ଭୁବନେଶ୍ୱର : ରାଜ୍ୟରେ ବେଆଇନ୍ ଗଂଜେଇ ଚାଷ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ବନ୍ଧିତ ରାଜ୍ୟ ସ୍ତରୀୟ ସମନ୍ୱୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶିଲ କୁମାର ଲୋହନୀ ବେଆଇନ୍ ଗଂଜେଇ ଚାଷ ପ୍ରତିରୋଧ ସମ୍ବନ୍ଧିତ ଆଇନ୍ଗତ ଏବଂ କାର୍ଯ୍ୟାନ୍ୱୟନ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।
ଜିଲ୍ଲାଓ୍ୱାରୀ ସ୍ଥିତିର ସମୀକ୍ଷାକରି ପ୍ରବର୍ତ୍ତନ କାର୍ଯ୍ୟକ୍ରମକୁ ଅଧିକ ଶାଣିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ପୋଲିସ୍, ଅବକାରୀ ଏମଂ ରାଜସ୍ୱ ବିଭାଗ ଅଧିକାରୀମାନେ କ୍ଷେତ୍ର ସ୍ତରରେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଗଂଜେଇ ଚାଷ ହେଉଥିବା ଅଂଚଳର ସବୁ ପରିବାର ଏ ବେଆଇନ୍ କାର୍ଯ୍ୟରେ ସଂପୃକ୍ତ ନୁହଁନ୍ତି । ସଂପୃକ୍ତ ଥିବା ଲୋକଙ୍କ ବିଷୟରେ ସୂଚନା ସଂଗ୍ରହ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଗଂଜେଇ ଚାଷ ଅଂଚଳ ଚିହ୍ନଟ କରିବା ନିମନ୍ତେ ସାଟେଲାଇଟ୍ ଏବଂ ଡ୍ରୋନ୍ ବୈଷୟିକ କୌଶଳ ପ୍ରୟୋଗ କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା ।
ଗଂଜେଇ ଚାଷ ଉପରେ ନିର୍ଭର କରି ଚଳୁଥିବା ଗରିବ ପରିବାରମାନଙ୍କ ନିମନ୍ତେ ଲକ୍ଷ୍ୟଭେଦୀ ବିକଳ୍ପ ଜିବୀକା ନିର୍ବାହ ପନ୍ଥା ଓ ଯୋଜନାମାନ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ଜିବୀକା ନିର୍ବାହ ମିଶନ୍, ଜାତୀୟ ଜିବୀକା ନିର୍ବାହ ମିଶନ୍, ମହାତ୍ମାଗାନ୍ଧି ନିଶ୍ଚିତ ରୋଜଗାର ସ୍କିମ୍, ଅର୍ଥକାରୀ ଫସଲ ଚାଷ, କୃଷିଜାତ ଦ୍ରବ୍ୟର ଏକତ୍ରୀକରଣ, ଫସଲ ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ, ଅଣୁ ଓ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ, ଗୋ-ପାଳନ, ଛେଳି ପାଳନ, କୁକୁଡ଼ା ଚାଷ, ସମନ୍ୱିତ କୃଷି ଆଦି ପ୍ରକଳ୍ପକୁ ଅଧିକରୁ ଅଧିକ ସଂଖ୍ୟାରେ ଅନୁମୋଦିତ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା ।
ଗଂଜେଇ ଚାଷ ବିରୁଦ୍ଧରେ ଜନସଚେତନତା ଏବଂ ଜନମତ ସୃଷ୍ଟି ଉପରେ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ଗୁରୁତ୍ୱ ଆରୋପ କରିଥିଲେ । ଗ୍ରାମ କମିଟି, ପଂଚାୟତି ରାଜ ପ୍ରତିନିଧି, ସ୍ୱେଚ୍ଛାସେବୀ ସଂସ୍ଥା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଏହି ଜନସଚେନତା ବୃଦ୍ଧି କାର୍ଯ୍ୟରେ ସାମିଲ୍ କରିବା ପାଇଁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ ।
ଯେଉଁ ଅଂଚଳମାନଙ୍କରେ ପୂର୍ବରୁ ଗଂଜେଇଚାଷ ହେବାର ସୂଚନା ଅଛି ସେସବୁ ଗ୍ରାମକୁ ଚାଷ ଋତୁ ଆରମ୍ଭରୁ ଯାଇ ଲୋକମାନଙ୍କୁ ବିକଳ୍ପ ଜିବୀକା ବିଷୟରେ ବୁଝାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସେସବୁ ଗ୍ରାମକୁ ବାରମ୍ବାର ଯାଇ ନିଜନିଜ ବିଭାଗର ଜିବୀକା ପନ୍ଥା ବୃଦ୍ଧି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ପ୍ରମୁଖ ଶାସନ ସଚିବ ଶ୍ରୀ ଲୋହାନୀ ଜଣାଇଥିଲେ ଯେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁ ଅନୁଗୁଳ ଓ ସମ୍ବଲପୁର ଆଦି ଜିଲ୍ଲାରେ ଗଂଜେଇ ଚାଷ ପ୍ରାୟ ବନ୍ଦ ହେବା ଆରମ୍ଭ ହୋଇଛି । ୨୦୧୯-୨୦ ମସିହାରେ ବୌଦ୍ଧ, ଦେବଗଡ, ଗଜପତି, ଗଂଜାମ, କନ୍ଧମାଳ, କୋରାପୁଟ, ମାଲକାନାଗିରି, ରାୟଗଡ଼ା ଆଦି ଜିଲ୍ଲାରେ ପ୍ରାୟ ୧୫୯୦୦ ଏକରରେ ଗଂଜେଇ ଚାଷ ଅମଳ ପୂର୍ବରୁ ନଷ୍ଟ କରାଯାଇଥିଲା । ୨୦୨୦-୨୧ ମସିହାରେ ସୂଚନା ସଂଗ୍ରହ କାର୍ଯ୍ୟକୁ ଅଧିକ ସଘନ କରାଯାଇ ୨୨,୨୧୭ ହେକ୍ଟରରୁ ଅଧିକ ଜମିରେ ଏହି ଫସଲ ନଷ୍ଟ କରାଯାଇଛି ।
ପୋଲିସ୍ ମହା ନିର୍ଦ୍ଦେଶକ ଅଭୟ, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା, ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ସୁଶିଲ୍ କୁମାର ଲୋହାନୀ, ପଂଚାୟତି ରାଜ ଓ ପାନୀୟଜଳ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାପାଳମାନେ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ କ୍ଷେତ୍ରସ୍ତରୀୟ ସ୍ଥିତି ଏବଂ ଗଂଜେଇ ଚାଷ ପ୍ରତିରୋଧ ନିମନ୍ତେ ଜିଲ୍ଲା କାର୍ଯ୍ୟ ଯୋଜନା ଉପସ୍ଥାପନ କରିଥିଲେ ।