ଭୁବନେଶ୍ୱର : ଆମ ବସ୍ ଚଳାଇବାପାଇଁ ୨୦ ଜଣ ମହିଳା ଚାଳକଙ୍କୁ ଅତିରିକ୍ତ ତାଲିମ ଦେବାପାଇଁ କ୍ରୁଟ୍ ପକ୍ଷରୁ ପୁନେ ପଠାଯାଇଥିଲା । ସେମାନେ ସେଠାରେ ଏକା ମୋବିଲିଟ୍ରେ ୧୪ ଦିନିଆ ଇଭି ବସ୍ ଚଳାଇବାର ତାଲିମ ନେଇ ଫେରିଥିଲେ । ବର୍ତ୍ତମାନ ଏମାନଙ୍କ ମଧ୍ୟରୁ ମାତ୍ର ୪ଜଣଙ୍କୁ କେନ୍ଦୁଝରରେ ଇଭି ବସ୍ ଚଳାଇବାପାଇଁ ନିଯୁକ୍ତି ଦିଆଯାଇଛି ।
କ୍ରୁଟ୍ର ଆମ ବସ୍ ସେବାରେ ଅଧିକରୁ ଅଧିକ ମହିଳାଙ୍କୁ ନିୟୋଜିତ କରିବାପାଇଁ ମହିଳା ଗାଇଡ୍ଙ୍କୁ ମୁତୟନ କରାଯାଇଛି । ଏମାନଙ୍କ ସଂଖ୍ୟା ୩୦ ପ୍ରତିଶତରୁ ୫୦ ପ୍ରତିଶତକୁ ବଢାଇବାପାଇଁ ଯୋଜନା ଚାଲିଛି । ସେହିଭଳି ବସ୍ ଚାଳନା କ୍ଷେତ୍ରରେ ମହିଳାଙ୍କ ଆଗ୍ରହକୁ ଦେଖି ଏମାନଙ୍କୁ ମୁତୟନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା ।
ଗାଡି ଚାଳନା ଅଭିଜ୍ଞତା ସହିତ ବଡ ଗାଡି ଚଳାଇବାର ଲାଇସେନ୍ସ ଥିବା ୨୦ ଜଣ ମହିଳାଙ୍କୁ କ୍ରୁଟ୍ ପକ୍ଷରୁ ପୁନେ ପଠାଯାଇଥିଲା । ସେଠାରୁ ସେମାନେ ଦୁଇ ସପ୍ତାହର ତାଲିମ ନେଇ ଫେରିଲା ପରେ ପରୀକ୍ଷାମୂଳକ ଭାବେ ବିଭିନ୍ନ ରୁଟ୍ରେ ଗାଡି ଚାଳନାର ସୁଯୋଗ ପାଇଥିଲେ । ପରେ କ୍ରୁଟ୍ର ଚାଳକ ଟିମ୍ରେ ମହିଳାମାନେ ସାମିଲ ହେବେ ବୋଲି ଆଶା କରାଯାଉଥିଲା । ହେଲେ ତାଲିମ ପାଇଥିବା ଏହି ୨୦ଜଣଙ୍କ ମଧ୍ୟରୁ ମାତ୍ର ୪ଜଣଙ୍କୁ କେନ୍ଦୁଝରରେ ଇଭି ବସ୍ ଚଳାଇବାର ସୁଯୋଗ ମିଳିଥିବାବେଳେ ଅନ୍ୟମାନେ ପ୍ରାୟତଃ ବସି ରହିଛନ୍ତି ।
ଉଲ୍ଲେଖନୀୟ ଯେ କ୍ରୁଟ୍ର ଆମବସ୍ ଚଳାଚଳ ପାଇଁ ୧୩୭୭ ଜଣ କ୍ୟାପଟେନ୍ ଥିବାବେଳେ ୧୩୨୬ ଜଣ ଗାଇଡ୍ ରହିଛନ୍ତି । ଏହି ଗାଇଡ୍ଙ୍କ ମଧ୍ୟରୁ ୩୦ ପ୍ରତିଶତ ହେଉଛନ୍ତି ମହିଳା । ରାସ୍ତାଘାଟରେ ଆମ ବସ୍ର ବାରମ୍ବାର ଦୁର୍ଘଟଣାକୁ ଦେଖି ଏଥିରେ ଲଗାମ ପାଇଁ ମହିଳା ଚାଳକଙ୍କ ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ସେମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ହେଲେ ତାଲିମ ନେଇଥିବା ମହିଳା ଚାଳକଙ୍କ ମଧ୍ୟରୁ ୧୬ ଜଣ କ’ଣ ପାଇଁ ଆମ ବସ୍ ଚଳାଇବାର ସୁଯୋଗ ପାଉନାହାନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟ ସରକାର ମହିଳା ଚାଳକମାନଙ୍କ ପାଇଁ ସୁବାହକ ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନାରେ ଗାଡି ଚାଳନା ତାଲିମ ସହିତ ଲାଇସେନ୍ସ ଥିବା ମହିଳାଙ୍କୁ ଗାଡି ଚଳାଇ ଆତ୍ମନିର୍ଭରଶୀଳ ହେବାପାଇଁ ସରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଏଥି ପ୍ରତି ମଧ୍ୟ ବହୁ ମହିଳା ଚାଳକ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ବସ୍ ଚଳାଇବାପାଇଁ ଲାଇସେନ୍ସ ଧାରୀ ମହିଳାଙ୍କୁ ତାଲିମ ଦେଇ କ୍ରୁଟ୍ କାହିଁକି ବସାଇ ରଖିଛି ତାହାକୁ ନେଇ ଅନେକ ଆଶ୍ଚର୍ଯ୍ୟପ୍ରକଟ କରୁଛନ୍ତି ।
ବର୍ତ୍ତମାନ ଦୁର୍ଘଟଣା ରୋକିବାପାଇଁ କ୍ରୁଟ୍ ପକ୍ଷରୁ କ୍ୟାପଟେନ୍ମାନଙ୍କ ପାଇଁ ୫ ଦିନିଆ ଇ-ବସ୍ ଚାଳନା ତାଲିମ, ଯୋଗ, ମାନସିକ ଭାବେ ଚାପମୁକ୍ତ ରହିବା, ନିୟମିତ ଭାବେ ଡିପୋ ସ୍ତରୀୟ ତାଲିମ, ସ୍ୱାସ୍ଥ୍ୟ ପରୀକ୍ଷା ସହିତ ନିଶା ସେବନର ପରୀକ୍ଷା କରାଯାଉଛି । ଏହା ସତ୍ୱେ ବି ଆମ ବସ୍ ରାସ୍ତଘାଟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛି । ଏଭଳି ସ୍ଥିତିରେ ମହିଳା ଚାଳକମାନଙ୍କୁ ସୁଯୋଗ ଦିଆଗଲେ ଦୁର୍ଘଟଣା କିଛି ପରିମାଣରେ ହ୍ରାସ ପାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏହାବାଦ୍ ଇ-ରାଇଡ୍ ଯୋଜନାରେ ମହିଳା ଅଟୋ ଚାଳକଙ୍କ ଭଳି ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ମହିଳା କ୍ୟାପଟେନ୍ ଓ ମହିଳା ଗାଇଡ୍ ଥିବା ବସ୍ ଚଳାଇବାକୁ ବି ସାଧାରଣରେ ଦାବି ହେବାରେ ଲାଗିଛି । (ତଥ୍ୟ)

