ଭୁବନେଶ୍ୱର : ଓଡିଶା ଖଣିଜ ଅଞ୍ଚଳ ବିକାଶ ନିଗମ (ଓଏମବିଏଡିସି)ରେ ପର୍ଯ୍ୟାପ୍ତ ଅର୍ଥ ମହଜୁଦ ଥିବାବେଳେ ଏହାର ଖର୍ଚ୍ଚ ପରିମାଣ ଧିମା ରହିବା ଏବେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଓଏମ୍ବିଏଡିସିର ସର୍ବଶେଷ ରିପୋର୍ଟରୁ ଏହା ଜଣାପଡିଛି ।
ଏହି ରିପୋର୍ଟ ଅନୁଯାୟୀ ଖଣିଜ ଇଲାକାରେ ବିକାଶମୂଳକ କାର୍ଯ୍ୟ ପାଇଁ ଏହି ପାଣ୍ଠିରେ ଏବେ ପାଖାପାଖି ୨୦,୧୧୦ କୋଟି ଟଙ୍କା ରହିଛି । ତେବେ ନଭେମ୍ବର ଶେଷ ସୁଦ୍ଧା ମାତ୍ର ୫୪୮୬.୬୮ କୋଟି ଟଙ୍କା ବିଭିନ୍ନ ଉନ୍ନୟନ ପ୍ରକଳ୍ପରେ ବ୍ୟୟ ହୋଇପାରିଛି । ଖଣିଜ ଇଲାକାର ଲୋକଙ୍କ ପାଇଁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସକାଶେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୪ ମସିହା ଡିସେମ୍ବର ୨ ତାରିଖରେ ଓଏମବିଏଡିସି ଗଠନ ହୋଇଥିଲା ।
ଏହାର ସର୍ବଶେଷ ରିପୋର୍ଟ ଅନୁଯାୟୀ ଏହି ପାଣ୍ଠିରେ ଏବେ ୨୦,୧୦୯.୯୮ କୋଟି ଟଙ୍କା ରହିଛି । ଓଏମବିଏଡିସି ବୋର୍ଡରେ ୧୭,୬୦୪.୬୧ କୋଟି ଟଙ୍କା ମୂଲ୍ୟର ୫୩ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ତେବେ ମାତ୍ର ୮୪୯୨ କୋଟି ଟଙ୍କା ଦିଆଯାଇଥିବାବେଳେ ଖର୍ଚ୍ଚ ହୋଇଛି ୫୪୮୬.୯୮ କୋଟି ଟଙ୍କା । ତେଣୁ ତୁରନ୍ତ ଅଧିକ ଅର୍ଥ ପ୍ରଦାନ ପାଇଁ ଓଏମବିଏଡିସି କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।
ଓଏମବିଏଡିସି ୭ଟି କ୍ଷେତ୍ରକୁ ଅର୍ଥ ପ୍ରଦାନ କରିଥାଏ । ଏଥି ମଧ୍ୟରେ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ, ଶିକ୍ଷା ସହିତ ଦକ୍ଷତା ବିକାଶ ତାଲିମ, ସ୍ୱାସ୍ଥ୍ୟସେବା ସହିତ ଅଙ୍ଗନବାଡି, ଜୀବିକା ପ୍ରୋତ୍ସାହନ, ଗ୍ରାମ୍ୟ ସଂଯୋଗୀକରଣ, ପରିବେଶ ସୁରକ୍ଷା ଏବଂ ପ୍ରଦୂଷଣ ନିୟନ୍ତ୍ରଣ, ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ରିଚାର୍ଜ ଆଦି ରହିଛି । ତେବେ ସୁନ୍ଦରଗଡ ଜିଲ୍ଲାରେ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ମଞ୍ଜୁରଭଞ୍ଜ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଏହା ଆରମ୍ଭ ହୋଇପାରି ନାହିଁ । ଆଦିବାସୀ ବହୁଳ ଖଣି ଖାଦାନ ଭରା ଏହି ଜିଲ୍ଲାରେ ଓଏମବିଏଡିସି ପାଣ୍ଠିର ସ୍ୱଳ୍ପ ବ୍ୟୟ ଚିନ୍ତାର କାରଣ ପାଲଟିଛି ।
ତେବେ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଏବଂ ଯାଜପୁର ଜିଲ୍ଲାରେ ସହରାଞ୍ଚଳରେ ପାନୀୟଜଳ ଯୋଗାଣ ପାଇଁ ମିଳିଥିବା ଅର୍ଥର ୯୭ ପ୍ରତିଶତ ବ୍ୟବହାର ହୋଇଛି । ସେହିଭଳି ମୟୁରଭଞ୍ଜ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ ଏବଂ ଝାରସୁଗୁଡା ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାପାଇଁ ୩୬ଟି ଆଦର୍ଶ ବିଦ୍ୟାଳୟ ଲାଗି ୪୮୯.୫୩ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ ଆରମ୍ଭ ହୋଇପାରୁ ନାହିଁ । ତେବେ ଏସ୍ସି ଏସ୍ଟି ବିଦ୍ୟାଳୟଗୁଡିକରେ ଶିକ୍ଷା ଭିତ୍ତିଭୂମି ପାଇଁ ପ୍ରଦାନ କରାଯାଇଥିବା ଅର୍ଥରୁ ନଭେମ୍ବର ୩୦ ସୁଦ୍ଧା ୬୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରିଛି ।
ଓଏମବିଏଡିସି ଜିଲ୍ଲାରେ ସହରାଞ୍ଚଳରେ ଇନ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଦିଆଯାଇଥିବା ଅର୍ଥର ୭୨ ପ୍ରତିଶତ ବ୍ୟୟ ହୋଇଛି । ତେବେ ଏହିସବୁ ଜିଲ୍ଲାରେ ଆଦିବାସୀ ଯୁବଗୋଷ୍ଠିଙ୍କୁ ପଞ୍ଚକର୍ମ ଏବଂ ନେଚରପାଥିରେ ଦକ୍ଷତା ବିକାଶ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ । ସମନ୍ୱିତ ଶିଶୁ ବିକାଶ କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ମିଳିଥିବା ଅର୍ଥରୁ ୪୪ ପ୍ରତିଶତ ଖର୍ଚ୍ଚ ହୋଇପାରିଛି ।
ଅନୁରୂପ ଭାବେ ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାରେ ଥଇଥାନ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ । ଅର୍ଥର ଅଭାବ ନଥିବାବେଳେ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥାର ଅନାଗ୍ରହ ଯୋଗୁଁ ଟଙ୍କା ଖର୍ଚ୍ଚରେ ଏଭଳି ସ୍ଥିତି ଉପୁଜିଥିବା ଜଣାଯାଇଛି । (ତଥ୍ୟ)