଓ ନୂଆପଡା ଜିଲ୍ଲାକୁ ପ୍ରଦାନ କରାଯାଇଛି ।

ତେବେ ରାଜ୍ୟ ସରକାର ପଶୁଙ୍କ ଔଷଦ ଲାଗି ବରାଦ କରୁଥିବା ଅର୍ଥ ସମୁଦ୍ରକୁ ଶଙ୍ଖେ ଭଳି ହୋଇଥିବାରୁ ଅଧିକାଂଶ ସ୍ଥାନରେ ଗୋପାଳକ ଓ ଅନ୍ୟ ପଶୁପକ୍ଷୀ ମାଲିକମାନେ ହାତରୁ ଅର୍ଥ ଦେଇ ଔଷଦ ଖରିଦ କରିଥାନ୍ତି । ମଣିଷଙ୍କ ଔଷଧ ବଜେଟ୍‍ ୬୦୦ କୋଟି ଟଙ୍କାରେ ପହଞ୍ଚି ଥିବାବେଳେ ପଶୁମାନଙ୍କ ପାଇଁ ଔଷଦ ବ୍ୟୟବରାଦ ବଢାଇବାକୁ ମତପ୍ରକାଶ ପାଉଛି ।