Home Environment କ୍ଷତି ଘଟାଇବ ଜଳବାୟୁ ପରିବର୍ତ୍ତନ

କ୍ଷତି ଘଟାଇବ ଜଳବାୟୁ ପରିବର୍ତ୍ତନ

ଭୁବନେଶ୍ୱର : ଜଳବାୟୁ ପରିବର୍ତନ ଫଳରେ ମଣିଷ ସମାଜ ଉପରେ ଏହାର ଅନେକ ପ୍ରଭାବ ପଡ଼ିବାକୁ ଆରମ୍ଭ ହୋଇଛି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେବା ସହ ତୁରନ୍ତ ଏହାକୁ ରୋକିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି ।

ବିଶ୍ୱ ତାପମାତ୍ରା ବୃଦ୍ଧି ଯୋଗୁଁ ସମୁଦ୍ର ପତନର ବୃଦ୍ଧି ହୋଇଛି ଏବଂ ଏଥିପାଇଁ ଓଡ଼ିଶାର ଅନେକ ଉପୂଳବର୍ତୀ ଗ୍ରାମ ଲୋପ ପାଇବାକୁ ବସିଲାଣି । ସେହିପରି ପାଣିର ଅପବ୍ୟବହାର ମଧ୍ୟ ଭବିଷ୍ୟତରେ ପରିସ୍ଥିତିକୁ ଜଟିଳ କରିବାକୁ ଯାଉଛି ବୋଲି କହିଛନ୍ତି କମ୍ବାଟ୍ କ୍ଲାଇମେଟ୍ ଚେଞ୍ଜ ନେଟୱାର୍କ ଭାରତ ଶାଖାର ଆବାହକ ଶ୍ରୀ ରଞ୍ଜନ ପଣ୍ଡା ।

ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲା ଉପକୂଳରେ ଥିବା ସାତଭାୟା ଅଂଚଳର ୭ ଟି ଗ୍ରାମ ସମୁଦ୍ର ପତନ ବୃଦ୍ଧି ଯୋଗୁଁ ଲୋପ ପାଇଯାଇଥିବା ବେଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ର ବହୁ ଗ୍ରାମ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛି ବୋଲି ଓଡ଼ିଶାର ଜଳମାନବ ଭାବେ ପରିଚିତ ଶ୍ରୀ ପଣ୍ଡା କହିଛନ୍ତି । ସୋମବାର ବିଶ୍ୱ ଜଳ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପ୍ୟୁଟର ଆଣ୍ଡ ବିଜିନେସ୍ ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ‘ବିଶ୍ୱରେ ଜଳ ସମସ୍ୟା ଓ ଜଳବାୟୁରେ ପରିବର୍ତନ’ ଶୀର୍ଷକ ଆଲୋଚନାରେ ଯୋଗ ଦେଇ ଶ୍ରୀ ପଣ୍ଡା ଏହା କହିଛନ୍ତି ।

ପ୍ରତ୍ୟେକ ଥର ବାତ୍ୟା ଆସିଲେ ବଙ୍ଗୋପସାଗର ଉପକୂଳ ଅଂଚଳର କେତେକ ସ୍ଥାନକୁ ମାଡି ଆସୁଛି ଏବଂ ଅସ୍ତରଙ୍ଗରେ ମଧ୍ୟ ୫ କିମି ପର୍ଯ୍ୟନ୍ତ ସମୁଦ୍ର ଜଳ ଆସିଯିବା କହିଛନ୍ତି ଗବେଷକ ତଥା ପରିବେଶବିତ୍ ଶ୍ରୀ ପଣ୍ଡା ।

ଏହି ଅବସରରେ ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ଡଃ ଶରତ ଚନ୍ଦ୍ର ସାହୁ, ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ (ୟୁସିସିଆଇ) ର ଉପସଭାପତି (ବାଣିଜ୍ୟ), ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ୍ କୁମାର ସାମନ୍ତରାୟ ଏବଂ ଆସୋସିଏଟ୍ ପ୍ରଫେସର ଡଃ ଦୁର୍ଯ୍ୟୋଧନ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

କୋଭିଡ ମହାମାରୀକୁ ପ୍ରତିହିତ କରିବା ପାଇଁ ଆମକୁ ବାରମ୍ବାର ହାତ ଧୋଇବାକୁ ଉପଦେଶ ଦିଆଯାଉଥିବା ବେଳେ ପୃଥିବୀର ବହୁ ସଂଖ୍ୟକ ଲୋକ ସେମାନଙ୍କର ଦୈନନ୍ଦିନ ଜୀବନର ଆବଶ୍ୟକତା ପାଇଁ ମଧ୍ୟ ଜଳ ପାଇ ନଥାନ୍ତି । ସ୍ୱଚ୍ଛ ଜଳ ପାଇବାକୁ ହେଲେ ଆମକୁ ଆମର ଜଙ୍ଗଲ ଏବଂ ଗଛକୁ ସୁରକ୍ଷିତ ରଖିବା ଦରକାର ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଜଳବାୟୁ ପରିବର୍ତନ ଯୋଗୁଁ ପାଣିପାଗର ସ୍ଥିତି ଜଟିଳ ହୋଇଛି ଯାହା ଦ୍ୱାରା ସହରାଂଚଳରେ ମଧ୍ୟ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଯାହା ପାଇଁ କେବଳ ମଣିଷ ହିଁ ଦାୟୀ । ସହରର ସବୁଜିମାକୁ ନଷ୍ଟ କରିବା ତଥା ବଡ ବଡ ଅଟ୍ଟାଳିକ ନିର୍ମାଣ ଦ୍ୱାରା ଭୟଙ୍କର ବନ୍ୟା ପରସ୍ଥିତି ସୃଷ୍ଟି ହେଉଛି ବୋଲି ଡଃ ସାହୁ କହିଥିଲେ ।

ଡଃ ସାହୁ କହିଥିଲେ ପୃଥିବୀରେ ଉପଲବ୍ଧ ଜଳ ସଂପଦର ମାତ୍ର ୨.୫ ପ୍ରତିଶତ ବ୍ୟବହାର ଯୋଗ୍ୟ ଓ ତହିଁରୁ ୨ ପ୍ରତିଶତ ବରଫ ଆକାରରେ ରହିଥିବା ବେଳେ ପୃଥିବୀ ବାସୀଙ୍କ ବ୍ୟବହାର ନିମନ୍ତେ ମାତ୍ର ୦.୫ ପ୍ରତିଶତ ମିଳିପାରିବ ।

ଜଳବାୟୁର ପରିବର୍ତନ ଫଳରେ ବର୍ତମାନ ଅନୁଭୂତ ହେଉଥିବା ଗ୍ରୀଷ୍ମ ଋତୁ ୩ ମାସ ବଦଳରେ ୨୦୩୦ ମସିହା ବେଳକୁ ୭ ମାସ ଅନୁଭୂତ ହେବାର ସମ୍ଭାବନା ରହିଛି । ସେହିପରି ଭାରତର ଚିରପ୍ରବାହୀ ୧୭ଟି ନଦୀ ମଧ୍ୟରୁ ୨୦୩୦ ବେଳକୁ କେବଳ ୬ଟି ନଦୀରେ ବର୍ଷ ସାରା ଜଳପ୍ରବାହ ରହିବ ।

ଶ୍ରୀ ଶାରଦା ଗ୍ଲୋବାଲ୍ ୱାର୍ମିଂକୁ ପ୍ରତିହତ କରିବା ନିମନ୍ତେ ବିଭିନ୍ନ ମାନବିକ ପ୍ରକ୍ରିୟା ଦ୍ୱାରା ନିର୍ଗତ କ୍ଷତିକାରକ ଉତ୍ସର୍ଜନକୁ କମ୍ କରିବାକୁ ପଡ଼ିବ ବୋଲି କହିଥିଲେ । ଭାରତ ଏହି ଉତ୍ସର୍ଜନକୁ ୨୦୩୦ ସୁଦ୍ଧା ୨୦୦୫ ମସିହାର ସ୍ତରକୁ ଆଣିବା ନିମନ୍ତେ ବଦ୍ଧ ପରିକର । ଏଥି ନିମନ୍ତେ ଜଙ୍ଗଲକୁ ରକ୍ଷା କରିବା ସହ ପ୍ରତି ୫ ବର୍ଷ ମିଲିଅନ୍ ହେକ୍ଟର ଅଧିକ ଜଙ୍ଗଲ ସୃଷ୍ଟି କରିବା ଆବଶ୍ୟକ ବୋଲି କହିଥିଲେ ।