Home Agriculture ବନ୍ୟା ପରେ ଡେଲାଙ୍ଗରେ ମରୁଡି

ବନ୍ୟା ପରେ ଡେଲାଙ୍ଗରେ ମରୁଡି

ଭୁବନେଶ୍ୱର : ପ୍ରଳୟଙ୍କରୀ ବନ୍ୟାରେ ଧାନ ଜମି ବୁଡି ରହିବାପରେ ଏବେ ମରୁଡିର ସାମ୍ନା କରୁଛି । ବନ୍ୟାରୁ ଯାହା ରକ୍ଷା ପାଇଥିଲା ତାହା ମରୁଡିରେ ଉଜୁଡିବା ଦେଖି ଚାଷୀମାନେ ମୁଣ୍ଡରେ ହାତଦେଇ ବସିଗଲେଣି । ସ୍ଥାନୀୟ ଜଳସମ୍ପଦ ବିଭାଗର ଯନ୍ତ୍ରୀଙ୍କ ଖାମଖିଆଲି ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ।

ଡେଲାଙ୍ଗରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବ୍ଲକର ବୁଆଲି, ମାଛପଡା ଓ ଡେଲାଙ୍ଗ ମାଇନର କେନାଲରେ ପାଣି ଆସିପାରୁ ନାହିଁ । ଫଳରେ ହଜାର ହଜାର ଚାଷୀଙ୍କ ବିଲ ଶୁଖିଗଲାଣି । ବନ୍ୟା ଦାଉରୁ ଯେଉଁଠିସବୁ ଧାନଗଛଗୁଡିକ ବଞ୍ଚି ଯାଇଥିଲା ତାହା ଏବେ ଖରାରେ ଶୁଖିବା ଆରମ୍ଭ କଲାଣି । ଚାଷ ବଞ୍ଚାଇବାପାଇଁ ଚାଷୀମାନେ ଜଳସମ୍ପଦ ବିଭାଗର ଯନ୍ତ୍ରୀଙ୍କ ଦପ୍ତର ଠାରୁ ଆରମ୍ଭକରି ରାଜସ୍ୱ ବିଭାଗ ଅଧିକାରୀଙ୍କ ଦପ୍ତର ପର୍ଯ୍ୟନ୍ତ ଯାଇ ସମସ୍ତଙ୍କୁ ଭେଟୁଥିଲେ ମଧ୍ୟ କେନାଲରେ ପାଣି ଆସୁନାହିଁ ।

ଚାଷୀଙ୍କ ଅଭିଯୋଗ ଅନୁଯାୟୀ ତିନିଟି ମାଇନର କେନାଲର ଅରିସୋଲ ଓ ବେରବୋଇ ଠାରେ କେନାଲ ଉପରେ ପୋଲ ନିର୍ମାଣ ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । ଠିକାଦାର ଲୋକଙ୍କ ଯିବାଆସିବାପାଇଁ ପୋଲ ନିର୍ମାଣ ସ୍ଥଳରେ କେନାଲରେ ମାଟି ପକାଇ ରାସ୍ତାକରି ଦେଇଛନ୍ତି । ଠିକାଦାରଙ୍କ କାର୍ଯ୍ୟକୁ ସହଜ କରିବାକୁ ବିଭାଗୀୟ ଅଧିକାରୀମାନେ ଏହି କେନାଲରେ ପାଣି ଛାଡୁ ନାହାନ୍ତି । ଯେତିକି ପାଣି ଆସୁଛି ଏହି ମାଟିବନ୍ଧରେ ପାଣିଯିବାକୁ ବାଟ ନଥିବାରୁ ଏବେ କେନାଲ ଶୁଖିଲା ପଡିଛି । ସ୍ଥାନୀୟ ଜଳସମ୍ପଦ ବିଭାଗର ଯନ୍ତ୍ରୀମାନଙ୍କୁ ଏ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ କଲେବି ଫଳ ଶୂନ । ଏଣେ ପାଣି ଅଭାବରୁ ଧାନ ବିଲ ଫାଟି ଆଁ କଲାଣି ।

ଉପରୋକ୍ତ ତିନି ମାଇନର ଜଳସେଚନ ଅଞ୍ଚଳରେ ଥିବା ଗଉଡହୁଙ୍କା, ବୁଆଲି, ଆୟତନଡୁଆ, ବେରବୋଇ, ମରିଚିପୁର, ଅରିସଲ, ବଙ୍କିଲୋ, ଅମଳଙ୍ଗ, ପୁରୁଣା ଡେଲାଙ୍ଗ ଆଦି ଅଞ୍ଚଳରେ ଥିବା ଚାଷଜମିରେ ଏବେ ପାଣି ମାଡିପାରୁ ନାହିଁ । ଗୋଟିଏ ପଟେ ବନ୍ୟାରେ ଧାନ ଗଛ ନଷ୍ଟ ହୋଇଥିବାବେଳେ ଏବେ ପାଣି ଅଭାବ ଯୋଗୁଁ ବିଲ ଶୁଖିଲା ପଡିଲାଣି । ତେଣେ ଜଳସେଚନ ସୁବିଧା ଥାଇ ମଧ୍ୟ ଏଠାରେ ଚାଷୀଙ୍କୁ ପାଣି ମିଳୁନାହିଁ ।

ଏ ସଂକ୍ରାନ୍ତରେ ଚାଷୀମାନେ ଜଳସମ୍ପଦ ବିଭାଗକୁ ଗଲେ ସେଠାରେ ରାଜସ୍ୱ ଅଧିକାରୀଉପର ଦୋଷ ଖସାଇ ଦିଆଯାଉଥିବାବେଳେ ରାଜସ୍ୱ ବିଭାଗ ଦପ୍ତରକୁ ଗଲେ ସେଠାରେ ଜଳସମ୍ପଦ ଅଧିକାରୀଙ୍କ ମୁଣ୍ଡରେ ଦୋଷ ଲଦାଯାଉଛି । ସରକାରୀ କଳର ଏଭଳି ଦୋଷ ଲଦାଲଦିରେ ଧାନଗଛ ଜଳିବା ଆରମ୍ଭ କଲାଣି ।

ଚାଷୀମାନେ ପାଣିଟିକେ ପାଇବାକୁ ବାରମ୍ବାର ଏ ଦପ୍ତରରୁ ସେ ଦପ୍ତର ଦଉଡି ଦଉଡି ହତାଶ ହେବାପରେ ଯଦି ତୁରନ୍ତ ଜମିକୁ ପାଣି ନମିଳେ ତେବେ ଚଳିତବର୍ଷ ଜଳକର ଦେବେନାହିଁ ବୋଲି ରୋକ୍‍ଠୋକ୍‍ ଶୁଣାଇବା ସହିତ ଏଥିପାଇଁ ଜଳସମ୍ପଦ ବିଭାଗର ସ୍ଥାନୀୟ ଯନ୍ତ୍ରୀ ଦାୟି ରହିବେ ବୋଲି ଚେତାବନୀ ଦେଇଛନ୍ତି । ଧାନ ବିଲ ଶୁଖି ଫାଟିବା ଆରମ୍ଭ କରିଥିବାବେଳେ ଯଦି ଦିନେ ଦୁଇଦିନ ମଧ୍ୟରେ କେନାଲରେ ପାଣି ଛଡାନଯାଏ ତେବେ ହଜାର ହଜାର ଏକର ଜମିରେ ବନ୍ୟା ଦାଉରୁ ରକ୍ଷା ପାଇ ଯାଇଥିବା ଧାନଗଛ ଜଳିଯିବ ବୋଲି ଚାଷୀମାନେ ମତ ଦେଇଛନ୍ତି । (ତଥ୍ୟ)