Home Mining ଖଣି ରାଜସ୍ୱ ବୃଦ୍ଧି ପାଇଛି

ଖଣି ରାଜସ୍ୱ ବୃଦ୍ଧି ପାଇଛି

ଭୁବନେଶ୍ଵର : ଭାରତୀୟ ଉଦ୍ୟୋଗ ପରିସଂଘ(ସିଆଇଆଇ)  ତରଫରୁ ଅନୁଷ୍ଠିତ ଜାତୀୟସ୍ତରୀୟ  ଖଣି ଓ ନିର୍ମାଣ ଉପକରଣ ସମ୍ମିଳନୀରେ ଥାଇସେନକ୍ରୁପ୍, କୋମାତ୍ସୁ, ଥର୍ମୋଫିସର ସାଇଣ୍ଟିଫିକ୍, ଟାଟା ହିଟାଚି, କୋଲ୍ ଇଣ୍ଡିଆ, ହୁଣ୍ଡାଇ, କେଏସବି ପମ୍ପସ୍, ସାନି, ଟେଗା ଇଣ୍ଡଷ୍ଟ୍ରିଜ୍, ଲାର୍ସେନ୍ ଆଣ୍ଡ ଟୁବ୍ରୋ ଭଳି ପ୍ରମୁଖ ଶିଳ୍ପରୁ ୨୫୦ରୁ ଅଧିକ ଅଂଶଗ୍ରହଣକାରୀ  ଏଥିରେ ଅଂଶଗ୍ରହଣ କରିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ଭାବେ  ଯୋଗଦେଇ କହିଲେ ଯେ, ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶରେ ଖଣିଜ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।  ଗତ ତିନି ବର୍ଷ ମଧ୍ୟରେ ରାଜ୍ୟ ଖଣି ରାଜସ୍ୱ  ଉଲ୍ଲେଖନୀୟ ଭାବେ ୧୦,୦୦୦ କୋଟି ଟଙ୍କାରୁ ୪୯,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ରାଜ୍ୟର ଅଭିବୃଦ୍ଧି ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ସକାରାତ୍ମକ ଧାରା ଜାରି ରଖିବାକୁ ଶ୍ରୀ ଜେନା ପ୍ରକାଶ କରିବା ସହିତ ଏ କ୍ଷେତ୍ରରେ ରାଜ୍ୟର ପ୍ରତିବଦ୍ଧତା ରହିଛି ବୋଲି  କହିଥିଲେ ।

ଏହି ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ରାଜ୍ୟର ବିକାଶରେ ଅଂଶଗ୍ରହଣ କରିବାକୁ ନିବେଶକମାନଙ୍କୁ ନିମନ୍ତ୍ରଣ କରିଥିଲେ । ଓଡିଶାର ଶିଳ୍ପ ନୀତି ସଂକଳ୍ପ (ଆଇପିଆର୍)ରେ ଦିଆଯାଇଥିବା ବିଭିନ୍ନ ପ୍ରୋତ୍ସାହନ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ରାଜ୍ୟରେ ଆଲୁମିନିୟମ ଶିଳ୍ପରେ  ଅନେକ ପ୍ରମୁଖ କମ୍ପାନୀ ରାଜ୍ୟରେ ୟୁନିଟ୍ ସ୍ଥାପନ କରିଛନ୍ତି ଓ  ଚଳିତ ଦଶନ୍ଧି ଶେଷ ସୁଦ୍ଧା ଓଡ଼ିଶାର ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନକାରୀ ରାଜ୍ୟରେ ପରିଣତ ହେବାର ମହତ୍ୱାକାଂକ୍ଷୀ ଯୋଜନା ରହିଛି ।  ଏହି ବିକାଶ ଦ୍ୱାରା ଖଣି କାର୍ଯ୍ୟକଳାପ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସମସ୍ତ ଅଂଶୀଦାରଙ୍କ ପାଇଁ ସ୍ଥାୟୀ ଏବଂ ପରିବେଶ ଅନୁକୂଳ ଖଣି ଅଭ୍ୟାସକୁ ପ୍ରାଥମିକତା ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ସେ ପ୍ରକାଶ କରିଥିଲେ ।    

ସମ୍ମିଳନୀରେ ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ସଚିବ ଅନୁରାଗ ଜୈନ ଦେଶର ଭିତ୍ତିଭୂମି ବିକାଶ ଉପରେ ଆଲୋଚନା କରିଥିଲେ ।  ୮% ଅନ୍ତର୍ଜାତୀୟ ମାନକ ତୁଳନାରେ ଆନୁଷଙ୍ଗିକ ଖର୍ଚ୍ଚ ଜାତୀୟ ଜିଡିପିର ୧୪% ମିଳିଥାଏ  ବୋଲି ଉଲ୍ଲେଖ କରି ସେ ଏହି ଖର୍ଚ୍ଚକୁ ହ୍ରାସ କରିବା ପାଇଁ ନୀତି ପ୍ରଣୟନ  ଜରୁରୀ ଏବଂ ଭାରତରେ ଏ  କ୍ଷେତ୍ରରେ ଗବେଷଣା ଏବଂ ବିକାଶ କେନ୍ଦ୍ର ପ୍ରତିଷ୍ଠା ପାଇଁ ଆବଶ୍ୟକତା ସଂପର୍କରେ ସେ  ପରାମର୍ଶ ଦେଇଥିଲେ ।

  ଓଡ଼ିଶା  ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ରାଜ୍ୟରେ ରାଜନୈତିକ ସ୍ଥିରତା ଏବଂ ଦକ୍ଷ ଶ୍ରମଶକ୍ତି ଉପରେ ଆଲୋକପାତ କରି ଏହା ଯୋଗୁଁ ଓଡିଶା ନିବେଶକଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ପରିଣତ ହୋଇଛି ବୋଲି କହିଥିଲେ । ୨୦୨୩ ଆର୍ଥିକ ବର୍ଷରେ ୨୦.୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ଓଡ଼ିଶା ଦେଶରେ ଦ୍ୱିତୀୟ ଓ ସେହି ସମୟ ମଧ୍ୟରେ ବ୍ୟାଙ୍କ ସହାୟତାରେ ପୁଞ୍ଜିନିବେଶ ପ୍ରସ୍ତାବ ଆକୃଷ୍ଟ କରିବାରେ ଏହା  ତୃତୀୟ ସ୍ଥାନରେ ରହିଛି ବୋଲି କହିଥିଲେ ।

ଦେଶର ଖଣିଜ ଉତ୍ପାଦନର ମୋଟ ମୂଲ୍ୟର ୧୩.୮% ଓଡ଼ିଶା ଉତ୍ପାଦନ କରେ ବୋଲି ସେ ଦର୍ଶାଇଥିବା ବେଳେ  ମୋଟ ରାଜ୍ୟ ଘରୋଇ ଉତ୍ପାଦ(ଜିଏସଡିପି)ରେ ଖଣି ଓ ଧାତବ କ୍ଷେତ୍ରର ଅବଦାନ ୧୩%ରୁ ଅଧିକ ରହିଛି । ରାଜ୍ୟରେ ଇସ୍ପାତ ଉତ୍ପାଦନ ବର୍ତ୍ତମାନର ୩୪ ଏମଏମଟି କ୍ଷମତାରୁ ୨୦୩୦ ରେ ୧୩୮ ଏମଏମଟିକୁ ବୃଦ୍ଧି ପାଇବ । ସେହିପରି ଆଲୁମିନିୟମ ଉତ୍ପାଦନ ୨.୬୪ ଏମଏମଟି ୨୦୩୦ରେ ୩.୮୪ ଏମଏମଟିକୁ ବୃଦ୍ଧି ପାଇବାର କ୍ଷମତା ରଖୁଛି । ଏହା ବ୍ୟତୀତ ସେ ଖଣିଜ ପଦାର୍ଥର ଦୀର୍ଘମିଆଦୀ ଲିଙ୍କେଜ୍ ନୀତି ବିଷୟରେ ଉଲ୍ଲେଖ କରିଥିଲେ ।

ମୋଟ ରାଜ୍ୟ ଘରୋଇ ଉତ୍ପାଦରେ ଖଣି ଓ ଶିଳ୍ପର ଉଲ୍ଲେଖନୀୟ ଅବଦାନ ଯଥାକ୍ରମେ ୧୩ ପ୍ରତିଶତ ଓ ୪୦ ପ୍ରତିଶତ ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶାର ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ରାଜ୍ୟର ଖଣିଜ ଓ ଶିଳ୍ପ କ୍ଷେତ୍ର ସହିତ ସଡ଼କ, ରେଳ, ବନ୍ଦର ଏବଂ ପାଇପ୍ ଲାଇନ୍ ସଂଯୋଗ କରିବା ପାଇଁ ରଣନୀତିକ  ଯୋଜନା କରାଯାଇଥିବା ସେ ମଧ୍ୟ ପ୍ରକାଶ କରିଥିଲେ ।

ଓଡ଼ିଶା ସରକାରଙ୍କ ଗୃହ, ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ ଦର୍ଶକମାନଙ୍କୁ  ଖଣିଜ କ୍ଷେତ୍ରରେ ପରିବେଶ ଅବକ୍ଷୟର ଚିନ୍ତା ବିଷୟରେ ଅବଗତ କରାଇବା ସହ ଏ ଦିଗରେ ପୋଷଣୀୟ ଖଣିଜ ସଂପଦର ଉତ୍ତୋଳନ ଏବଂ ପରିବେଶ ଅନୁକୂଳ ଖଣିକୁ ପ୍ରୋତ୍ସାହିତ କରି  ଦକ୍ଷ ଭିତ୍ତିଭୂମିର ଉପଯୋଗ କରିବାକୁ ସେ ଖଣି  ଅଂଶୀଦାରମାନଙ୍କୁ ପରାମର୍ଶ ଦେଇଥିଲେ।

ସିଆଇଆଇ ପୂର୍ବାଞ୍ଚଳ ଅଧ୍ୟକ୍ଷ ଶିବ ସିଦ୍ଧାନ୍ତ ନାରାୟଣ କୌଲ ପୁଞ୍ଜିନିବେଶକୁ ସୁଗମ କରିବା ପାଇଁ ଆଞ୍ଚଳିକ ପ୍ରତିବନ୍ଧକ ଦୂର କରିବାରେ ଓଡ଼ିଶା ସରକାର, ସିଆଇଆଇ ଏବଂ ଶିଳ୍ପସଂସ୍ଥାଗୁଡ଼ିକର ମିଳିତ ପ୍ରୟାସକୁ ପ୍ରଶଂସା କରିଥିଲେ । କେବଳ ମେକ୍ ଇନ୍ ଇଣ୍ଡିଆ ନୁହେଁ ବରଂ ବିଶ୍ୱ ରପ୍ତାନି ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶାରେ କମ୍ ଶ୍ରମ ଖର୍ଚ୍ଚରେ କୁଶଳୀ ଶ୍ରମିକଙ୍କ ତୁଳନାତ୍ମକ ଭାବେ  ଲାଭ ହେଉଥିବା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।

ସିଆଇଆଇ ଏମସିଇଡିର ଅଧ୍ୟକ୍ଷ ବିବେକ ଭାଟିଆ ଖଣି ଏବଂ ନିର୍ମାଣ ଶିଳ୍ପର ବିଶ୍ୱସ୍ତରୀୟ ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହାର ମୂଲ୍ୟ ୨୦୨୧ରେ ୧୨୧ ବିଲିୟନ ଡଲାର ଥିଲା ଏବଂ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ୬୨ ବିଲିୟନ ଡଲାର ଯୋଗଦାନ ଦେଇଥିଲା । ୨୦୨୮ ସୁଦ୍ଧା ଏହି କ୍ଷେତ୍ରର ଅଭିବୃଦ୍ଧି ହାର ୨.୮ ପ୍ରତିଶତ ସହ ୧୯୦ ବିଲିୟନ ଡଲାରରେ ପହଞ୍ଚିବାର ସମ୍ଭାବନା ରହିଛି ବୋଲି ସେ ଦର୍ଶାଇଥିଲେ ।

ଶ୍ରୀଯୁକ୍ତ ଭାଟିଆ ଭାରତର ୫ ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ୱପ୍ନକୁ ସାକାର କରିବାରେ ଏହି କ୍ଷେତ୍ରର ଭୂମିକା ଏବଂ ଏହା ଦ୍ୱାରା ପ୍ରଦାନ କରୁଥିବା ନିଯୁକ୍ତି ସୁଯୋଗ ଉପରେ ଆଲୋକପାତ କରିଥିଲେ ଏବଂ ବର୍ତ୍ତମାନ ଖଣି କ୍ଷେତ୍ରରେ ୩.୫ ନିୟୁତ ଲୋକ ନିୟୋଜିତ ଅଛନ୍ତି ବୋଲି କହିଥିଲେ । ଭାରତର ପୂର୍ବଭାଗରେ ୭ଟି ରାଜ୍ୟ ଖଣିଜ ଉତ୍ପାଦନରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବେଳେ ଓଡ଼ିଶା ୪୨ ପ୍ରତିଶତ ସହ ଶୀର୍ଷରେ ଥିବା ବେଳେ ଛତିଶଗଡ଼ ଓ ଝାଡ଼ଖଣ୍ଡ ଯଥାକ୍ରମେ ୧୭ ପ୍ରତିଶତ ଓ ୪.୩ ପ୍ରତିଶତରେ ରହିଛନ୍ତି  ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଷ୍ଟର୍ଣ୍ଣ କମାଣ୍ଡର ମୁଖ୍ୟଯନ୍ତ୍ରୀ ମେଜର ଜେନେରାଲ ପ୍ରବୀଣ ବଦ୍ରିନାଥ,  ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଶ୍ରୀ ଶଶୀ ଶେଖର ମହାନ୍ତି ପ୍ରମୁଖ  ଉପସ୍ଥିତ  ଥିଲେ