Home Environment କ୍ଷୟ ହେଉଛି ଓଡିଶା ଉପକୂଳ

କ୍ଷୟ ହେଉଛି ଓଡିଶା ଉପକୂଳ

ଭୁବନେଶ୍ୱର : ଓଡିଶା ଉପକୂଳରେ ଥିବା ଅଞ୍ଚଳର ୨୫ ପ୍ରତିଶତ କ୍ଷୟ ହେଉଥିବାରୁ ତାହା ପରିବେଶବିତ୍‍ମାନଙ୍କ ଚିନ୍ତା ବଢାଇଛି । ନିକଟରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ଓଡିଶା ଉପକୂଳର ୨୫.୬ ପ୍ରତିଶତ ଅଞ୍ଚଳ କ୍ଷୟ ହେଉଛି ।

ଭୂ ବିଜ୍ଞାନ ମନ୍ତ୍ରାଳୟ ଅଧିନରେ ଥିବା ଉପକୂଳ ଗବେଷଣା ଜାତୀୟ କେନ୍ଦ୍ର ୧୯୯୦ ମସିହାରୁ ସାମୁଦ୍ରିକ କୂଳ କ୍ଷୟ ନେଇ ଅନୁଧ୍ୟାନ କରୁଛନ୍ତି । ଉପକୂଳ ଗବେଷଣା କେନ୍ଦ୍ର ଏଥିପାଇଁ ରିମୋଟ ସେନସିଂ ଏବଂ ଜିଆଇଏସ୍‍ ମ୍ୟାପିଂ ଜ୍ଞାନକୌଶଳ ବ୍ୟବହାର କରୁଛି । ୧୯୯୦ ରୁ ୨୦୧୮ ମଧ୍ୟରେ ୬୯୦୭ କିଲୋମିଟର ବେଳାଭୂମିର ଅନୁଶୀଳନ କରାଯାଇଛି ।

ଏଥିରୁ ଜଣଯାଇଛି ଯେ ଗତ ୨୮ବର୍ଷ ମଧ୍ୟରେ ଉପକୂଳର ବିଭିନ୍ନ ଦିଗରେ ୩୩.୬ ପ୍ରତିଶତ କ୍ଷୟ ହୋଇଛି । ଉପକୂଳ ସମ୍ବେଦନଶୀଳ ମାନଦଣ୍ଡ (ସିଭିଆଇ) ଭାରତୀୟ ଉପକୂଳରେ ସମୁଦ୍ରର ଜଳସ୍ତର ବୃଦ୍ଧି ସଂକ୍ରାନ୍ତରେ ଆକଳନ କରିଛି । ଏହି ଆକଳନ ସମୟରେ ସାତଟି ବିଷୟ ଯଥା ଉପକୂଳରେ ପରିବର୍ତ୍ତନର ଧାରା, ସମୁଦ୍ର ଜଳପତ୍ତନର ପରବର୍ତ୍ତନର ଗତି, ଉପକୂଳର ଉଚ୍ଚତା, ଉପକୂଳ ଗଡାଣିଆ ସ୍ଥାନ, ଉପକୂଳର ଆକାର, ଲହଡିର ଉଚ୍ଚତା ଏବଂ ତୀବ୍ରତାକୁ ହିସାବକୁ ନିଆଯାଇଛି । ସମଗ୍ର ଦେଶର ଉପକୂଳ ପାଇଁ ୧୫୬ଟି ମ୍ୟାପ ପ୍ରସ୍ତୁତ ହୋଇଥିବାବେଳେ ୨୦୧୨ରେ ଏକ ଲକ୍ଷରୁ ଅଧିକ ସ୍କେଲ ପ୍ରକାଶିତ ହୋଇଥିଲା ।

୨୦୨୧-୨୨ ରୁ ୨୦୨୨-୨୬ ମଧ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲା ଲାଗି ଜାତୀୟ ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠି (ଏନ୍‍ଡିଆରଏମଏଫ୍‍) ଏବଂ ରାଜ୍ୟ ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠି (ଏସ୍‍ଡିଆରଏମଏଫ୍‍) ଗଠନ କରିବାକୁ ପଞ୍ଚଦଶ ଅର୍ଥ କମିଶନ ସୁପାରିଶ୍‍ କରିଛନ୍ତି । ଅର୍ଥ କମିଶନ ସ୍ୱତନ୍ତ୍ର ଭାବେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଅଧିନରେ କୂଳକ୍ଷୟ ରୋକିବାକୁ ପଦକ୍ଷେପ ଗ୍ରହଣ କରିବା ଏବଂ ଏନ୍‍ଡିଆରଏଫ୍‍ ଅଧିନରେ କୂଳକ୍ଷୟ ଯୋଗୁଁ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର ଓ ଥଇଥାନ ପାଇଁ କହିଛନ୍ତି ।

ଏହି ପାଣ୍ଠି ଖର୍ଚ୍ଚ କରିବାପାଇଁ କମିଶନ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ କୂଳକ୍ଷୟ ରୋକିବାପାଇଁ ପଦକ୍ଷେପ ଗ୍ରହଣ ଲାଗି ଉପଯୁକ୍ତ ବ୍ୟବସ୍ଥାର ବିକାଶ ପାଇଁ କହିଛନ୍ତି ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୂଳକ୍ଷୟ ଯୋଗୁଁ ସ୍ଥାନାନ୍ତର ହେଉଥିବା ଲୋକଙ୍କ ଲାଗି ସ୍ୱତନ୍ତ୍ର ନୀତି ପ୍ରସ୍ତୁତ ପାଇଁ ମତ ଦେଇଛନ୍ତି । ବର୍ତ୍ତମାନ ଏନ୍‍ଡିଏମ୍‍ଏ ପକ୍ଷରୁ କୂଳକ୍ଷୟ ରୋକିବା ଏବଂ ବିସ୍ଥାପିତ ଲୋକଙ୍କୁ ଥଇଥାନ ପାଇଁ ଉପଯୁକ୍ତ ନୀତି ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାଯାଇଛି । (ତଥ୍ୟ)