ଭୁବନେଶ୍ୱର : ରାଜ୍ୟରେ ବନ୍ୟପ୍ରାଣୀଙ୍କ ଅଙ୍ଗପ୍ରତ୍ୟଙ୍ଗର ଚୋରା କାରବାର ବଢି ଚାଲିଥିବାବେଳେ ବନ୍ୟଜନ୍ତୁ ଶିକାର କ୍ଷେତ୍ରରେ ଖୋରଧା ଜିଲ୍ଲା ସବୁଠାରୁ ଆଗରେ ରହିଛି । ଏହି ଜିଲ୍ଲାରେ ଦୁଇଟି ବନ୍ୟପ୍ରାଣୀ ଡିଭିଜନ ରହିଥିବାବେଳେ ଗତ ୫ବର୍ଷ ଭିତରେ ସର୍ବାଧିକ ବନ୍ୟଜନ୍ତୁ ଶିକାର ହୋଇଥିବା ଜଣାଯାଇଛି ।
ଗତ ପାଞ୍ଚବର୍ଷ ଅର୍ଥାତ୍ ୨୦୧୫ ରୁ ୨୦୨୦ ମଧ୍ୟରେ ରାଜ୍ୟରେ ମୋଟ୍ ୧୫୪୪ ବନ୍ୟଜନ୍ତୁ ଶିକାର ହୋଇଥିବାବେଳେ ଏମାନଙ୍କୁ ମାରିବା ଅଭିଯୋଗରେ ୧୭୦୨ଜଣଙ୍କୁ ଗିରଫ କରାଯାଇଛି । ସେହିଭଳି ବନ୍ୟଜନ୍ତୁଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଚୋରା ଚାଲାଣ ଅଭିଯୋଗରେ ୭୨୪ ବନ୍ଧା ହୋଇଛନ୍ତି । । ତେବେ ବନ୍ୟଜନ୍ତୁ ଶିକାର କ୍ଷେତ୍ରରେ ଖୋରଧା ଜିଲ୍ଲା ସବୁଠାରୁ ଆଗରେ ରହିଥିବାବେଳେ ଗିରଫ ବ୍ୟକ୍ତିଙ୍କ ତାଲିକାରେ ମୟୁରଭଞ୍ଜ ପ୍ରଥମ ସ୍ଥାନରେ ରହିଛି ।
ଖୋରଧା ଜିଲ୍ଲାରେ ଦୁଇଟି ବନଖଣ୍ଡ ଯଥା ଚନ୍ଦକା ବନ୍ୟପ୍ରାଣୀ ଡିଭିଜନ ଓ ଚିଲିକା ବନ୍ୟପ୍ରାଣୀ ଡିଭିଜନ ରହିଛି । ଏହି ଦୁଇ ଡିଭିଜନରେ ଗତ ୫ବର୍ଷ ଭିତରେ ସର୍ବାଧିକ ୪୬୧ ବନ୍ୟଜନ୍ତୁ ଶିକାର ହୋଇଥିବାବେଳେ ଏହି ଅଭିଯୋଗରେ ଗିରଫ ହୋଇଛନ୍ତି ୧୩୧ ଜଣ । ଏହି ଡିଭିଜନରୁ ବନ୍ୟପ୍ରାଣୀଙ୍କ ଅଙ୍ଗ ପ୍ରତ୍ୟଙ୍ଗ କାରବାରରେ ୨୪ଜଣ ଗିରଫ ହୋଇଛନ୍ତି । ସେହିଭଳି ମୟୁରଭଞ୍ଜ ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ଅର୍ଥାତ୍ ୨୦୫ ବନ୍ୟଜନ୍ତୁ ଶିକାର ହୋଇଥିବାବେଳେ ଏମାନଙ୍କୁ ମାରିବା ଅଭିଯୋଗରେ ୨୫୭ ଓ ଅଙ୍ଗ ପ୍ରତ୍ୟଙ୍ଗ ଚୋରା ଚାଲାଣ ଅଭିଯୋଗରେ ୧୧୩ ଜଣ ଗିରଫ ହୋଇଛନ୍ତି ।
ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ଥିବା ଜଙ୍ଗଲ ଡିଭିଜନରେ ବନ୍ୟଜନ୍ତୁ ଶିକାର ସଂଖ୍ୟା ସରକାରୀ ଭାବେ ତିନି ଅଙ୍କ ତଳେ ରହିଥିବାବେଳେ ବାଲେଶ୍ୱରରେ ଏହା ୮୪ ଏବଂ ଗଞ୍ଜାମ ଜିଲ୍ଲାରେ ୮୩ ରହିଛି । ତେବେ ବନ୍ୟଜନ୍ତୁ ଅଙ୍ଗ ଚୋରା ଚାଲାଣ ପାଇଁ ଗିରଫ କ୍ଷେତ୍ରରେ କଟକ ଜିଲ୍ଲା ପ୍ରଥମ ସ୍ଥାନରେ ରହିଛି । ଏହି ଜିଲ୍ଲାରୁ ୧୨୧ ଜଣ ଜଣ ଏହି ଅଭିଯୋଗରେ ଗିରଫ ହୋଇଥିବାବେଳେ ଜିଲ୍ଲାରେ ଥିବା ବଉଦ ଓ ମହାନଦୀ ବନ୍ୟପ୍ରାଣୀ ଡିଭିଜନ୍ରେ ଗତ ୫ବର୍ଷରେ ମାତ୍ର ୨୮ଟି ବନ୍ୟଜନ୍ତୁ ଶିକାର ହୋଇଛନ୍ତି । ସେହିଭଳି ସୁନ୍ଦରଗଡ ଜିଲ୍ଲାରେ ଏହି ସମୟରେ ବନ୍ୟଜନ୍ତୁ ଅଙ୍ଗ ଚୋରା ଚାଲାଣ କରି ୬୭ଜଣ ବନ୍ଧା ହୋଇଥିବାବେଳେ ନୟାଗଡ ଜିଲ୍ଲାରେ ୯୮ଜଣ ଗିରଫ ହୋଇଛନ୍ତି ।
ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଗତ ପାଞ୍ଚବର୍ଷ ମଧ୍ୟରେ ବନ୍ୟଜନ୍ତୁ ଶିକାର ଓ ଅଙ୍ଗ କାରବାରରେ ଅଢେଇ ହଜାର ପାଖାପାଖି ଲୋକ ଗିରଫ ହୋଇଥିବାବେଳେ ଏମାନଙ୍କ ଉପରେ ରୁଜୁ ମାମଲାର କିନ୍ତୁ ଫଏସଲା ହୋଇପାରୁ ନାହିଁ । ସବୁଗୁଡିକ ମାମଲା ବିଚାରାଧିନ ଥିବା ଜଣାଯାଇଛି । (ତଥ୍ୟ)