Home General ଗସ୍ତ ଶତବାର୍ଷିକୀ ପାଳନ ପାଇଁ ତତ୍ପରତା

ଗସ୍ତ ଶତବାର୍ଷିକୀ ପାଳନ ପାଇଁ ତତ୍ପରତା

ଭୁବନେଶ୍ୱର : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଗସ୍ତର ଶତବାର୍ଷିକୀ ପାଳନ ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଥିବା ବେଳେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଏଥିପାଇଁ ତତ୍ପରତା ପ୍ରକାଶ ପାଇଛି । ତେବେ ଏହି କାର୍ଯ୍ୟକ୍ରମ ସହିତ ଅସହଯୋଗ ଆନ୍ଦୋଳନର ଶତବାର୍ଷିକୀ ଏବଂ ଆସନ୍ତାବର୍ଷ ସ୍ୱାଧୀନତା ପ୍ରାପ୍ତିର ପ୍ଲାଟିନମ୍‍ ଜୁବୁଲି ପାଳନ ମାଧ୍ୟମରେ ଗାନ୍ଧୀଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ ଏବଂ ବିଶେଷକରି ଗ୍ରାମ ସ୍ୱରାଜର ପ୍ରୟୋଗଶାଳା ଭାବେ ଓଡ଼ିଶାକୁ ଗଢ଼ି ତୋଳିବା ପାଇଁ ମତପ୍ରକାଶ ପାଉଛି ।

୧୯୩୬ରେ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ ପୂର୍ବରୁ ଗାନ୍ଧୀଜୀଙ୍କ ଉଦ୍ୟମ କ୍ରମେ ୧୯୨୦-୨୧ ମସିହାରେ ଓଡ଼ିଶାକୁ ଜାତୀୟ ସ୍ତରରେ ସ୍ୱତନ୍ତ୍ର ରାଜନୈତିକ ପରିଚିତି ଦେବା ଲାଗି ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ପ୍ରଥମ ଉକ୍ରଳ ପ୍ରଦେଶ କଂଗ୍ରେସ କମିଟି ଗଠନ କରାଯାଇଥିଲା । ୧୯୨୧ ମାର୍ଚ୍ଚ ୨୩ ତାରିଖରେ ଗାନ୍ଧୀଜୀ ତାଙ୍କର ସପ୍ତାହବ୍ୟାପୀ ପ୍ରଥମ ଓଡ଼ିଶାଗସ୍ତ କ୍ରମରେ ଆସିବାର ବର୍ଷକ ପୂର୍ବରୁ ରାଜ୍ୟର ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କୁ ବଞ୍ଚାଇବା ପାଇଁ ଗୋପବନ୍ଧୁ ଓ ଠକ୍କରବାପାଙ୍କ ମାଧ୍ୟମରେ ବ୍ୟାପକ ତ୍ରାଣ କାର୍ଯ୍ୟ କରାଇଥିଲେ ।

୧୯୨୧ ମାର୍ଚ୍ଚ ୨୩ ପ୍ରତ୍ୟୁଷରେ ପତ୍ନୀ କସ୍ତୁରବା ଓ ପୁଅ ଦେବଦାସଙ୍କ ସହ ହାୱଡ଼ା ପୁରୀ ଏକ୍ସପ୍ରେସ୍‍ ରେଳ ଯୋଗେ ଆସି ଗାନ୍ଧୀଜୀ କଟକରେ ପହଞ୍ଚିଥିଲେ । ସେଦିନ ଗାନ୍ଧୀ ଦର୍ଶନ ପାଇଁ କଟକରେ ସ୍ୱେଚ୍ଛାକୃତ ଭାବେ ବିପୁଳ ଜନ ସମାବେଶ ହୋଇଥିଲା । ଏହି ପ୍ରଥମ ଗସ୍ତ ବେଳେ ଗାନ୍ଧୀଜୀ ସ୍ୱରାଜ୍ୟ ଆଶ୍ରମରେ ଅବସ୍ଥାନ କରିଥିଲେ । ସେତେବେଳେ କଟକ କାଠଯୋଡ଼ି ବାଲିରେ ଏକ ଜନସଭାକୁ ସମ୍ବୋଧିତ କରିବା ସହିତ ବିନୋଦ ବିହାରୀରେ ମହିଳାମାନଙ୍କ ଏକ ସ୍ୱତନ୍ତ୍ର ସଭା, କଦମ୍‍ରସୁଲରେ ମୁସଲମାନମାନଙ୍କ ଅନ୍ୟ ଏକ ସଭାରେ ଯୋଗ ଦେଇଥିଲେ ।

ଏହାଛଡ଼ା ଛାତ୍ର, ଯୁବକ ଓ ବୁଦ୍ଧିଜୀବିମାନଙ୍କୁ ଭେଟିବା ସଙ୍ଗେ ସଙ୍ଗେ ଗୁଜରାଟୀମାନଙ୍କ ଏକ ବୈଠକ କରାଇ ଦୁର୍ଭିକ୍ଷ ପ୍ରପୀଡ଼ିତ ଓଡ଼ିଶାବାସୀଙ୍କ ସେବା ଲାଗି ମୁକ୍ତ ହସ୍ତରେ ଦାନ କରିବାକୁ ନିବେଦନ କରିଥିଲେ । ଏହି ଗସ୍ତ ଅବସରରେ ସେ ମାତୃଭାଷାରେ ଶିକ୍ଷାଦାନ, ମହିଳମାନଙ୍କ ସଶକ୍ତିକରଣ ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ରକ୍ଷା ସହିତ ଅସହଯୋଗ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ନିବେଦନ କରିଥିଲେ ।

କଟକରେ ଦୁଇଦିନ ରହଣିକରି ଗାନ୍ଧୀଜୀ ଭଦ୍ରକ ଯାଇ ସେଠାରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ଇଂରେଜ ଶାସନ ବ୍ୟବସ୍ଥାରେ ସୈତାନୀପଣ ବ୍ୟାପିଥିବାରୁ ଏହାର ଅନ୍ତ ଲାଗି ଜନସାଧାରଣଙ୍କୁ ନିବେଦନ କରିଥିଲେ । ଭଦ୍ରକରୁ ଗାନ୍ଧୀଜୀ ସାକ୍ଷୀଗୋପାଳ ଆସି ବନ ବିଦ୍ୟାଳୟ ପରିଦର୍ଶନ ସହ ଲୋକଙ୍କୁ ସମ୍ବୋଧିତ କରିଥିଲେ । ପୁରୀରେ ସେ ତିନିଦିନ ଅବସ୍ଥାନ କରିବା ଅବସରରେ ଜନସଭାକୁ ସମ୍ବୋଧିତ କରିବା ସହ ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କୁ ଭେଟିଥିଲେ ଏବଂ ସପତ୍ନୀକ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉମାନଙ୍କ ଦର୍ଶନ କରିଥିଲେ ।

ଏହି ସପ୍ତାହବ୍ୟାପି ଗ୍ରସ୍ତକ୍ରମ ବ୍ରହ୍ମପୁରରେ ୨୯ ତାରିଖରେ ସରିଥିଲା । ସେଠାରେ ବିଭିନ୍ନ ସମାବେଶରେ ଯୋଗଦେବା ସହ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନ ଦାବିକୁ ଗାନ୍ଧୀଜୀ ଖୋଲା ସମର୍ଥନ କରିଥିଲେ । ଓଡ଼ିଶାର ଚିତ୍ର ତାଙ୍କୁ ଏତେ ବ୍ୟଥିତ କରିଥିଲା ଯେ ତାଙ୍କ ପ୍ରଥମ ଗସ୍ତର ଛଅମାସ ନ ପୁରୁଣୁ ସେ ତାଙ୍କ ପରିଧାନ ବଦଳାଇ ଜୀବନର ଶେଷ ପର୍ଯ୍ୟନ୍ତ ଆଣ୍ଠୁଲୁଚା ଖଦି ଖଣ୍ଡେ ପିନ୍ଧୁଥିଲେ । ଗାନ୍ଧୀଜୀ ଏହାପରେ ଅବଶ୍ୟ ଆଉ ୭ ଥର ଓଡ଼ିଶା ଗସ୍ତରେ ଆସିଥିଲେ ବୋଲି ଗାନ୍ଧୀ ଦର୍ଶନର ଅନ୍ୟତମ ଚିନ୍ତକ ପ୍ରହଲାଦ ସିଂହ ଉଲ୍ଲେଖ କରିଛନ୍ତି ।