Home News in Odia ଗୁପ୍ତରେ ଯୋଗାଯୋଗ କରୁଛନ୍ତି ନେତା

ଗୁପ୍ତରେ ଯୋଗାଯୋଗ କରୁଛନ୍ତି ନେତା

ଭୁବନେଶ୍ୱର : ଲୋକସଭା ସହ ଓଡିଶା ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏଥର ବହୁ ବିଧାୟକ ଓ ସାଂସଦ ନିଜ ଦଳର ଟିକଟ ପାଇ ନପାରନ୍ତି । ଏଥିଘେନି ଆଶଙ୍କାରେ ଥିବା କିଛି ରାଜନେତା ସେମାନଙ୍କ ରାଜନୈତିକ ଭବିଷ୍ୟତ ପାଇଁ ଭିନ୍ନ ଦଳମାନଙ୍କ ସହ ଯୋଗାଯୋଗରେ ଅଛନ୍ତି । ତେବେ ଫୋନ୍‍ ଟ୍ୟାପିଂ ସମ୍ଭାବନା ଥିବାରୁ ମଧ୍ୟସ୍ଥମାନଙ୍କ ମାଧ୍ୟମରେ ଏଭଳି ଯୋଗାଯୋଗ ଚାଲୁଛି ଏବଂ ଏଥିରୁ ଭାରତ ରାଷ୍ଟ୍ର ସମିତି ଭଳି ଦଳ ଓଡିଶାରେ ଆକାଉଣ୍ଟ ଖୋଲିବା ଘେନି କଳ୍ପନା ଜଳ୍ପନା ହେଉଛି ।

ବିଧାନସଭା ଓ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ଓ ବିଜେପି ପକ୍ଷରୁ ପ୍ରାକ୍‍ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଜେପିର କେନ୍ଦ୍ରୀୟ ନେତାମାନେ ଲୋକସଭା ପ୍ରବାସ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ନିର୍ବାଚନମଣ୍ଡଳୀକୁ ଯାଇ ଦଳୀୟ ସଙ୍ଗଠନକୁ ହିମତ୍‍ ଦେବା ସହ ସମ୍ଭାବ୍ୟ ବିଜୟୀ ପ୍ରାର୍ଥୀ ଖୋଜୁଛନ୍ତି । ଏହାଛଡା ସଙ୍ଗଠନ ଦାୟିତ୍ୱରେ ଥିବା ଦଳୀୟ ପ୍ରଭାରୀମାନଙ୍କ ସାର୍ଟିଫିକେଟ ଉପରେ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ଭାଗ୍ୟ ଓ ଭବିଷ୍ୟତ ନିର୍ଭର କରୁଥିବାରୁ ଏବେ ବିଜେପିର କ୍ଷେତ୍ର ପ୍ରଭାରୀମାନଙ୍କର ଆଦର ବେଶ୍‍ ବଢିଥିବା ଲକ୍ଷ୍ୟ କରାଯାଉଛି ।

ଇତିମଧ୍ୟରେ ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକମାନେ ଜିଲ୍ଲାଠାରୁ ପଞ୍ଚାୟତ ଓ ମୁନିସ୍‍ପାଲ୍‍ ୱାର୍ଡ ପର୍ଯ୍ୟନ୍ତ ଘୁରୁଛନ୍ତି । ଦଳୀୟ ସଙ୍ଗଠନ ସମ୍ପର୍କରେ କ୍ଷେତ୍ରରୁ ଟିକିନିଖି ତଥ୍ୟ ସଂଗ୍ରହ ପାଇଁ ବାରମ୍ବାର ପର୍ଯ୍ୟବେକ୍ଷକମାନଙ୍କୁ ପଠାଯାଉଛି । ସେହିଭଳି ଦଳୀୟ ବିଧାୟକ ଓ ଅନ୍ୟ ନେତାମାନେ ଯେପରି ନିଜ ନିଜ ନିର୍ବାଚନମଣ୍ଡଳୀ ଓ ସଂଗଠନ କ୍ଷେତ୍ରରେ ଅଧିକ ସମୟ ଦିଅନ୍ତି ତାହା ଉପରେ ବି ବିଜେଡି ସଙ୍ଗଠନ କଡା ନଜର ରଖିଛି ।

ଯେଉଁ ବିଧାୟକ ଓ ସାଂସଦମାନଙ୍କର ଜନସମ୍ପର୍କ କମିଛି ଓ ଯେଉଁମାନଙ୍କ ବିରୋଧରେ ଅଭିଯୋଗ ସମେତ ଜନଅସନ୍ତୋଷ ରହିଛି ସେମାନଙ୍କ ସଂକ୍ରାନ୍ତରେ ବିଭିନ୍ନ ରାଜନୈତିକ ଦଳ ସତର୍କ ଦୃଷ୍ଟି ରଖିଛନ୍ତି । ଗତଥର ଭଳି ଏଥର ବିଜେଡି ପୁଣି ମହିଳା କାର୍ଡ ଖେଳିପାରେ । ଏହି ଦୃଷ୍ଟିରୁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ମହିଳା ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଏବଂ ସେମାନେ ଯେଭଳି ଦଳୀୟ ଟିକେଟ ହାସଲ କରନ୍ତି ସେ ସଂକ୍ରାନ୍ତରେ ଉଚ୍ଚସ୍ତରରେ ବି ଲବି ଆରମ୍ଭ କରିଦେଇଛନ୍ତି ।

ଗତ ସାଧାରଣ ନିର୍ବାଚନରେ ବିଜେଡିକୁ ଚକ୍‍ମା ଦେଇ ବିଜେପି ୮ଟି ଓ କଂଗ୍ରେସ ଗୋଟିଏ ଲୋକସଭା ଆସନ ହାସଲ କରିଥିଲା । ଏ ସମସ୍ତ ଆସନ ଏଥର ଯେଭଳି ନିଜ କବ୍‍ଜାକୁ ଆସିବ ତାହାକୁ ଆଖି ଆଗରେ ରଖି ବିଜେଡିର ରଣନୀତି ଚାଲିଛି । ଅବଶ୍ୟ ଗତ ପୌର ଓ ପଞ୍ଚାୟତ ନିର୍ବାଚନ ସମୟରେ ଏହି ୯ଟି ଯାକ ଲୋକସଭା ନିର୍ବାଚନମଣ୍ଡଳୀ ଅଞ୍ଚଳରେ ବିଜେଡି ଦମ୍‍ଦାର ପ୍ରଦର୍ଶନ କରିଛି । ବିଗତ ପଞ୍ଚାୟତ ନିର୍ବାଚନରେ ବିଜେପି ୯ଟି ଜିଲ୍ଲା ପରିଷଦ ଦଖଲ କରିଥିବାବେଳେ ଏଥର ଏ ସବୁ ଆସନ ବିଜେଡି ଛଡାଇ ନେଇଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରେ ଓଡିଶା ଆସିନଥିଲେ ମଧ୍ୟ ଏଠାରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଅନ୍ୟ ନେତାମାନେ ହାତରେ ହାତ ଯୋଡ ଅଭିଯାନ ଚଳାଇ ଦଳୀୟ କର୍ମୀଙ୍କ ମନୋବଳ କିଛି ପରିମାଣରେ ବଢାଇଛନ୍ତି । ଏ ପରିପ୍ରେକ୍ଷୀରେ ଏଥର ସଂଗ୍ରେସର ଆସନ ସଂଖ୍ୟା ୯ରୁ ୯୦କୁ ବୃଦ୍ଧି ପାଇ ଦଳ ଓଡିଶାରେ ପୁଣି କ୍ଷମତାକୁ ଫେରିବ ବୋଲି ନେତାମାନେ ବାରମ୍ବାର ବିବୃତିବାଜି କରୁଛନ୍ତି । ତେବେ ଆଗାମୀ ନିର୍ବାଚନରେ ବିଜେଡି ସହ କଂଗ୍ରେସର ଲଢେଇ ହେବ ବୋଲି କଂଗ୍ରେସ ନେତାମାନେ କହୁଥିବାବେଳେ ଏଥର ଲଢେଇ ବିଜେଡି ଓ ବିଜେପି ମଧ୍ୟରେ ରହିବ ବୋଲି ବିଜେପି ନେତାମାନେ ଦୋହରାଉଛନ୍ତି ।

ଅନ୍ୟପକ୍ଷରେ ବିଜେଡିନେତାମାନେ କହୁଛନ୍ତି ଯେ ଏଥର ବିଜେଡି ପୂର୍ବପେକ୍ଷା ଅଧିକ ଭଲ ପ୍ରଦର୍ଶନ କରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଷଷ୍ଠ ପାଳି ସରକାର ଗଢିବା ଏକ ପ୍ରକାର ନିଶ୍ଚିତ । ତେବେ ଦ୍ୱିତୀୟ ସ୍ଥାନରେ ରହିବା ପାଇଁ ଲଢେଇ ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ବୋଲି ବିଜେଡି ଆକଳନ କରୁଛି । ନିର୍ବାଚନ ପାଇଁ ବର୍ଷାଧିକ ସମୟ ବାକି ଥିବାବେଳେ ପୂର୍ବାପେକ୍ଷା ଏଥର ଅଧିକ ଦଳ ଡିଆଁକୁ ଦେଖିବାକୁ ମିଳିବା ଏକ ପ୍ରକାର ନିଶ୍ଚିତ । (ତଥ୍ୟ)