ଭୁବନେଶ୍ୱର : ସରକାରୀ କର୍ମଚାରୀମାନଙ୍କୁ ବର୍ଦ୍ଧିତ ଗ୍ରେଡ୍ ପେ ଦେବାଲାଗି ସରକାର ବ୍ୟବସ୍ଥା ରଖିଥିବା ଏବଂ ଏ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟ, ହାଇକୋର୍ଟ ଓ ସ୍ୟାଟ୍ ବାରମ୍ବାର ସ୍ପଷ୍ଟ ନିର୍ଦ୍ଦେଶ ଦେଇଆସିଥିବା ସତ୍ତ୍ୱେ ମାମଲା ରୁଜୁ କରି କୋର୍ଟରୁ ରାୟ ନଆଣିଲେ କର୍ମଚାରୀଙ୍କୁ ବର୍ଦ୍ଧିତ ଗ୍ରେଡ୍ ପେ’ ମିଳୁନାହିଁ ।
ଏଠାରେ ଉଲ୍ଲେଖନୀୟ ଯେ ଯେଉଁ ସରକାରୀ କର୍ମଚାରୀମାନେ ଯଥାକ୍ରମେ ୧୦,୨୦ ଓ ୩୦ ବର୍ଷ ଚାକିରି କରିଛନ୍ତି ସେମାନଙ୍କୁ ବର୍ଦ୍ଧିତ ହାରରେ ଗ୍ରେଡ୍ ପେ ଦେବାଲାଗି ରାଜ୍ୟ ସରକାର ୨୦୧୩ ମସିହାରେ ସଂକଳ୍ପ ଜାରି କରିଥିଲେ । ବହୁ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ନହେବାରୁ ଅନେକ କର୍ମଚାରୀ ଆଇନଅଦାଲତର ଦ୍ୱାରସ୍ଥ ହୋଇ ବର୍ଦ୍ଧିତ ଗ୍ରେଡ୍ ପେ’ ପାଇଛନ୍ତି । ତେବେ କେତେକ କ୍ଷେତ୍ରରେ କୋର୍ଟ ଆଦେଶ କାର୍ଯ୍ୟକାରୀ କରି ଗ୍ରେଡ୍ ପେ’ ଦେବାପରେ ତାହା ପ୍ରତ୍ୟାହାର କରିନିଆଯାଇଛି । ଏ ସଂକ୍ରାନ୍ତରେ ମାମଲା ସୁପ୍ରିମ୍କୋର୍ଟ ପର୍ଯ୍ୟନ୍ତ ଯାଇଛି ଏବଂ ସୁପ୍ରିମ୍କୋର୍ଟ ମଧ୍ୟ ବର୍ଦ୍ଧିତ ଗ୍ରେଡ୍ ପେ’ ଉପରେ ମୋହର ବସାଇଛନ୍ତି ।
ଇତିମଧ୍ୟରେ ଆଇନ ବିଭାଗ ଓ ଅର୍ଥ ବିଭାଗ ଏହି ଗ୍ରେଡ୍ ପେ’ ପ୍ରସଙ୍ଗରେ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ଯେଉଁମାନେ ଆଇନଅଦାଲତରୁ ନିର୍ଦ୍ଦେଶ ଆଣୁଛନ୍ତି କେବଳ ସେମାନଙ୍କୁ ବାଛି ବାଛି ବର୍ଦ୍ଧିତ ଗ୍ରେଡ୍ ପେ’ ପର୍ଯ୍ୟାୟ କ୍ରମେ ପ୍ରଦାନ କରାଯାଉଛି । ଏହି ସ୍ଥିତିରେ କେତେକ କର୍ମଚାରୀ ଅବସର ଗ୍ରହଣ କରିସାରିଥିବା ଓ ଆଉ କେତେକ ମୃତ୍ୟୁବରଣ କରିଥିଲେ ମଧ୍ୟ ସେମାନେ ବର୍ଦ୍ଧିତ ଗ୍ରେଡ୍ ପେ’ ପାଇବାରୁ ବଞ୍ôଚିତ ହେଉଥିବା ଘେନି ଗୁରୁତର ଅଭିଯୋଗ ଆସୁଛି ।
ଇତିମଧ୍ୟରେ ବିଜୟ କୁମାର ପରିଡା ମାମଲାରେ ଓଡିଶା ହାଇକୋର୍ଟ ବିରକ୍ତି ପ୍ରକାଶ କରି କୋର୍ଟରୁ ଆଦେଶ ଆଣିଲେ ଗ୍ରେଡ୍ ପେ’ ମିଳିବ ଓ ନ ଆଣିଲେ ମିଳିବ ନାହିଁ ବୋଲି ଅମଲାତନ୍ତ୍ରର ମନୋଭାବକୁ ନାପସନ୍ଦ କରିବା ସହ ତାଙ୍କୁ ବର୍ଦ୍ଧିତ ଗ୍ରେଡ୍ ପେ’ ସୀମିତ ସମୟ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହାସତ୍ତ୍ୱେ ବି, ବହୁ ଦପ୍ତରରେ ବର୍ଦ୍ଧିତ ଗ୍ରେଡ୍ ପେ’ ପ୍ରଦାନ ଲାଗି କୋର୍ଟ ଆଦେଶକୁ ଅପେକ୍ଷା କରିବା ସଙ୍ଗେସଙ୍ଗେ ଏକପ୍ରକାର କର୍ମଚାରୀ ଓ ପେନ୍ସନ୍ଭୋଗୀମାନଙ୍କୁ ମାମଲା ରୁଜୁ କରିବା ଲାଗି ବାଧ୍ୟ କରାଯାଉଛି । ରାଜ୍ୟ ସରକାରଙ୍କ ମାମଲା ନୀତିର ମଧ୍ୟ ଏହା ବିରୁଦ୍ଧାଚରଣ କରୁଛି । ପୂର୍ତ୍ତବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦବୀରୁ ଅବସର ଗ୍ରହଣ କରିଥିବା ପ୍ରଭାତ କୁମାର ମହାପାତ୍ର ତାଙ୍କ ଗ୍ରେଡ୍ ପେ’ ପ୍ରସଙ୍ଗରେ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ଆଇନ ଅଦାଲତରୁ ଆଦେଶନାମା ଆଣିନଥିବାରୁ ତାଙ୍କ ଯୁକ୍ତିଯୁକ୍ତ ଦାବିକୁ ଅଗ୍ରାହ୍ୟ କରାଯାଉଥିଲା ।
ଏଭଳି ଅବିଚାର ଓ ପକ୍ଷପାତିତା ବିରୁଦ୍ଧରେ ଶ୍ରୀ ମହାପାତ୍ର ନିକଟରେ ଓଡିଶା ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ ଏବଂ ତାଙ୍କ ପ୍ରସଙ୍ଗ ୨ମାସ ମଧ୍ୟରେ କର୍ତ୍ତୃପକ୍ଷ ବିଚାର କରି କାର୍ଯ୍ୟାନୁଷ୍ଠାନ ନେବାକୁ ହାଇକୋର୍ଟର ଅନ୍ୟତମ ବିଚାରପତି ଏ. କେ. ମହାପାତ୍ର ନିର୍ଦ୍ଦେଶ ଦେଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି । (ତଥ୍ୟ)