Home Finance ଦୁଇ ଜିଲ୍ଲାରେ ଡିଜିଟାଲ କାରବାର

ଦୁଇ ଜିଲ୍ଲାରେ ଡିଜିଟାଲ କାରବାର

ଭୁବନେଶ୍ୱର : ଅ।ସନ୍ତା ବର୍ଷ ଫେବୃୟାରୀ ସୁଦ୍ଧା ରାଜ୍ୟର ଦୁଇଟି ଜିଲ୍ଲାରେ ଶତ ପ୍ରତିଶତ ଦେୟ ଡିଜିଟାଲ ମୋଡ୍‍ରେ ହେବ । କଟକ ଓ ବଲାଙ୍ଗିର ଜିଲ୍ଲାରେ ଫେବୃୟାରୀ ଶେଷ ସୁଦ୍ଧା ଏହା କରିବାକୁ ବ୍ୟାଙ୍କ୍‍ଗୁଡିକୁ ଲକ୍ଷ୍ୟ ଦିଆଯାଇଛି ।

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନାଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡ୍‍ରେ ଅର୍ଥ ପ୍ରଦାନ ନେଇ ଥିବା ରାଜ୍ୟ ସ୍ତରୀୟ ମନିଟରିଂ କମିଟି (ଏସ୍‍ଏଲ୍‍ଏମ୍‍ସିଡିପି) ବୈଠକରେ ଏ ନେଇ ରୋଡ୍‍ମ୍ୟାପ ପ୍ରସ୍ତୁତ ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ୍‍, ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି, ବିଭିନ୍ନ ବିଭାଗ ଏବଂ ସହଯୋଗୀ ସଂସ୍ଥାଗୁଡିକୁ ନେଇ ଏ ସଂକ୍ରାନ୍ତରେ ନିୟମିତ ମନିଟରିଂ କରାଯାଉଛି ।

କେନ୍ଦ୍ର ସରକାର ଗ୍ରାହକଙ୍କ ସହାୟତାରେ ଶତ ପ୍ରତିଶତ ଡିଜିଟାଲ କାରବାର ଲାଗି ଉଦ୍ୟମ ଚଳାଇଥିବାବେଳେ ଓଡିଶା ସରକାର ଏହାକୁ ସହଯୋଗ କରୁଛନ୍ତି । କଟକ ଓ ବଲାଙ୍ଗିର ଜିଲ୍ଲାରେ ଶତ ପ୍ରତିଶତ ଡିଜିଟାଲ ପେମେଣ୍ଟ କାର୍ଯ୍ୟକାରୀ ଲାଗି ଲକ୍ଷ୍ୟ ରହିଛି । ଉଭୟ ଜିଲ୍ଲାରେ ଡେବିଟ ଓ ରୁପେ କାର୍ଡ ବ୍ୟବହାର ବୃଦ୍ଧି ପାଉଛି । ସର୍ବଶେଷ ରିପୋର୍ଟ ଅନୁଯାୟୀ କଟକ ଜିଲ୍ଲାରେ ଡେବିଟ୍‍ ଓ ରୁପେ କାର୍ଡ ବ୍ୟବହାର ୬୫ ପ୍ରତିଶତରେ ପହଞ୍ଚିଥିବାବେଳେ ୧୧.୩୪ ପ୍ରତିଶତ ନେଟ୍‍ ବ୍ୟାଙ୍କିଙ୍ଗ୍‍ ସୁବିଧା ରହିଛି । ଅନୁରୂପ ଭାବେ କରେଣ୍ଟ ଆକାଉଣ୍ଟ ହିତାଧିକାରୀଙ୍କ କ୍ଷେତ୍ରରେ ପୋସ୍‍ ଓ କ୍ୟୁଆର ବ୍ୟବହାର ୨୧.୮୧ ପ୍ରତିଶତରେ ପହଞ୍ଚିଛି ।

ବଲାଙ୍ଗିର ଜିଲ୍ଲାରେ ଡେବିଟ୍‍ ଓ ରୁପେ କାର୍ଡ ୫୮.୭୪ ପ୍ରତିଶତରେ ପହଞ୍ଚିଥିବାବେଳେ ନେଟ୍‍ ବ୍ୟାଙ୍କିଙ୍ଗ୍‍ ପରିସୀମା ୧୦.୪୬ ପ୍ରତିଶତ ପହଞ୍ଚିଛି । ସେହିଭଳି କରେଣ୍ଟ ଆକାଉଣ୍ଟ ହିତାଧିକାରୀଙ୍କ ପୋସ୍‍ ଓ କ୍ୟୁଆର ବ୍ୟବହାର ୨୧.୪୯ ପ୍ରତିଶତରେ ପହଞ୍ଚିଥିବା ସୂଚନା ମିଳିଛି । ଏସ୍‍ଏଲ୍‍ଏମ୍‍ସିଡିପି ପକ୍ଷରୁ ରୋଡ ମ୍ୟାପ କାର୍ଯ୍ୟକାରୀ ନେଇ ବ୍ୟାଙ୍କ୍‍ଗୁଡିକୁ ମାର୍ଗଦର୍ଶନ ଦିଆଯାଉଛି । ଅଧିକ ଡିଜିଟାଲ କାରବାର ଲାଗି ସମସ୍ତ ବ୍ୟବସାୟୀଙ୍କ ନିକଟରେ ପୋସ୍‍ ରହିବା ଆବଶ୍ୟକ ।

ଉଭୟ ଜିଲ୍ଲାରେ ନେଟ୍‍ୱାର୍କ ସ୍ଥିତିରେ ଅଧିକ ସୁଧାର ଆଣିବାପାଇଁ ପଦକ୍ଷେପ ନେବାକୁ ବିଏସ୍‍ଏନ୍‍ଏଲ୍‍, ଜିଓ, ଏୟାରଟେଲ, ଭୋଡାଫୋନ୍‍ ଆଦି ଟେଲିକମ୍‍ କମ୍ପାନୀଗୁଡିକୁ ଅନୁରୋଧ କରାଯାଇଛି । ଉଭୟ ଜିଲ୍ଲାରେ ସମସ୍ତ ସରକାରୀ ଦେୟ ସହିତ ସ୍କୁଲ, କଲେଜ ଆଦି ଫି ଡିଜିଟାଲ ମୋଡ୍‍ରେ ଗ୍ରହଣ କରାଯିବ । ଏଥିପାଇଁ ନାବାର୍ଡ ଓ ଆରବିଆଇ ସହାୟତାରେ ଆର୍ଥକ ସାକ୍ଷରତା କାର୍ଯ୍ୟକ୍ରମ ଚଳାଯିବାକୁ ସ୍ଥିର ହୋଇଛି ।

ତେବେ ଡିଜିଟାଲ କାରବାର ସହିତ ବ୍ୟାଙ୍କ୍‍ ଶାଖା ଖୋଲିବା ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ମଧ୍ୟ ଏ ନେଇ ଆଲୋଚନା ହୋଇଥିଲା । ସୂଚନା ଅନୁଯାୟୀ ୪୮୭୩ ପଞ୍ଚାୟତରେ ବ୍ୟାଙ୍କ୍‍ ଶାଖା ନାହିଁ । ନିକଟରେ ବ୍ୟାଙ୍କ୍‍ମାନଙ୍କୁ ୬୫ଟି ପଞ୍ଚାୟତରେ ନିଜସ୍ୱ ସ୍ଥାୟୀ ଶାଖା ପ୍ରତିଷ୍ଠା ସହିତ କାରବାର ଆରମ୍ଭ କରିବାକୁ କୁହାଯାଇଛି । ରାଜ୍ୟ ସରକାର ବାରମ୍ବାର ବ୍ୟାଙ୍କ୍‍ ଭିତ୍ତିଭୂମି ବଢାଇବାପାଇଁ ଅନୁରୋଧ କରିବା ସହିତ କେନ୍ଦ୍ର ସରକାରଙ୍କ ନଜରକୁ ଏହା ଆଣିବାରେ ଲାଗିଛନ୍ତି ।