Home Covid କୋଟିଏ ଟପିଲା ଟିକାକରଣ

କୋଟିଏ ଟପିଲା ଟିକାକରଣ

ଭୁବନେଶ୍ୱର : ରାଜ୍ୟରେ ଆଜି ଟିକାକରଣ ଏକ କୋଟିକୁ ଟପିଯାଇଛି । ଆଜି ଗୋଟିଏ ଦିନରେ ରେକର୍ଡ ସଂଖ୍ୟାକ ୩,୩୨,୭୧୭ ଜଣଙ୍କୁ ଟିକା ଦିଆଯିବା ଫଳରେ ମୋଟ୍‍ ଟିକାଦାନ ସଂଖ୍ୟା ୧,୦୦,୨୫,୬୨୯ରେ ପହଞ୍ଚିଛି ।

ଆଜି ଠାରୁ ସମଗ୍ର ଦେଶରେ କ୍ୟାମ୍ପେନ ମୋଡ୍‍ରେ ମାଗଣା ଟିକାଦାନ ଆରମ୍ଭ ହୋଇଥିବାବେଳେ ଓଡିଶାରେ ଦୈନିକ ୩ଲକ୍ଷ ଡୋଜ ଟିକା ଦିଆଯିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କକ୍ଷରୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା । ତେବେ ଆଜି ପ୍ରଥମ ଦିନରେ ଏହି ଲକ୍ଷ୍ୟ ଅତିକ୍ରମ କରିବା ସହିତ ଅଧିକ ୩୨,୭୧୭ ଜଣଙ୍କୁ ଟିକା ଦିଆଯାଇ ପାରିଛି ।

ଆଜି ଏହି ଟିକାଦାନ ପାଇଁ ମୋଟ୍‍ ୧୬୧୩ଟି ସ୍ଥାନ ଚିହ୍ନଟ ହୋଇଥିବାବେଳେ ଏଥି ମଧ୍ୟରୁ କେଭାକ୍ସିନ ଟିକାପାଇଁ ୬୫ଟି ଓ ଅନ୍ୟଗୁଡିକ କେଭିସିଲ୍ଡ ପାଇଁ ହୋଇଥିଲା । ତେବେ ଆଜି ସର୍ବାଧିକ ଟିକା ୧୮ରୁ ୪୪ବର୍ଷ ବୟସ ବର୍ଗର ଲୋକେ ପ୍ରଥମ ଡୋଜ ଆକାରରେ ନେଇଛନ୍ତି ।

ଆଜି ଦିଆଯାଇଥିବା ଟିକା ମଧ୍ୟରେ ୧୮ରୁ ୪୪ବର୍ଷ ବୟସର ଲୋକେ ୨,୩୪,୦୭୯ଟି ପ୍ରଥମ ଡୋଜ୍‍ ନେଇଥିବାବେଳେ ସେହିଭଳି ଏହି ବୟସ ବର୍ଗଙ୍କୁ ୫୦୯୦ଟି ଦ୍ୱିତୀୟ ଡୋଜ୍‍ ଦିଆଯାଇଛି । ଅନୁରୂପ ଭାବେ ୪୫ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ୫୭,୩୮୯ ଟି ପ୍ରଥମ ଡୋଜ୍‍ ଓ ୩୩,୮୮୯ଟି ଦ୍ୱିତୀୟ ଡୋଜ୍‍ ପ୍ରଦାନ କରାଯାଇଛି ।

ତେବେ ରାଜ୍ୟରେ ମୋଟ୍‍ ଟିକାକରଣ ମଧ୍ୟରୁ ୧୮ରୁ ୪୪ବର୍ଷ ବୟସ ବର୍ଗରେ ୧୬,୪୩,୮୮୬ଟି ପ୍ରଥମ ଡୋଜ୍‍ ଦିଆଯାଇଥିବାବେଳେ ୧,୧୪,୯୨୫ଟି ଦ୍ୱିତୀୟ ଡୋଜ୍‍ ଦିଆଯାଇଛି । ସେହିଭଳି ୪୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ୫୮,୪୫,୬୯୦ ଟି ପ୍ରଥମ ଡୋଜ୍‍ ଓ ୧୩,୧୭,୬୬୬ଟି ଦ୍ୱିତୀୟ ଡୋଜ୍‍ ଦିଆଯାଇଛି ।

ଚାଲିଥିବା ଟିକାକରଣ ଅଭିଯାନରେ ଆସନ୍ତା କାଲି ୧୨୨୨ ଟି ସ୍ଥାନରେ ଟିକାକରଣ ହେବବୋଲି ଜଣାଯାଇଛି । କ୍ୟାମ୍ପେନ ମୋଡ୍‍ରେ ଚାଲିଥିବା ଟିକାକରଣରେ ଉଭୟ ଅନ୍‍ ଲାଇନ୍‍ ଓ ଅନ୍‍ ସାଇଟ୍‍ରେ ଲୋକେ ନାମ ପଞ୍ଜିକରଣ କରି ଟିକାଦାନର ବ୍ୟବସ୍ଥା ହୋଇଛି ।