Home General ଗୁଜବକାରୀ ସକ୍ରିୟ

ଗୁଜବକାରୀ ସକ୍ରିୟ

ଭୁବନେଶ୍ୱର : ରାଜ୍ୟରେ ନୂଆ ସରକାର ଶପଥ ଗ୍ରହଣର ଅବ୍ୟବହିତ ପୂର୍ବରୁ ଏବେ ଗୁଜବକାରୀମାନେ ସକ୍ରିୟ ହୋଇ ଉଠିଛନ୍ତି । ବିଶେଷକରି ବିଜେଡି ସରକାର ସମୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନାକୁ ନେଇ ନୂଆ ନୂଆ ଗୁଜବ ସୃଷ୍ଟି କରିବାରେ ଲାଗିଛନ୍ତି ।

ନିର୍ବାଚନ ଫଳ ପ୍ରକାଶ ପରେ ପରେ ବିଏସ୍‍କେୱାଇକୁ ନେଇ ଗୁଜବ ଉଠିଥିଲା । ବିଏସ୍‍କେୱାଇ କାର୍ଡକୁ ଡାକ୍ତରଖାନାଗୁଡିକ ଗ୍ରହଣ କରୁନଥିବା ନେଇ ବିଭିନ୍ନ ସୋସିଆଲ ମିଡିଆରେ ଖବର ପ୍ରସାରିତ ହେବାପରେ ଲୋକେ ଆତଙ୍କିତ ହୋଇପଡିଥିଲେ । ବିଶେଷକରି ଏହି କାର୍ଡ ଜରିଆରେ ଚିକିତ୍ସିତ ହେଉଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଦ୍ୱନ୍ଦରେ ପଡିବାପରେ ଖୋଦ୍‍ ରାଜ୍ୟ ସରକାର ଏ ନେଇ ସ୍ପଷ୍ଟିକରଣ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ଆସି କହିଥିଲେ ଯେ ବିଏସ୍‍କେୱାଇ ପୂର୍ବଭଳି ଜାରି ରହିଛି ।

ବିଏସ୍‍କେୱାଇ ଦ୍ୱନ୍ଦ ଦୂର ହେବାପରେ ଏବେ କାଳିଆ, ଛାତ୍ରବୃତ୍ତି ଆଦି ଯୋଜନାକୁ ନେଇ ଗୁଜବ ସୃଷ୍ଟି ହେବାରେ ଲାଗିଛି । କାଳିଆ ଯୋଜନା ବନ୍ଦ ହେବ କି ନାହିଁ ତାହାକୁ ନେଇ ଲୋକେ ଦ୍ୱନ୍ଦରେ ପଡୁଛନ୍ତି । ସେହିଭଳି ଛାତ୍ରବୃତ୍ତି ପାଇଁ ଆବେଦନ କରିଥିବା ଓ ବିଭିନ୍ନ ବୃତ୍ତି ଯୋଜନାରେ ଅର୍ଥ ପାଉଥିବା ଛାତ୍ରଛାତ୍ରୀମାନେ ଏହାର ଭବିଷ୍ୟତ ନେଇ ସନ୍ଦେହରେ ଅଛନ୍ତି ।

ସେହିଭଳି ସୋସିଆଲ ମିଡିଆରେ ଏବେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପୋଷାକର ରଙ୍ଗ ବଦଳିବା ଠାରୁ ଆରମ୍ଭକରି ବିଦ୍ୟାଳୟ କୋଠାର ରଙ୍ଗ ବଦଳିବ ବୋଲି କେତେକ ଗୁଜବକାରୀ ଖବର ଛାଡିବାରେ ଲାଗିଛନ୍ତି । ଏହାକୁ ନେଇ ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀମାନେ ଦ୍ୱନ୍ଦରେ ପଡିବା ସହିତ ଏହା ଆଲୋଚନାର ପ୍ରମୁଖ ବିଷୟବସ୍ତୁ ପାଲଟିଛି ।

ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ସଂଖ୍ୟାଧିକ ଯୋଜନା କେନ୍ଦ୍ର ସରକାରଙ୍କର ହୋଇଥିବାବେଳେ ଏ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କିଛି ମତ ରଖି ନାହାନ୍ତି । ପ୍ରାୟତଃ ସମସ୍ତ ଯୋଜନା ପାଇଁ ବଜେଟ୍‍ରେ ଅର୍ଥ ବ୍ୟବସ୍ଥା କରାଯାଇଛି । ତେଣୁ ଏଗୁଡିକ ବନ୍ଦ ହେବା ଏତେ ସହଜ ନୁହେଁ ବୋଲି ପ୍ରଶାସନିକ ଅଧିକାରୀମାନେ ମତ ଦେଉଛନ୍ତି ।

ହେଲେ କିଛି ଗୁଜବକାରୀ ଏବେ ଏହି ମଉକାରେ ଲୋକଙ୍କୁ ବିଭ୍ରାନ୍ତ କରିବାରେ ଲାଗିଛନ୍ତି । ଏଥିପାଇଁ ସେମାନେ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମର ସହାୟତା ନେଉଥିବାବେଳେ ସେମାନଙ୍କୁ କିନ୍ତୁ ନିୟନ୍ତ୍ରଣ କରାଯାଇ ପାରୁନଥିବା ଲକ୍ଷ୍ୟ କରାଯାଉଛି । ତେବେ ନୂଆ ସରକାର ଗଠନ ପୂର୍ବରୁ ଏଭଳି ଗୁଜବକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)