Home Education ଖୋଲିଲା ଦଶମ ଓ ଦ୍ୱାଦଶ ଶ୍ରେଣୀ

ଖୋଲିଲା ଦଶମ ଓ ଦ୍ୱାଦଶ ଶ୍ରେଣୀ

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ମଧ୍ୟରେ ରାଜ୍ୟରେ ଆଜି ଶିକ୍ଷାନୁଷ୍ଠାନ ଖୋଲିବା ସହିତ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢା ଆରମ୍ଭ ହୋଇଛି । ସରକାରଙ୍କ ପୂର୍ବ ଘୋଷଣା ମୁତାବକ ଛାତ୍ରଛାତ୍ରୀମାନେ ଆଜି ଠାରୁ ସ୍କୁଲ ଓ କଲେଜକୁ ଯାଇଥିବାବେଳେ ସେଠାରେ କୋଭିଡ ମାର୍ଗଦର୍ଶିକା ଯେଭଳି କଡାକଡି ଭାବେ ପାଳନ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି ।

ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁଲାଇ ୨୬ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାପାଇଁ ସ୍ଥିର ହୋଇଥିଲା । ସେହିଭଳି ପରିସ୍ଥିତିକୁ ଦେଖି ଅଗଷ୍ଟ ୧୬ ତାରିଖରୁ ନବମ ଓ ଏକାଦଶ ଶ୍ରେଣୀରେ ପାଠପଢା ହେବ ବୋଲି ସୂଚନା ଦିଆଯାଇଛି ।

ଶିକ୍ଷାନୁଷ୍ଠାନ ଖୋଲିବାପରେ ଛାତ୍ରଛାତ୍ରୀମାନେ ଆଜି ଉତ୍ସାହର ସହିତ ପାଠ ପଢିବାକୁ ଆସିଛନ୍ତି । ସକାଳ ୧୦ଟାରୁ ପାଠପଢା ଆରମ୍ଭ ନେଇ ସୂଚୀ ପ୍ରଦାନ କରାଯାଇଥିବାବେଳେ ଏହାର ଢେର ପୂର୍ବରୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ପହଞ୍ଚିଥିଲେ । ପ୍ରାୟ ସମସ୍ତଙ୍କ ମୁହଁରେ ମାସ୍କ ଥିବାବେଳେ ଅବଶ୍ୟ ସାମାଜିକ ଦୂରତା ରକ୍ଷା କଷ୍ଟକର ଥିବା ଲକ୍ଷ୍ୟ କରାଯାଇଥିଲା ।

ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଶ୍ରେଣୀକକ୍ଷ ଗୁଡିକୁ କର୍ତ୍ତୃପକ୍ଷ ସାନିଟାଇଜ କରିଥିବାବେଳେ ପିଲାମାନେ ଯେଭଳି ଶ୍ରେଣୀରେ ଦୂରତା ରକ୍ଷାକରି ବସିବେ ତାହାର ବ୍ୟବସ୍ଥା କରିଛନ୍ତି । ଏଥି ସହିତ ଶିକ୍ଷାନୁଷ୍ଠାନରେ ହାତଧୁଆ ଓ ସାମାଜିକ ଦୂରତା ରକ୍ଷା ଉପରେ ଜୋର ଦିଆଯାଉଛି ।

ଉଲ୍ଲେଖନୀୟ ଯେ କରୋନାର ପ୍ରଥମ ଲହର କମିବାପରେ କର୍ତ୍ତୃପକ୍ଷ ଯୁକ୍ତ ଦୁଇ, ଯୁକ୍ତ ତିନି ସମେତ ବୈଷୟିକ ଶିକ୍ଷାନୁଷ୍ଠାନରେ ପାଠପଢା ଆରମ୍ଭ କରିଥିଲେ । ହେଲେ ଗତ ଫେବୃୟାରୀରେ କରୋନାର ଦ୍ୱିତୀୟ ଲହର କାୟାବିସ୍ତାର କରିବାପରେ ଶିକ୍ଷାନୁଷ୍ଠାନରେ ପାଠପଢା ବନ୍ଦ ହୋଇଥିଲା । ଏପରିକି ଚଳିତବର୍ଷ କରୋନା ଯୋଗୁଁ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ହୋଇପାରିନଥିଲା । ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଶ୍ରେଣୀ ପରୀକ୍ଷା ନମ୍ବର ଆଧାରରେ ବୋର୍ଡ ଓ କାଉନସିଲ କତ୍ତୃଁପକ୍ଷ ଉତ୍ତୀର୍ଣ୍ଣ ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ ।

ଆଜି ଠାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢା ଆରମ୍ଭ ହୋଇଥିଲେ ମଧ୍ୟ ଉଚ୍ଚଶିକ୍ଷା କିମ୍ବା ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ । ଯୁକ୍ତ ତିନି ସମେତ ଅନ୍ୟାନ୍ୟ ବୈଷୟିକ ଶିକ୍ଷାନବୀଶମାନେ ଏବେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ।