Home Judiciary ଅଧା ବିଚାରପତି ପଦବୀ ଖାଲି

ଅଧା ବିଚାରପତି ପଦବୀ ଖାଲି

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟରେ ଏବେ ୫୦ ପ୍ରତିଶତ ବିଚାରପତି ପଦବୀ ଖାଲି ପଡିଛି । ସୁପ୍ରିମକୋର୍ଟର ବିଚାରପତିଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର କେହି ନାହାନ୍ତି । ସେହିଭଳି ଦେଶର ବିଭିନ୍ନ ରାଜ୍ୟରେ ଥିବା ହାଇକୋର୍ଟଗୁଡ଼ିକର ମୁଖ୍ୟ ବିଚାରପତି ପଦବୀରେ ବି ଓଡ଼ିଶା ହାଇକୋର୍ଟର କୌଣସି ବିଚାରପତି ନାହାନ୍ତି ।

ଓଡ଼ିଶା ହାଇକୋର୍ଟ ପାଇଁ ମୁଖ୍ୟ ବିଚାପରତିଙ୍କୁ ମିଶାଇ ୩୪ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ଏବେ ଅଛନ୍ତି ମାତ୍ର ୧୭ଜଣ । ଏମାନଙ୍କ ଭିତରୁ ଦୁଇଜଣ ବିଚାରପତିଙ୍କୁ ଅନ୍ୟ ରାଜ୍ୟକୁ ବଦଳି କରିବା ଲାଗି ପ୍ରକ୍ରିୟା ଚାଲିଛି । ଯଦି ଏହି ଦୁଇଜଣ ବିଚାରପତି ଅନ୍ୟ ରାଜ୍ୟକୁ ବଦଳି ହୋଇଯାଆନ୍ତି ତେବେ ବିଚାରପତି ପଦ ସଂଖ୍ୟା ୧୫କୁ ହ୍ରାସ ପାଇବ । ଏହାଛଡ଼ା ଚଳିତବର୍ଷ ଆଉ ଦୁଇଜଣ ବିଚାରପତି ଅବସର ନେବାର ଅଛି । ଯଦି ନୂଆ ବିଚାରପତି ଓଡ଼ିଶା ହାଇକୋର୍ଟ ପାଇଁ ନିଯୁକ୍ତ କରାନଯାଏ ତେବେ ଏଠାକାର ବିଚାରପତି ସଂଖ୍ୟା ୧୩କୁ ଖସିପାରେ ।

ନିକଟରେ କେତେକ ରାଜ୍ୟର ହାଇକୋର୍ଟ ପାଇଁ ନୂଆ ବିଚାରପତି ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ସେଥିରେ ଓଡ଼ିଶା ହାଇକୋର୍ଟ ଲାଗି କିନ୍ତୁ କାହାର ନାମ ନଥିଲା । ଗୋଟିଏ ପଟେ ମାମଲା ସଂଖ୍ୟା ବଢ଼ି ଚାଲୁଥିବାବେଳେ ଅନ୍ୟପଟେ ବିଚାରପତି ପଦବୀ ସଂଖ୍ୟା ହ୍ରାସ ପାଉଥିବାରୁ ମାମଲା ଫଇସଲା କ୍ଷେତ୍ରରେ ଗୁରୁତର ସମସ୍ୟା ଦେଖାଦେଉଥିବା ଘେନି ବହୁ ଆଇନ୍‍ଜୀବୀ ଅଭିଯୋଗ କରିଛନ୍ତି ।

କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ଚାକିରି ଓ ପେନ୍‍ସନ୍‍ ସଂକ୍ରାନ୍ତୀୟ ମାମଲାର ବିଚାର କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧିକରଣ (କ୍ୟାଟ୍‍)ରେ ହୋଇଥାଏ । ସେହିଭଳି ରାଜ୍ୟ ସରକାରୀ କର୍ମଚାରୀଙ୍କ ମାମଲା ଫଇସଲା ଲାଗି ୧୯୮୬ ମସିହାରେ ପ୍ରତିଷ୍ଠା କରାଯାଇଥିବା ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‍)କୁ ୨୦୧୯ ମସିହାରେ ଉଚ୍ଛେଦ କରାଯାଇଛି । ଏହାଫଳରେ ଚାକିରି ସଂକ୍ରାନ୍ତୀୟ ମାମଲାର ଚାପ ହାଇକୋର୍ଟ ଉପରେ ବଢ଼ିବାରେ ଲାଗିଛି ।

ଏବେ ଓଡ଼ିଶା ହାଇକୋର୍ଟରେ ପ୍ରାୟ ୧ଲକ୍ଷ ୭୦ ହଜାର ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ଏଥିମଧ୍ୟରେ ପ୍ରାୟ ୧୨ ହଜାର ହେଉଛି ଅଦାଲତ ଅବମାନନା ମାମଲା, ଯେଉଁଥିରେ ଅଧିକାଂଶ ସ୍ଥଳରେ ପଦସ୍ଥ ସରକାରୀ ଅଧିକାରୀମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲୁଛି । ଏଭଳି ସ୍ଥିତିରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ହ୍ରାସ ପାଇବା ଉଦ୍‍ବେଗଜନକ ବୋଲି କୁହାଯାଉଛି ।

ହାଇକୋର୍ଟ ବିଚାରପତି ନିଯୁକ୍ତି ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ରାଷ୍ଟ୍ରପତି ନେଇଥାନ୍ତି । ତେଣୁ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଓଡ଼ିଶା ହାଇକୋର୍ଟ ଓକିଲ ସଂଘ ବିଚାରପତି ପଦବୀ ପୂରଣ ସଂକ୍ରାନ୍ତୀୟ ଦାବି ଉପସ୍ଥାପନ କରିଛନ୍ତି । କେତେକ ପୁରୁଖା ଆଇନ୍‍ଜୀବୀ କହୁଛନ୍ତି ଯେ ଓଡ଼ିଶା ହାଇକୋର୍ଟରେ ଥିବା ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀଗୁଡ଼ିକ ବର୍ଷବର୍ଷ ଧରି ଖାଲି ରଖାଯିବା ଫଳରେ ଅନ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀ ଓ ସୁପ୍ରିମକୋର୍ଟର ବିଚାରପତି ପଦବୀରେ ଓଡ଼ିଶା ହାଇକୋର୍ଟର ପ୍ରତିନିଧିତ୍ୱ ବର୍ଷବର୍ଷ ଧରି ରହୁନାହିଁ । ଅତୀତରେ ଓଡ଼ିଶା ହାଇକୋର୍ଟର ଅନେକ ବିଚାରପତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଦକ୍ଷତା ଓ ନିଷ୍ଠାର ସହିତ କାର୍ଯ୍ୟ କରିଛନ୍ତି । ଏମାନଙ୍କ ମଧ୍ୟରେ ଜଷ୍ଟିସ ରଙ୍ଗନାଥ ମିଶ୍ର, ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ ଓ ଜଷ୍ଟିସ୍‍ ଦୀପକ ମିଶ୍ରଙ୍କ ନାମ ଉଲ୍ଲେଖନୀୟ । ପୁରୁଖା ଆଇନ୍‍ଜୀବୀମାନେ କହୁଛନ୍ତି ଯେ ଅଦାଲତ ଅବମାନନା ମାମଲା ଚାପରେ କେତେକ ବରିଷ୍ଠ ପ୍ରଶାସନିକ ଅଧିକାରୀ ରାଜନୈତିକ ନେତାଙ୍କୁ ପ୍ରଭାବିତ କରି ସ୍ୟାଟ୍‍ ଉଚ୍ଛେଦ କରିବାରେ ସଫଳ ହୋଇଥିଲେ । ଯଦି ସେମାନଙ୍କର କ୍ଷମତା ଥାନ୍ତା ତେବେ ସେମାନେ ଅନ୍ୟ ଅଦାଲତ ମଧ୍ୟ ଉଚ୍ଛେଦ କରିପାରନ୍ତେ । ରାଜ୍ୟର ସ୍ୱାର୍ଥ ଓ ଓଡ଼ିଆ ଅସ୍ମିତା ପାଇଁ ତୁରନ୍ତ ଓଡ଼ିଶା ହାଇକୋର୍ଟରେ ଖାଲି ପଡିଥିବା ସମସ୍ତ ବିଚାରପତି ପଦବୀ ପୂରଣ କରିବା ସହିତ ପୁନର୍ବାର ସ୍ୟାଟ୍‍ ପ୍ରତିଷ୍ଠା କରିବା ପାଇଁ ପୁରୁଖା ଓକିଲମାନେ ମତ ଦେଇଛନ୍ତି । (ତଥ୍ୟ)