Home General କୋଭିଡରେ ଖାଦ୍ୟ ସୁରକ୍ଷାକୁ ପ୍ରାଥମିକତା

କୋଭିଡରେ ଖାଦ୍ୟ ସୁରକ୍ଷାକୁ ପ୍ରାଥମିକତା

ଭୁବନେଶ୍ୱର : ସଂପ୍ରତି ସାରା ରାଜ୍ୟରେ ତଥା ଦେଶରେ କୋଭିଡ୍‌-୧୯ର ଦ୍ୱିତୀୟ ଲହର ବ୍ୟାପକତାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଖାଦ୍ୟସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରାଯାଉଛି । ରାଜ୍ୟର ସମସ୍ତ ହିତାଧିକାରୀଙ୍କ ନିକଟରେ ଯେପରି ଠିକ୍‌ ସମୟରେ ରାସନ୍‌ ସାମଗ୍ରୀ ପହଞ୍ଚିପାରିବେ ସେଥି ନିମନ୍ତେ ବିଶେଷ ପଦକ୍ଷେପ ନିଆଯାଉଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟର ଜଣେ ବି ଗରିବ ଲୋକ ଯେପରି ଖାଦ୍ୟସୁରକ୍ଷାରୁ ବଂଚିତ ନହୁଅନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଆୟୋଜିତ ଭର୍ଚୁଆଲ୍‌ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗର କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିବା ଅବସରରେ କୋଭିଡ୍‌-୧୯ର ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ଖାଉଟିମାନେ ଯେପରି ସହଜରେ ଓ ସୁବିଧାରେ ସାମାଜିକ ଦୂରତ୍ୱ ରକ୍ଷା କରି ସେମାନଙ୍କର ପିଡ଼ିଏସ୍‌ ରାସନ ସାମଗ୍ରୀ ପାଇପାରିବେ ସେ ଦିଗରେ ଅଧିକ ଧ୍ୟାନ ଦେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କୋଭିଡ୍‌ ମହାମାରୀ ସମୟରେ ଜନସାଧାରଣଙ୍କ ଖାଦ୍ୟସୁରକ୍ଷା ଦିଗରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଶେଷ ଭୂମିକା ରହିଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଏଥି ସହିତ ରାଜ୍ୟର ଚାଷୀ ଓ ଖାଉଟିମାନଙ୍କ ହିତକୁ ଦୃଷ୍ଟିରେ ରଖି କୋଭିଡ୍‌-୧୯ର ସମସ୍ତ ମାର୍ଗଦର୍ଶିକା ଓ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ସମସ୍ତ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ମଇ ମାସ ପ୍ରଥମ ସପ୍ତାହରୁ ରାଜ୍ୟର ୧୭ଟି ଜିଲ୍ଲାରେ ରବିଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ସୁସଂହତ କରିବା ଦିଗରେ ବିଭାଗୀୟ ଅଧିକାରୀ ଓ କ୍ଷେତ୍ରରେ କାମ କରୁଥିବା ପ୍ୟାକ୍ସ/ଲ୍ୟାମ୍ପସ୍‌ର ଅଧିକାରୀମାନଙ୍କୁ ଅଧିକ ତତ୍ପର ହେବାକୁ ପଡ଼ିବ ।

ମୂଲ୍ୟ ସହାୟକ ଯୋଜନାରେ ଡାଲି, ତୈଳବୀଜ, ଚିନାବାଦାମ ଇତ୍ୟାଦିକୁ ସୁଚାରୁ ରୂପେ ସଂଗ୍ରହ କରି ଏହାର ଲାଭ ଚାଷୀମାନଙ୍କ ନିକଟରେ ପହଞ୍ଚାଇବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏଥି ସହିତ ଚଳିତ ବର୍ଷ ଯେପରି ଅଧିକରୁ ଅଧିକ ଡାଲି ଓ ତୈଳବୀଜ ସଂଗ୍ରହ କରିହେବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ ।

ସେହିପରି ସମବାୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଚାଷୀମାନଙ୍କୁ ସହଜରେ କୃଷିଋଣ ଯୋଗାଣ ସହିତ ଯୁଗ୍ମଦେୟ ଗୋଷ୍ଠୀ ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଋଣ ଯୋଗାଇଦେବା ପାଇଁ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟରେ ଉତ୍ପାଦିତ ଖାଦ୍ୟଶସ୍ୟର ଉପଯୁକ୍ତ ସଂରକ୍ଷଣ ଦିଗରେ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ମଣ୍ଡିଗୁଡ଼ିକରେ ବହୁମୁଖୀ ଗୋଦାମଘର ନିର୍ମାଣ ଦିଗରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ ।

ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ୫-‘ଟି’କୁ କଡ଼ାକଡ଼ି ଭାବେ ଅନୁପାଳନ ପୂର୍ବକ ଧାର୍ଯ୍ୟ ଲକ୍ଷ୍ୟ ହାସଲ ସହିତ ସଂପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା କରିବା ପାଇଁ ମନ୍ତ୍ରୀ କହିଥିଲେ । ଏଥି ନିମନ୍ତେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଉପରେ ଗୁରୁତ୍ୱ ଦେବା ସହିତ କମ୍ପୁ୍ୟଟରାଇଜେସନ୍‌ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କହିଥିଲେ ।

ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ପିଡ଼ିଏସ୍‌ ସାମଗ୍ରୀ ଯୋଗାଣ ଓ ରବିଧାନ ସଂଗ୍ରହର ପ୍ରସ୍ତୁତି ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମବାୟ ସମିତି ସମୂହର ନିବନ୍ଧକ ସୁଶାନ୍ତ କୁମାର ବାରିକ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀଙ୍କ ସମେତ ମାର୍କଫେଡ୍‌ର ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ୱୟାର ହାଉସିଂର ପରିଚାଳନା ନିର୍ଦ୍ଦେଶକ, ଓସାମ୍‌ ବୋର୍ଡର ସଦସ୍ୟ ସଚିବଙ୍କ ସମେତ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।