Home Excise ଗଞ୍ଜେଇ ଚାଷର ମୂଳୋତ୍ପାଟନ ପାଇଁ ରଣନୀତି

ଗଞ୍ଜେଇ ଚାଷର ମୂଳୋତ୍ପାଟନ ପାଇଁ ରଣନୀତି

ଭୁବନେଶ୍ୱର : ରାଜ୍ୟ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଆଜି ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ବୋଥ୍ରା,ଏସଟିଏଫ୍‍ ଡିଆଇଜି ଶ୍ରୀ ଜୟ ନାରାୟଣ ପଙ୍କଜ, ଅବକାରୀ କମିଶନର ଦାୟିତ୍ୱରେ ଥିବା ଶ୍ରୀ ରାମ ଚନ୍ଦ୍ର ପାଲଟା, ଅବକାରୀ ବିଭାଗର ଅତିରିକ୍ତ ସଚିବ ଶ୍ରୀ ସାଇଦତ୍ତ ବିପ୍ଲବ୍ କେଶରୀ ପ୍ରଧାନ, ଏନ୍‍ସିବିର ଏସପି, ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡା, ବୌଦ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ଅନଗୁଳ ଏବଂ ଦେବଗଡର ଏସ୍‍ପି, ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକମାନେ ଉପସ୍ଥିତ ଥିଲେ ।

ବେଆଇନ ଗଞ୍ଜେଇ ଚାଷର ମୂଳୋତ୍ପାଟନ କରିବା ଏବଂ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି (ଆଇଏମସି) ର ସୁପାରିଶକୁ କାର୍ଯ୍ୟକାରୀ କରିବା ଏବଂ ଏନ୍‍ଡିପିଏସ୍‍ ଅଧିନିୟମ ଅନୁଯାୟୀ ଅପରାଧୀଙ୍କ ଗିରଫ ପାଇଁ ୨୦୨୨-୨୩ ଲାଗି ରଣନୀତି ପ୍ରସ୍ତୁତ କରିବା ସକାଶେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଅବକାରୀ ବିଭାଗର ପ୍ରମୁଖ ସଚିବ ପ୍ରତ୍ୟେକ ଜିଲ୍ଲାରେ ଅନୁଷ୍ଠିତ ସମନ୍ୱୟ ବୈଠକର ସ୍ଥିତିର ସମୀକ୍ଷା କରିଥିଲେ ଏବଂ ଗୁଇନ୍ଦା ସୂଚନା ସଂଗ୍ରହ ପାଇଁ ଡିଏଫ୍‍ଓ ଏବଂ ଅନ୍ୟ ବିଭାଗର ଅଧିକାରୀମାନଙ୍କୁ ସାମିଲ କରିବାକୁ ଏବଂ ସର୍ଭେ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।

ଗଞ୍ଜେଇ ଚାଷ ହେଉଥିବା ରାଜସ୍ୱ ଜମି, ଜଙ୍ଗଲ ଜମି ଓ ଘରୋଇ ଜମି ସଂକ୍ରାନ୍ତରେ ରିପୋର୍ଟ ଦାଖଲ ପାଇଁ କହିଥିଲେ । ସେ ମଧ୍ୟ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତିରାଜ ସଦସ୍ୟ, ଗ୍ରାମ ସ୍ତରୀୟ ଅଧିକାରୀ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ଗ୍ରାମ / ପଞ୍ଚାୟତ ସ୍ତରୀୟ କମିଟି ଗଠନ କରିବାକୁ ଏବଂ ବେଆଇନ ଗଞ୍ଜେଇ ଚାଷ ତଥା ପରିବହନ ପାଇଁ ଏନ୍‍ଡିପିଏସ୍‍ ଅଧିନିୟମରେ ଥିବା ଦଣ୍ଡବିଧାନ ବ୍ୟବସ୍ଥା ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଆଇଏମସିର ସୁପାରିଶ ଏବଂ ବିଭିନ୍ନ ସଂଯୁକ୍ତ ବିଭାଗ କର୍ତ୍ତୃପକ୍ଷଙ୍କ ସହିତ ଜଡିତ ବିକଳ୍ପ ଜୀବିକା କାର୍ଯ୍ୟକ୍ରମ ସମ୍ବନ୍ଧରେ ୦୪.୧୦.୨୦୨୧ ରେ ଆୟୋଜିତ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା କାର୍ଯ୍ୟକାରୀ କରିବାକୁ ସେ ଅଧିକାରୀମାନଙ୍କୁ କହିଥିଲେ ।

କ୍ରାଇମବ୍ରାଞ୍ଚ ଏଡିଜି ଦର୍ଶାଇଥିଲେ ଯେ ପୋଲିସ, ଅବକାରୀ, ରାଜସ୍ୱ ଏବଂ ଜଙ୍ଗଲ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଜିଲ୍ଲା ପ୍ରଶାସନ ଦ୍ୱାରା ନିଆଯାଇଥିବା ଉପଯୁକ୍ତ ପଦକ୍ଷେପ ଯୋଗୁଁ ଅନଗୁଳ, ସମ୍ବଲପୁର ଏବଂ ଦେବଗଡ ଜିଲ୍ଲାରେ ଗଞ୍ଜେଇ ଚାଷ ଯଥେଷ୍ଟ ହ୍ରାସ ପାଇଛି । ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ସେ ରିମୋଟ ସେନସିଂ ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଚଳିତ ବର୍ଷ ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କରିବା ପାଇଁ ପର୍ଯ୍ୟାପ୍ତ ପୋଲିସ କର୍ମଚାରୀ ଯୋଗାଇ ଦେବାକୁ ନିଶ୍ଚିତ କରିଥିଲେ ।

ଏସଟିଏଫ୍ ଡିଆଇଜି ରାଜ୍ୟରେ ବେଆଇନ ଗଞ୍ଜେଇ ଚାଷ ଏବଂ ଏଥି ସହ ଜିଡିତ ଅପରାଧୀଙ୍କ ଗିରଫ ସ୍ଥିତି ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ ଏବଂ ଗଞ୍ଜେଇ ଗଛଣ୍ଟଗୁଡିକର ବିନାଶ ଉପରେ ଅଧିକ ଧ୍ୟାନ ଦେବା ପାଇଁ କନ୍ଧମାଳ, ମାଲକାନଗିରି, ଗଜପତି, ରାୟଗଡା, ବୌଦ ଏବଂ କୋରାପୁଟର ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ପରାମର୍ଶ ଦେଇଥିଲେ । ଗଞ୍ଜେଇର ବେଆଇନ କାରବାର ଯାଞ୍ଚଞ୍ଚକରିବା ସହିତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପିମାନେ ସମନ୍ୱୟ ବୈଠକ, ସଚେତନତା ସୃଷ୍ଟି ଏବଂ ବିକଳ୍ପ ବିକାଶ ପାଇଁ ଯୋଜନା ସମ୍ବନ୍ଧରେ ସେମାନଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସୂଚିତ କରିଛନ୍ତି ।

ଚଳିତ ବର୍ଷ ଗଞ୍ଜେଇ ଗଛ ନଷ୍ଟ ପାଇଁ ବିଭିନ୍ନ ଜିଲ୍ଲା ତଥା ଏସଟିଏଫକୁ ପାଣ୍ଠି ଯୋଗାଣ ତଥା ସଚେତନତା ସୃଷ୍ଟି, ଗ୍ରାମ / ପଞ୍ଚାୟତ ସ୍ତରରେ ବିଭିନ୍ନ କମିଟି ଗଠନ ଏବଂ ପ୍ରତ୍ୟେକ ଜିଲ୍ଲା ସ୍ତରରେ ରଣନୀତି ପ୍ରସ୍ତୁତ ସହିତ ଅବକାରୀ, ପୋଲିସ୍‌, ରାଜସ୍ୱ, ଜଙ୍ଗଲ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ମଧ୍ୟରେ ସମନ୍ୱୟ ସଂକ୍ରାନ୍ତରେ ଅବକାରୀ କମିଶନର ସୂଚାଇ ଦେଇଛନ୍ତି । ପ୍ରମୁଖ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଏବଂ ଏସପି ମାନଙ୍କୁ ସମନ୍ୱୟ ବୈଠକ କରିବାକୁ ଏବଂ ଏଥିରେ ଡିଏଫ୍‍ଓମାନଙ୍କୁ ସାମିଲ କରିବାକୁ ଏବଂ ଆସନ୍ତା ମାସରେ ଅଗ୍ରଗତିର ସମୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ।