Home Judiciary ମହିଳା ଅପରାଧ ମାମଲାରେ ଫଏସଲା ହାର ୧.୪%

ମହିଳା ଅପରାଧ ମାମଲାରେ ଫଏସଲା ହାର ୧.୪%

ଭୁବନେଶ୍ୱର : ମଣିପୁର ସମେତ ଦେଶର ଅଧିକାଂଶ ରାଜ୍ୟରେ ମହିଳାମାନଙ୍କ ପ୍ରତି ଅପରାଧ ବଢି ଚାଲିଥିବାବେଳେ ଏହି ଅପରାଧିକ ମାମଲାଗୁଡିକ ଭିତରୁ ବର୍ଷରେ ଅତି ବେଶିରେ ୫% ମାମଲା ଫଏସଲା ହେଉଛି । ଓଡିଶାରେ ଏଭଳି କିସମର ମାମଲାର ଫଏସଲା ହାର ମାତ୍ର ୧.୪% ଥିବାବେଳେ ଆସାମ, ବିହାର, ଛତିଶଗଡ, ଗୋଆ, ଗୁଜୁରାଟ, ହରିଆନା, ହିମାଚଳ, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମଣିପୁର, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଦିଲ୍ଲୀ ଆଦିରେ ରାଜ୍ୟରେ ଏ କିସମର ମାମଲା ଭିତରୁ ବର୍ଷରେ ୧୦% ବି ଫଏସଲା ହୋଇପାରୁ ନାହିଁ ।

ଭାରତ ସରକାରଙ୍କ ଏନସିଆରବିର ସର୍ବଶେଷ ରିପୋର୍ଟ ମୁତାବକ ମହିଳାଙ୍କ ପ୍ରତି ହେଉଥିବା ଅପରାଧିକ ମାମଲାରେ ସାରା ଦେଶରେ ଦଣ୍ଡବିଧାନ ହାର ମାତ୍ର ୨୬.୫% ଥିବାବେଳେ ଓଡିଶାରେ ଏହି ହାର ୮.୩% ରହିଛି । ମହିଳାଙ୍କ ପ୍ରତି ଅପରାଧିକ ମାମଲାରେ ଦଣ୍ଡବିଧାନ ହାର ପଶ୍ଚିମବଙ୍ଗରେ ୨.୫% ଥିବାବେଳେ ଆନ୍ଧ୍ରରେ ୫.୬, ଆସାମରେ ୩.୯, ଗୋଆରେ ୫.୩, ଗୁଜୁରାଟରେ ୫, କର୍ଣ୍ଣାଟକରେ ୮.୨, ଦିଲ୍ଲରେ ୯.୧% ରହିଛି ।

ଉପରୋକ୍ତ ସରକାରୀ ପରିସଂଖ୍ୟାନରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଆଇନ୍‍ ଅଦାଲତରେ ଏ ସଂକ୍ରାନ୍ତୀୟ ଗୁରୁତର ମାମଲାଗୁଡିକର ଶୁଣାଣି ମନ୍ଥର ହେବାସହ ମାମଲା ବର୍ଷ ବର୍ଷ ଧରି ଗଡୁଛି ଏବଂ ଯେତିକି ବି ମାମଲା ଫଏସଲା ହେଉଛି ସେଥିରେ ଦଣ୍ଡବିଧାନ ହାର ଅତି ନଗଣ୍ୟ ରହୁଥିବାରୁ ଅଭିଯୁକ୍ତମାନଙ୍କ ପ୍ରତି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହୋଇପାରୁ ନାହିଁ । ଫଳରେ ମହିଳାମାନଙ୍କ ନିରାପତ୍ତା ମଣିପୁର ସମେତ ଦୋର ବିଭିନ୍ନ ଅଞ୍ଚଳରେ ଭୟଙ୍କର ସ୍ଥିତିରେ ପହଞ୍ଚିଛି ବୋଲି ବିଭିନ୍ନ ମହିଳା ସଂଗଠନ ସମେତ ଆଇନ୍‍ ବିଶାରଦ ଓ ସମାଜଶାସ୍ତ୍ରୀମାନେ ମତବ୍ୟକ୍ତ କରୁଛନ୍ତି ।

ଏହି ସରକାରୀ ତଥ୍ୟ ମୁତାବକ ୨୦୨୧ ଶେଷ ସୁଦ୍ଧା ସାରା ଦେଶରେ ବିଭିନ୍ନ ଆଇନ୍‍ ଅଦାଲତରେ ୨୧,୨୧,୭୫୫ଟି ମହିଳାମାନଙ୍କ ପ୍ରତି ଘଟିଥିବା ଅପରାଧ ସଂକ୍ରାନ୍ତୀୟ ମାମଲା ବିଚାରାଧିନ ଥିବାବେଳେ ଏହି ବର୍ଷରେ ମାତ୍ର ୧,୦୬,୩୨୮ଟି ମାମଲାର ଫଏସଲା ହୋଇଥିଲା ଯେଉଁଥିରେ ମାତ୍ର ୨୩,୨୪୩ଟିରେ ଦଣ୍ଡବିଧାନ କରାଯାଇଥିବାବେଳେ ୬୦,୨୯୩ଟିରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଥିଲେ । ତେବେ ୨୦୨୨ଆରମ୍ଭ ବେଳକୁ ସାରା ଦେଶରେ ଏଭଳି କିସମର ୨୦,୧୫,୪୨୭ଟି ମାମଲା ବିଚାରାଧିନ ଥିବାବେଳେ ଏବେ ଏହି ସଂଖ୍ୟା ୨୩ଲକ୍ଷରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି ।

ଏହି ତଥ୍ୟ ମୁତାବକ ୨୦୨୧ ଶେଷ ବେଳକୁ ଓଡିଶାର ବିଭିନ୍ନ ଆଇନ୍‍ ଅଦାଲତରେ ମହିଳାଙ୍କ ପ୍ରତି ଘଟିଥିବା ବିଭିନ୍ନ ଅପରାଧ ସଂକ୍ରାନ୍ତୀୟ ୧,୬୦,୫୦୬ଟି ମାମଲା ବିଚାରାଧିନ ଥିବାବେଳେ ସେଥି ମଧ୍ୟରୁ ମାତ୍ର ୨୩୧୩ଟି ମାମଲା ଫଏସଲା ହୋଇଥିଲା ଏବଂ ସେଥିରୁ ୨୧୨୦ଟିରେ ଅଦାଲତ ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରିଥିବାବେଳେ ମାତ୍ର ୧୯୩ଟି ଘଟଣାରେ ଦଣ୍ଡବିଧାନ କରାଯାଇଥିଲା । ୨୦୨୨ ଆରମ୍ଭ ବେଳକୁ ଓଡିଶାର ଆଇନ୍‍ ଅଦାଲତଗୁଡିକରେ ଏ କିସମର ୧,୫୮,୧୯୩ଟି ମାମଲା ବିଚାରାଧିନ ଥିବାବେଳେ ଏବେ ଏହି ସଂଖ୍ୟା ପାଖାପାଖି ୨ଲକ୍ଷ ହେବବୋଲି ଆଶଙ୍କା କରାଯାଉଛି ।

ବିଭିନ୍ନ ମହିଳା ସଂଗଠନ ଅଭିଯୋଗ କରୁଛନ୍ତି ଯେ ଅନେକ କ୍ଷେତ୍ରରେ ପୁଲିସ୍‍ ମହିଳାଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାଗୁଡିକୁ କିଭଳି ହାଲୁକାଭାବେ ନେଇଥାଏ ତାହାର ଜ୍ୱଳନ୍ତ ପ୍ରମାଣ ମଣିପୁରରେ ଦେଖିକାକୁ ମିଳିଥିବାବେଳେ ସାରା ଦେଶରେ ବି ଏଭଳି ଘଟଣା ଘଟୁଛି ଏବଂ ଅନେକ କ୍ଷେତ୍ରରେ ବିଭିନ୍ନ କାରଣରୁ ମାମଲା ରୁଜୁ ହେଉନଥିବାରୁ ବାସ୍ତବରେ ଏ କିସମର ଅପରାଧ ସଂଖ୍ୟା କିନ୍ତୁ ଢେର ଅଧିକ । (ତଥ୍ୟ)