ଭୁବନେଶ୍ୱର : ଖଣିଜ ସମ୍ପଦ ଭରା ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଜିଲ୍ଲା ଖଣିଜ ଫାଉଣ୍ଡେସନ (ଡିଏମଏଫ୍) ରୁ ଚଳିତ ବର୍ଷ ଜୁନ୍ ଶେଷ ସୁଦ୍ଧା ୧୩,୪୭୮ କୋଟି ଟଙ୍କା ବ୍ୟୟ ହୋଇଛି । କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ।
ବିଜେଡି ସାଂସଦ ମମତା ମହନ୍ତ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୦୨୩ ଜୁନ୍ ୩୦ତାରିଖ ସୁଦ୍ଧା ଓଡିଶାରେ ଜିଲ୍ଲା ଖଣିଜ ଫାଉଣ୍ଡେସନ ପାଣ୍ଠି ଜରିଆରେ ୨୩,୧୨୦ କୋଟି ଟଙ୍କା ଆଦାୟ ହୋଇଛି । ଏଥିରୁ ୧୩,୪୭୮ କୋଟି ଟଙ୍କା ଆଦାୟ ହୋଇଛି ଯାହା କି ଆଦାୟ ଅର୍ଥର ୫୮ ପ୍ରତିଶତ । ବର୍ତ୍ତମାନ ଡିଏମ୍ଏଫ୍ ପାଣ୍ଠିରୁ ମୋଟ୍ ୨୨,୪୮୦.୦୯ କୋଟି ଟଙ୍କା ଆବଣ୍ଟନ ହୋଇଛି ଯାହାକି ଆଦାୟ ଅର୍ଥର ୯୭ ପ୍ରତିଶତ ।
ମୋଟ୍ ଆଦାୟ ଅର୍ଥ ମଧ୍ୟରୁ ୧୭,୭୭୫.୨୦ କୋଟି ଟଙ୍କା କୋଇଲା ଏବଂ ଲିଗନାଇଟ୍ ଛଡା ଅନ୍ୟ ପ୍ରମୁଖ ଖଣିଜ ସମ୍ପଦରୁ ଆସିଥିବାବେଳେ ୫୨୩୭.୫୮ କୋଟି ଟଙ୍କା କୋଇଲା/ଲିଗନାଇଟ୍ ଏବଂ ୧୨୭.୨୧ କୋଟି ଟଙ୍କା ଲଘୁ ଖଣିଜ ଦ୍ରବ୍ୟରୁ ଆସିଥିବା ସେ କହିଛନ୍ତି । ରାଜ୍ୟ ଡିଏମଏଫ୍ ଆଇନ୍ ଅନୁଯାୟୀ ଡିଏମଏଫ୍ ଅର୍ଥର ୬୦ ପ୍ରତିଶତ ଅଗ୍ରାଧିକାର କ୍ଷେତ୍ରରେ ବ୍ୟୟହେବ ଏବଂ ୪୦ ପ୍ରତିଶତ ପାଣ୍ଠି ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟୟ କରାଯିବ ।
ରାଜ୍ୟ ସରକାର ୧୦,୦୮୫.୭୭ କୋଟି ଟଙ୍କା ଅଗ୍ରାଧିକାର କ୍ଷେତ୍ରରେ ବ୍ୟୟ କରିଥିବାବେଳେ ୩୨୬୫.୯୨ କୋଟି ଟଙ୍କା ଅନ୍ୟାନ୍ୟ କ୍ଷେତ୍ରରେ ଏବଂ ୧୨୬.୩୧ କୋଟି ଟଙ୍କା ପ୍ରଶାସନିକ ବାବଦରେ ବ୍ୟୟ ହୋଇଛି । ଅଗ୍ରାଧିକାର କ୍ଷେତ୍ର ଭାବେ ପାନୀୟଜଳ ପାଇଁ ୩୧୬୫.୪୧କୋଟି, ଶିକ୍ଷା ପାଇଁ ୨୭୫୧.୬୫ କୋଟି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୧୫୮୬.୮୫ କୋଟି, ସଡକ ସଂଯୋଗ ବାବଦରେ ୧୦୩୬.୨୨କୋଟି, ଜୀବିକା କାର୍ଯ୍ୟକ୍ରମ ପାଇଁ ୫୪୬.୨୫ କୋଟି, ମହିଳା, ଶିଶୁ, ବୟସ୍କ ଏବଂ ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ୪୮୭.୦୬ କୋଟି, ଯୁବକଙ୍କ ଦକ୍ଷତା ବିକାଶପାଇଁ ୨୦୫.୬୩ କୋଟି, ପରିବେଶ ସଂରକ୍ଷଣ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ୧୫୨.୭୫ କୋଟି, ପରିଚ୍ଛନ୍ନତା ପାଇଁ ୧୪୧.୧୯ କୋଟି ଏବଂ ଗୃହ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ୧୨.୭୬ କୋଟି ଟଙ୍କା ବ୍ୟୟ ହୋଇଛି ।
ଅନୁରୂପ ଭାବେ ରାଜ୍ୟ ସରକାର ବିଭିନ୍ନ ଭିତ୍ତିଭୂମି ସୃଷ୍ଟି ଲାଗି ୨୦୭୦.୯୬ କୋଟି, ଜଳସେଚନ ପ୍ରକଳ୍ପ ପାଇଁ ୮୧୯.୯୧ କୋଟି, ଶକ୍ତି ଏବଂ ଜଳବିଭାଜିକା ପ୍ରକଳ୍ପ ପାଇଁ ୨୦୦.୮୪ କୋଟି, ବନୀକରଣ ପାଇଁ ୭୬.୬୪କୋଟି ଏବଂ ଅନ୍ୟାନ୍ୟ ର୍କ୍ୟା ପାଇଁ ୯୭.୫୭ କୋଟି ଟଙ୍କା ବ୍ୟୟ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ଯେ ନୂତନ ପ୍ରକଳ୍ପ ସୃଷ୍ଟି ପାଇଁ ଅଧିକ ପାଣ୍ଠି ମଞ୍ଜୁର ସହିତ ଜାରି ରହିଥିବା ପ୍ରକଳ୍ପକୁ ତ୍ୱରାନ୍ୱିତ ଲାଗି ରାଜ୍ୟ ସରକାରଙ୍କୁ କୁହାଯାଇଛି । ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ଅଧିନିୟମ ୨୦୧୫ ବଳରେ ପ୍ରତି ଜିଲ୍ଲାରେ ଜିଲ୍ଲା ଖଣିଜ ଫାଉଣ୍ଡେସନ ପ୍ରତିଷ୍ଠା କରାଯାଇଛି । ପ୍ରଧାନ ମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା (ପିଏମ୍କେକେକେୱାଇ)ଏବଂ ଓଡିଶା ଜିଲ୍ଲା ଖଣିଜ ଫାଉଣ୍ଡେସନ ଅଧିନିୟମ, ୨୦୧୫ର ମାର୍ଗଦର୍ଶିକା ଅନୁଯାୟୀ ଡିଏମଏଫ୍ ପାଣ୍ଠି ବ୍ୟୟ କରାଯାଉଛି । (ତଥ୍ୟ)