ଭୁବନେଶ୍ୱର : ଏକ ଐତିହାସିକ ପଦକ୍ଷେପ ସ୍ଵରୂପ ରାଜ୍ୟର ୬,୭୯୯ଟି ଗ୍ରାମ ପଞ୍ଚାୟତକୁ ଆଇପି ଏମ୍ପିଏଲଏସ ପ୍ରଯୁକ୍ତି ସହ ରିଂ ଟୋପୋଲୋଜିରେ ଅପଗ୍ରେଡ୍ କରାଯିବ। ଗାଁ ସ୍ତର ପର୍ଯ୍ୟନ୍ତ ଫାଇବର ଟୁ ହୋମ ସଂଯୋଗ ବିସ୍ତାର କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ମିଶନରେ ଭାରତ ନେଟ୍ ପରିଯୋଜନା ଫେଜ୍-୩ର ଗ୍ରାମୀଣ ଓଡ଼ିଶାକୁ ଡିଜିଟାଲ୍ ଭାବେ ସଶକ୍ତ କରିବା ଦିଗରେ ଭାରତନେଟ୍ ପ୍ରକଳ୍ପ ହାଇସ୍ପିଡ ଇଣ୍ଟରନେଟ୍ ସେବା ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, ଇ-ଗଭର୍ନାନ୍ସ ଓ ଡିଜିଟାଲ୍ ଅର୍ଥନୀତିକୁ ଗ୍ରାମ ସ୍ତରରେ ଆହୁରି ସୁଦୃଢ କରାଯିବା ପାଇଁ କେନ୍ଦ୍ର ସରକାର ଓଡ଼ିଶାରେ ପ୍ରାୟ ୩୩୮୪ କୋଟିଋ ଅଧିକ ଟଙ୍କା ଖର୍ଚ୍ଚ କରିବେ ।
ଏହାକୁ ଆଗାମୀ ୩ ବର୍ଷରେ ଶେଷ କରାଯିବ । ଏହା ଅଧୀନରେ ୫୦ ହଜାରରୁ ଅଧିକ ଗାଁକୁ ଇଣ୍ଟରନେଟ ସେବା ଉପଲବ୍ଧ କରାଯିବ ଏବଂ ଏଥି ନିମନ୍ତେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ। ବ୍ଲକକୁ ଗୋଟିଏ ୟୁନିଟ ହିସାବରେ ବ୍ଲକ ଅପ୍ଟିକାଲ ଫାଇବର ସଂଯୋଗୀକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇ, ସେଠାରୁ ପଞ୍ଚାୟତକୁ ଯୋଡି ପଞ୍ଚାୟତ ଅପ୍ଟିକାଲ ଫାଇବର ସଂଯୋଗୀକରଣ କେନ୍ଦ୍ର କରାଯିବ ଓ ପଞ୍ଚାୟତରୁ ଗାଁ ର ଘରକୁ ଘର ସଂଯୋଗ କରାଯିବ ।
ଏହି ବ୍ୟବସ୍ଥାରେ ପ୍ରତ୍ୟେକ ବ୍ଲକକୁ ଡାଟା ଏକ୍ସଚେଞ୍ଜ ସେଣ୍ଟର ଏବଂ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ୟ ଏକ ଡାଟା ଏକ୍ସଚେଞ୍ଜ ସେଣ୍ଟର ଭାବେ ବିକଶିତ କରାଯିବ । ସରକାରଙ୍କ ସଂକଳ୍ପ ପତ୍ର ଅନୁସାରେ ଆଜି ଡିଜିଟାଲ୍ ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବା, ଉନ୍ନତ ପ୍ରଯୁକ୍ତିର ପ୍ରସାର ଏବଂ ନାଗରିକମାନଙ୍କୁ ଉନ୍ନତମାନର ଡିଜିଟାଲ୍ ସେବା ପ୍ରଦାନ କରିବା ଲକ୍ଷ୍ୟରେ ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ନିଶ୍ଚିତ ରୂପେ ବାସ୍ତବ ରୂପ ନେଇଛି ବୋଲି ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ କହିଛନ୍ତି ।
ପ୍ରଥମ ବୁଝାମଣା ପତ୍ରଟି ଓଡ଼ିଶାରେ ସଂଶୋଧିତ ଭାରତନେଟ୍ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଡିଜିଟାଲ୍ ଭାରତ ନିଧି, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ, ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ଏବଂ ବିଏସଏନଏଲ ମଧ୍ୟରେ ତ୍ରିପକ୍ଷୀୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏଥିସହ ଉଦୀୟମାନ ପ୍ରଯୁକ୍ତି, ଗବେଷଣା ଏବଂ ଡିଜିଟାଲ୍ ଶାସନ କ୍ଷେତ୍ରରେ ପାରସ୍ପରିକ ସହଯୋଗ ବୃଦ୍ଧି ପାଇଁ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଏବଂ ସି-ଡ୍ୟାକ୍ ମଧ୍ୟରେ ଅନ୍ୟ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

