ଭୁବନେଶ୍ୱର : ସିଗାରେଟ ଓ ଅନ୍ୟାନ୍ୟ ତମାଖୁ ସାମଗ୍ରୀର ଉତ୍ପାଦନ, ବିକ୍ରୟ, ସେବନ ଓ ପ୍ରଚାର ପ୍ରସାର ଉପରେ କଟକଣା ପାଇଁ କାର୍ଯ୍ୟକାରୀ ହୋଇଥିଲା ‘କୋଟ୍ପା’ ଆଇନ୍ । ଇତି ମଧ୍ୟରେ ଏହି ଆଇନ୍କୁ ୨୦ବର୍ଷ ପୂରିଥିଲେ ମଧ୍ୟ ତାହାକୁ ପ୍ରାୟତଃ କେହି ମାନୁନାହାନ୍ତି । ଖୋଲାଖୋଲା ଭାବେ ଲୋକେ ସିଗାରେଟ, ବିଡି ଭଳି ସାଗ୍ରୀ ଟାଣି ଧୂଆଁ ଛାଡୁଥିବାବେଳେ ନିଷେଧାଦେଶ ସତ୍ୱେ ଛୁଆଙ୍କ ଠାରୁ ବୁଢାଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁଟ୍ଖା ଓ ଅନ୍ୟାନ୍ୟ ତମାଖୁ ଚୋବାଉଛନ୍ତି ।
ପିଲାମାନଙ୍କୁ ମାରାତ୍ମକ ତମାଖୁ ଠାରୁ ଦୂରେଇ ରଖିବାପାଇଁ କେନ୍ଦ୍ର ସରକାର ଏହି ଆଇନ୍ କାର୍ଯ୍ୟକାରୀ କରିଥିଲେ । ରାଜ୍ୟଗୁଡିକ ମଧ୍ୟ ଏହାକୁ ଲାଗୁ କରିଥିଲେ । ଆଇନ୍ ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ଧୂମପାନ କରିବା ଦଣ୍ଡନୀୟ । ସେହିଭଳି କ୍ଷତିକାରଣ ତମାଖୁ ଉତ୍ପାଦନ, ବିକ୍ରି ଓ ସେବନ ମଧ୍ୟ ଅପରାଧ । ଓଡିଶା ସରକାର ମଧ୍ୟ ଏଥିପାଇଁ ଆଇନ୍ ପ୍ରଣୟନ କରିଛନ୍ତି । ସର୍ବସାଧାରଣ ସ୍ଥାନରେ ଧୂମପାୟୀଙ୍କ ଠାରୁ ଜୋରିମାନା ଆଦାୟ ସହିତ ରାଜ୍ୟରେ ଗୁଟ୍ଖାକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି ।
ହେଲେ ରାଜ୍ୟରେ ଏହି ଆଇନ୍ ଟି ପ୍ରାୟତଃ ଅଚଳ । ଏବେ ବି ଲୋକେ ଖୋଲାଖୋଲି ଭାବେ ସର୍ବସାଧାରଣ ସ୍ଥାନରେ ଧୂମପାନ କରୁଛନ୍ତି । ଆଇନ୍ର ରକ୍ଷକମାନେ ବି ଏହାକୁ ଦେଖୁଛନ୍ତି । ହେଲେ କାହାରିଠାରୁ ଜୋରିମାନା ଆଦାୟ ହେଉନାହିଁ । ସେହିଭଳି ରାଜ୍ୟରେ ଗୁଟ୍ଖା ନିଷେଧ କରି ସରକାର ପ୍ରାୟ ୫୦୦ କୋଟି ଟଙ୍କାର ରାଜସ୍ୱ ହରାଇଲେ । ହେଲେ ଏହା ପୂର୍ବାପେକ୍ଷା ଅଧିକ ବିକ୍ରି ପରିଲକ୍ଷିତ ହେଉଛି । ରାଜସ୍ୱ ଗଲା, ହେଲେ ସୁଫଳ ମିଳିଲାନି ।
ରାଜ୍ୟସାରା ଯୁଆଡେ ଦେଖିବ ଦୋକାନରେ ରଙ୍ଗ ବେରଙ୍ଗର ବିଭିନ୍ନ କମ୍ପାନୀର ମାଳ ମାଳ ଗୁଟ୍ଖା । ରାଜ୍ୟ ପ୍ରଶାସନର ପ୍ରାଣକେନ୍ଦ୍ର ଲୋକସେବା ଭବନ ଆଖପାଖରେ ବି ବେଧଡକ ବିକ୍ରି ହେଉଛି । ପିଲାଙ୍କ ଠାରୁ ବୁଢାଙ୍କ ପର୍ଯ୍ୟନ୍ତ ସଂଖ୍ୟାଧିକ ଲୋକ ଏହାକୁ ଚୋବାଉଛନ୍ତି । ପିଲାଙ୍କୁ ଏଥିପ୍ରତି ଆକୃଷ୍ଟ କରିବାଲାଗି ବିଦ୍ୟାଳୟ ଆଖପାଖ ଦୋକାନରେ ଏହାର ଆକର୍ଷଣୀୟ ପ୍ରଦର୍ଶନୀ ସହିତ ବିକ୍ରି ହେଉଛି ।
ସେହିଭଳି ଏହି କେନ୍ଦ୍ରୀୟ ଆଇନ୍ରେ ତମାଖୁ, ସିଗାରେଟ ଓ ମାଦକ ଦ୍ରବ୍ୟର ବିଜ୍ଞାପନ ଉପରେ କଡା କଟକଣା ଥିଲେ ମଧ୍ୟ ଆଇନ୍କୁ ଆଖିଠାର ମାରି ଗୁଟ୍ଖା କମ୍ପାନୀଗୁଡିକ ସାଧା ପାନମସଲା ଓ ମଦ କମ୍ପାନୀମାନେ ସୋଡା ଆଦି ନାଁରେ ରଙ୍ଗ ବେରଙ୍ଗର ହୋର୍ଡିଂ ମାରି ପ୍ରଚାର କରିବାରେ ଲାଗିଛନ୍ତି । ଆଇନ୍ର ଗଳାବାଟ ଦେଇ ଏହି କମ୍ପାନୀମାନେ ଲୋକଙ୍କୁ ନିଶାସକ୍ତ କରିବା ସହିତ ମାରାତ୍ମକ କର୍କଟ ରୋଗ ମଧ୍ୟକୁ ଠେଲି ଦେଉଛନ୍ତି ।
କୋଟ୍ପା ଆଇନ୍କୁ ନେଇ ସଭା, ସମିତି, ଆଲୋଚନାଚକ୍ର ଆଦି ହେଉଥିବାବେଳେ ଏହା କିଭଳି କଡାକଡି ଲାଗୁ ହେବ ସେଥିପ୍ରତି ସରକାରୀ ସ୍ତରରେ ସେଭଳି ଉଦ୍ୟମ ହେଉନାହିଁ । ମଝିରେ ମଝିରେ କେବଳ ଲୋକ ଦେଖାଣିଆ ଭାବେ ଚଢଉ କରି ଗୁଟ୍ଖା ମାଳ ଜବତ କରି କାମ ସାରି ଦିଆଯାଉଛି । ତେବେ ଓଡିଶାରେ ବିକ୍ରି ହେଉଥିବା ଅଧିକାଂଶ ଗୁଟ୍ଖା ପ୍ୟାକେଟ୍ ରାଜ୍ୟ ବାହାରେ ପ୍ରସ୍ତୁତ ହେଉଥିବାବେଳେ ସରକାରଙ୍କ ନିଷେଧାଦେଶ ସତ୍ୱେ ସୀମା ଟପି କିଭଳି ଟ୍ରକ ଟ୍ରକ ଗୁଟ୍ଖା କିଭଳି ଓଡିଶା ଭିତରକୁ ପଶୁଛି ତାହା ଏବେ ଅନେକଙ୍କ ଆଶ୍ଚର୍ଯ୍ୟଚକିତ କରୁଛି । (ତଥ୍ୟ)