Home General ଗାଁରେ ୬୨.୫%ଙ୍କୁ ଟ୍ୟାପ୍‍ ଜଳ

ଗାଁରେ ୬୨.୫%ଙ୍କୁ ଟ୍ୟାପ୍‍ ଜଳ

ଭୁବନେଶ୍ୱର : ଜଳ ଜୀବନ ମିଶନ ଯୋଜନାରେ ଓଡିଶାରେ ଜୁଲାଇ ୨୬ତାରିଖ ସୁଦ୍ଧା ଗ୍ରାମାଞ୍ଚଳର ୬୨.୫% ପରିବାରକୁ ଟ୍ୟାପ୍‍ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇଛି । ଏହି ହାର ସର୍ବଭାରତୀୟ ତୁଳନାରେ କମ୍‍ ରହିଛି ।

ବିଜେଡି ସାଂସଦ ଡକ୍ଟର ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ସଂସଦରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହଲାଦ ସିଂ ପଟେଲ । କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଜଳ ଜୀବନ ମିଶନ ଯୋଜନା ଆରମ୍ଭ ସମୟରେ ଓଡିଶାରେ ୩.୧୧ଲକ୍ଷ ଗ୍ରାମଞ୍ଚଳ ପରିବାରକୁ ଟ୍ୟାପ୍‍ ଯୋଗେ ପାନୀୟଜଳ ମିଳୁଥିଲା । ଏହା ମୋଟ୍‍ ଗ୍ରାମାଞ୍ଚଳ ପରିବାରର ୩.୫% । ତେବେ ଚଳିତବର୍ଷ ଜୁଲାଇ ୨୬ତାରିଖ ସୁଦ୍ଧା ଏହି ତାଲିକାରେ ଆଉ ୫୨.୨୫ ଲକ୍ଷ ପରିବାରକୁ ସାମିଲ କରାଯାଇଛି । ଫଳରେ ଓଡିଶାର ଗ୍ରାମାଞ୍ଚଳରେ ଥିବା ମୋଟ୍‍ ୮୮.୬୪ଲକ୍ଷ ପରିବାର ମଧ୍ୟରୁ ୫୫.୩୬ଲକ୍ଷ ପରିବାର ଅର୍ଥାତ୍‍ ୬୨.୫% ଙ୍କୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ୍‍ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇଛି ।

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଆଉ ୩୦.୧୭ ଗ୍ରାମାଞ୍ଚଳ ପରିବାରକୁ ଟ୍ୟାପ୍‍ ଯୋଗେ ପାନୀୟଜଳ ଯୋଗାଣ ପାଇଁ ଓଡିଶା ସରକାର ଯୋଜନା କରିଥିବାବେଳେ ୨୦୨୩-୨୪ ବର୍ଷରେ ୨.୭୨ ଲକ୍ଷ ପରିବାରକୁ ସଂଯୋଗ ଦେଇପାରିଛି । ଏହାଛଡା ଜୁଲାଇ ୨୬ତାରିଖ ସୁଦ୍ଧା ଓଡିଶା ସକାର ଜଳ ଜୀବନ ମିଶନ ଯୋଜନାରେ ୯୬୫ କୋଟି ଟଙ୍କା ଖର୍ଚ୍ଚକରି ସାରିଲେଣି ।

ତେବେ ଦେଶର ବିଭିନ୍ନ ରାଜ୍ୟର ଗ୍ରାମାଞ୍ଚଳରେ ଜଳ ଜୀବନ ମିଶନର କାର୍ଯ୍ୟକାରିତା ନେଇ କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଯେଉଁ ତଥ୍ୟ ରଖିଛନ୍ତି ସେଥିରେ ଉଲ୍ଲେଖ କରିଛନ୍ତି ଯେ କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମାଞ୍ଚଳରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇ ସାରିଲାଣି । ଏଥି ମଧ୍ୟରେ ଗୋଆ, ଗୁଜୁରାଟ, ହିମାଚଳପ୍ରଦେଶ, ହରିଆନା, ପୁଡୁଚେରୀ, ପଞ୍ଜାମ, ହରିଆନା, ତେଲେଙ୍ଗାନା, ଆଣ୍ଡାମାନ ଏବଂ ନିକୋବର ଆଦି ରହିଛନ୍ତି । ବିହାର ଏ କ୍ଷେତ୍ରରେ ୯୬ ପ୍ରତିଶତରୁ ଅଧିକ ଲକ୍ଷ୍ୟ ହାସଲ କରିଥିବାବେଳେ ମିଜୋରାମର ଗ୍ରାମାଞ୍ଚଳରେ ୯୦ ପ୍ରତିଶତରୁ ଅଧିକ ପରିବାରକୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ୍‍ ଯୋଗେ ପାନୀୟଜଳ ଯୋଗାଣ ହୋଇ ସାରିଲାଣି ।

ସର୍ବଭାରତୀୟ ସ୍ତରରେ ୬୫ ପ୍ରତିଶତ ପରିବାରକୁ ଏହି ଯୋଜନାରେ ଟ୍ୟାପ୍‍ ଯୋଗେ ପାନୀୟଜଳ ଯୋଗାଣ ହୋଇଥିବାବେଳେ ଓଡିଶାର ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ୭୦.୦୮ ପ୍ରତିଶତ, ଛତିଶଗଡରେ ୫୪.୧୩, ଝାଡଖଣ୍ଡରେ ୩୯.୦୮ ଏବଂ ପଶ୍ଚିମବଙ୍ଗରେ ଏହା ୩୪.୪୨ ପ୍ରତିଶତ ରହିଛି । (ତଥ୍ୟ)