ଭୁବନେଶ୍ୱର : ତାତି ବଢୁଥିବାବେଳେ ରାଜଧାନୀରେ ପଶୁ ପକ୍ଷୀମାନେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି । ସହରରେ ଡ୍ରେନଗୁଡିକୁ ଢାଙ୍କି ଦିଆଯିବା ଏବଂ ଘରକୁ ଘର ବର୍ଜ୍ୟ ସଂଗ୍ରହ ହେବାପରେ ସହରର ପଶୁ ପକ୍ଷୀମାନେ ଖାଦ୍ୟ ଓ ପାଣି ସମସ୍ୟାରେ ପଡିଛନ୍ତି ।
ବର୍ତ୍ତମାନ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାରୁ ବୁଲାକୁକୁର ଓ ଚଢେଇମାନେ ଅଧିକ ପାଣି ଆବଶ୍ୟକ କରୁଛନ୍ତି । ହେଲେ ସହଜରେ ସେମାନଙ୍କୁ ପାଣି ଟୋପାଏ ମିଳୁନାହିଁ । ଯଦି କୌଣସି ଠାରେ ଲୋକେ ଦୟା ପରବେଶ ହୋଇ ଘର ବାହାରେ ପାଣିକୁଣ୍ଡ ରଖୁଛନ୍ତି ତାହା ସେମାନଙ୍କ ଶୋଷ ମେଣ୍ଟାଇବାରେ ସହାୟକ ହେଉଛି ।
ପୂର୍ବରୁ ରାଜଧାନୀରେ ମୁକୁଳା ଡ୍ରେନରେ ପାଣି ଚାଲୁଥିବାରୁ ପଶୁ ପକ୍ଷୀମାନେ ସେଠାରେ ନିଜର ଶୋଷ ମେଣ୍ଟାଉଥିଲେ । ହେଲେ ଏବେ କର୍ତ୍ତୃପକ୍ଷ ସହରର ପ୍ରତ୍ୟେକ ଡ୍ରେନକୁ କଂକ୍ରିଟ ଢାଙ୍କୁଣିରେ ଢାଙ୍କି ଦେଉଛନ୍ତି । ବହୁ ସ୍ଥାନରେ ଖୋଲା ଡ୍ରେନ ଉପରେ ଲୁହା ଜାଲି ଲଗାଇ ଦେଉଛନ୍ତି । ଫଳରେ ବୁଲାକୁକୁର ଓ ବିଭିନ୍ନ ଚଢେଇମାନଙ୍କୁ ପାଣି ମୁନ୍ଦାଏ ମିଳିପାରୁ ନାହିଁ ।
ସେହିଭଳି ସହରର ବୁଲା କୁକୁରମାନେ ଏବେ ସହଜରେ ଖାଦ୍ୟ ଟିକେ ପାଉନାହାନ୍ତି । ଏହାର କାରଣ ହେଉଛି ବିଏମ୍ସିର ଘରକୁ ଘର ବର୍ଜ୍ୟ ସଂଗ୍ରହ । ପୂର୍ବରୁ ଲୋକେ ବଳୁଥିବା ଖାଦ୍ୟ ସାମଗ୍ରୀକୁ ନିକଟରେ ରହୁଥିବା ଆବର୍ଜନା କୁଣ୍ଡରେ ପକାଉଥିଲେ ଓ ସେଠାରୁ କୁକୁରମାନେ ନିଜର ଖାଦ୍ୟ ସଂଗ୍ରହ କରୁଥିଲେ । କେବଳ କୁକୁର ନୁହନ୍ତି ବୁଲା ଗାଈଗୋରୁ ଓ ପକ୍ଷୀମାନେ ମଧ୍ୟ ଖାଦ୍ୟ ଆବଶ୍ୟକତା ଏଠାରୁ ପୂରଣ କରୁଥିଲେ । ହେଲେ ବର୍ତ୍ତମାନ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି ।
ଖାଦ୍ୟ ମିଳୁନଥିବାରୁ ଭୋକିଲା ରହୁଥିବା ବୁଲା କୁକୁରମାନେ ବହୁ ସ୍ଥାନରେ ହିଂସ୍ର ହୋଇ ଉଠୁଥିବା ପଶୁପ୍ରେମୀମାନେ ମତ ଦେଉଛନ୍ତି । ଏଥିଯୋଗୁଁ କେତେକ ସ୍ଥାନରେ ସେମାନେ ବିନା କାରଣରେ ଲୋକଙ୍କୁ କାମୁଡିବାକୁ ଗୋଡାଉଛନ୍ତି । ତେଣୁ ପ୍ରଚଣ୍ଡ ତାତି ସମୟରେ ପଶୁ ପକ୍ଷୀମାନଙ୍କ ପାଇଁ ସରକାରୀ କର୍ତ୍ତୃପକ୍ଷ କରୋନା ଲକଡାଉନ୍ ସମୟ ଭଳି ଖାଦ୍ୟ ଓ ପାନୀୟ ଯୋଗାଇବାକୁ ମତପ୍ରକାଶ ପାଉଛି ।
ଉଲ୍ଲେଖନୀୟ ଯେ କରୋନା ଜନିତ ଲକଡାଉନ୍ ଓ ସଟଡାଉନ୍ ସମୟରେ ବୁଲା କୁକୁର ଓ ଗାଈଗୋରୁମାନେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବାରୁ ସେତେବେଳେ ବିଏମ୍ସ କର୍ତ୍ତୃପକ୍ଷ ଖାଦ୍ୟ ଯୋଗାଣ ପାଇଁ ଅର୍ଥ ବ୍ୟବସ୍ଥା କରିଥିଲେ । ବର୍ତ୍ତମାନ ଏହି ବୁଲା ପଶୁମାନଙ୍କ ପାଇଁ ଅନୁରୂପ ଖାଦ୍ୟ ବ୍ୟବସ୍ଥା ନକଲେ ପ୍ରଚଣ୍ଡ ତାତିରେ ସେମାନେ ଅଧିକ ହ୍ରିଂସ ହୋଇ ଆକ୍ରମଣ କରିବାର ଆଶଙ୍କା କରାଯାଉଛି । (ତଥ୍ୟ)