ଭୁବନେଶ୍ୱର: ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଗସ୍ତ କରି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ପ୍ରଥମେ କଟକର କ୍ୟାଣ୍ଟନମେଣ୍ଟ ରୋଡର ଗୋପବନ୍ଧୁ ଛକରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କର ଏକ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । ଏହାକୁ ମାନବତାର ପ୍ରତିମୂର୍ତ୍ତି ବା ଷ୍ଟାଚୁ ଅଫ ହ୍ୟୁମାନିଟି ନାମରେ ନାମିତ କରାଯାଇଛି । ଓଡିଶାରେ ମାନବତାର କଥା ଆସିଲେ, ପ୍ରଥମେ ଗୋପବନ୍ଧୁ ହିଁ ମନେ ପଡନ୍ତି ।
ଦୀନ, ଦରିଦ୍ର ଓ ଦୁଃଖି ଲୋକଙ୍କୁ ସହାୟତା କରିବାର ମହତ କାର୍ଯ୍ୟରେ ଗୋପବନ୍ଧୁ ହିଁ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିଆସିଛନ୍ତି । ତେଣୁ ସେ ଥିଲେ ମାନବତାର ମହାନ ଉଦଗାତା । ଗୋପବନ୍ଧୁଙ୍କ ମୂର୍ତ୍ତି ମାନବତାର ପ୍ରତୀକ ଭାବରେ ଯୁଗ ଯୁଗ ଧରି ଜନମାନସକୁ ଦରିଦ୍ର ନାରାୟଣ ସେବା ପାଇଁ ପ୍ରେରିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଆଶା ପ୍ରକାଶ କରିଥିଲେ ।
ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଏକଶତ ବର୍ଷ ପାଳନ ଉତ୍ସବ ଗତ ମାର୍ଚ୍ଚ ୨୩ ତାରିଖରୁ ସାରା ରାଜ୍ୟରେ ଆରମ୍ଭ କରାଯାଇଛି । ମହାତ୍ମା ଗାନ୍ଧୀ ତାଙ୍କର ଓଡିଶା ଗସ୍ତର ପ୍ରଥମ ଚରଣରେ କଟକ କାଠଯୋଡି ନଦୀ ବାଲିରେ ଆୟୋଜିତ ଏକ ବିରାଟ ଜନସମାବେଶରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ । ମହାତ୍ମାଙ୍କ ଓଡିଶା ଆଗମନର ସ୍ମାରକୀ ଭାବରେ ଆଜି ମୁଖ୍ୟମନ୍ତ୍ରୀ କାଠଯୋଡିର ବେଲ ଭ୍ୟ ଛକରେ ନିର୍ମିତ ଗାନ୍ଧୀ ଭିତ୍ତି ସ୍ଥାପତ୍ୟ କଳାର ଲୋକାର୍ପଣ ମଧ୍ୟ କରିଛନ୍ତି । ଏଥିରେ ଗାନ୍ଧୀଙ୍କ ବିଭିନ୍ନ ଆନ୍ଦୋଳନର ଦୃଶ୍ୟ ସମେତ ତାଙ୍କ ଆଦର୍ଶ ଓ ନୀତି ସୁନ୍ଦର ଭାବରେ ପ୍ରସ୍ଫୁଟିତ ହୋଇଛି ।
ସତ୍ୟ ଓ ଅହିଂସା ହେଉଛି ସାରା ବିଶ୍ୱକୁ ଭାରତର ଶ୍ରେଷ୍ଠ ଅବଦାନ । ଅହିଂସାର ପୂଜାରୀ ଭାବରେ ମହାତ୍ମା ଗାନ୍ଧୀ ସାରା ବିଶ୍ୱକୁ ନୂତନ ଦିଗଦର୍ଶନ ଦେଇଯାଇଛନ୍ତି ଏବଂ ଆଜିର ଦୁନିଆରେ ତା\’ର ପ୍ରାସଙ୍ଗିକତା ଅଧିକ ଅନୁଭୂତ ହେଉଛି ।
ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ଆଠ ଥର ଓଡିଶା ଆସିଥିଲେ ଏବଂ ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଇ ରାଜ୍ୟର ସମସ୍ୟା ସମ୍ପର୍କରେ ଭଲ ଭାବରେ ଅବଗତ ହୋଇଥିଲେ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ମଧ୍ୟ ସେ ଦୃଢ ସମର୍ଥନ ଦେଇଥିଲେ । ଆଜି ଓଡିଶା ଦିବସ ଅବସରରେ ବିଂଶ ଶତାବ୍ଦୀର ଦୁଇ ମହାପୁରୁଷ ଗାନ୍ଧୀ ଓ ଗୋପବନ୍ଧୁଙ୍କର ଆଦର୍ଶ ଓ ଚିନ୍ତାଧାରା ଯୁବ ସମାଜକୁ ଦେଶ ଓ ଜାତି ପାଇଁ ଅଧିକ ସମର୍ପିତ ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, ସାଂସଦ ଭର୍ତ୍ତୃହରି ମହତାବ, ସୁବାସ ସିଂହ, କଟକ ଜିଲ୍ଲାର ବିଧାୟକ ଗଣ, ସମାଜ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନେ ଊପସ୍ଥିତ ଥିଲେ ।